Odisha news

ଓଡ଼ିଶାକୁ କ୍ଷୁଧାମୁକ୍ତ କରିବା ଲକ୍ଷ୍ୟ ନେଇ ହାତ ମିଳାଇଲେ ସାଇ ଟ୍ରଷ୍ଟ ଓ ରୋଟାରି ଇଣ୍ଟରନ୍ୟାସନାଲ

0

ଭୁବନେଶ୍ୱର,୨୩ ଜାନୁଆରି : ଓଡ଼ିଶାକୁ କ୍ଷୁଧାମୁକ୍ତ କରିବା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ‘ସୋ ଆମ ଆଇ ଫାଉଣ୍ଡେସନ ଟ୍ରଷ୍ଟ’ (ସାଇ) ନିଜର ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ଵିତ କରିବା ଲାଗି ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ ସହ ହାତ ମିଳାଇଛି ।  ଏ ସଂପର୍କରେ  ରୋଟାରୀ ଇଣ୍ଟରନାସନାଲ ଡିଷ୍ଟ୍ରିକ୍ଟ ୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ସିଏ ଦେବାଶିଷ ମିଶ୍ର ଘୋଷଣା କରିଛନ୍ତି । ଏହି ଅବସରରେ ସାଇ ଟ୍ରଷ୍ଟର ପ୍ରତିଷ୍ଠାତା ପିନାକୀ ମହାନ୍ତି, ସାଇର  ସହପ୍ରତିଷ୍ଠାତା ଡ. ଚିଦାତ୍ମିକା ଖଟୁଆ, ଉତ୍କଳ ଗ୍ୟାଲେରିଆର  ପୂର୍ଣ୍ଣିମା ବୈଦ,  ଡିଷ୍ଟ୍ରକ୍ଟ ଟ୍ରେନର ରୋଟାରିଆନ ଜୟଶ୍ରୀ ମହାନ୍ତି ଓ ରୋଟାରିଆନ ମହେଶ ଭାଜି ପ୍ରମୁଖ ଉପସ୍ଥିତ ଥିଲେ ।

ସାଇ ଟ୍ରଷ୍ଟର ପ୍ରତିଷ୍ଠାତା ପିନାକୀ ମହାନ୍ତି କହିଛନ୍ତି ଯେ ଏହି ଉପଲକ୍ଷେ ଆସନ୍ତା ଜାନୁଆରି ୨୬ ତାରିଖରେ ଏକ ଓ୍ଵାକାଥନର ଆୟୋଜନ କରାଯାଉଛି । ଏହା ସକାଳ ୭ଟାରୁ ଉତ୍କଳ ଗ୍ୟାଲେରିଆରୁ ଆରମ୍ଭ ହେବ । ଏଥିରେ ବହୁସଂଖ୍ୟାରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି ।

ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ସାଇ ପକ୍ଷରୁ ପ୍ରଥମେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖାଦ୍ୟ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି-ପ୍ରଥମଟି ଆଚାର୍ଯ୍ୟ ବିହାରରେ ଓ ତାପରେ ରାମମନ୍ଦିର ନିକଟରେ । ବାରିପଦା ରୋଟାରି କ୍ଲବ ସହଯୋଗିତାରେ ମୟୁରଭଞ୍ଜରେ ମଧ୍ୟ ସାଇ ପକ୍ଷରୁ ଏକ ଖାଦ୍ୟ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି । ଏହାଛଡ଼ା ସାଇ ପକ୍ଷରୁ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ମୋବାଇଲ ଖାଦ୍ୟ ବ୍ୟାଙ୍କ ଆରମ୍ଭ କରାଯାଇଛି । ଏହା ବୁଲି ବୁଲି ଗରିବ ଓ ଭୋକିଲା ଲୋକମାନଙ୍କୁ ଖାଦ୍ୟ ପ୍ରଦାନ କରୁଛି ।  ଫେବ୍ରୁଆରି ସୁଦ୍ଧା ଭଦ୍ରକ,ଭବାନିପାଟଣା, କେନ୍ଦୁଝର, କଟକ, ଯାଜପୁରଠାରେ ମଧ୍ୟ ଖାଦ୍ୟ ବ୍ୟାଙ୍କ ଆରମ୍ଭ କରାଯିବ ।

ଗତ ବର୍ଷ ଅଗଷ୍ଟ ମାସରେ ଏହି ଟ୍ରଷ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର େଓ୍ଵବସାଇଟ ଓ ଆପ ଆରମ୍ଭ କରାଯାଇଥିଲା, ଯେପରିକି ଦାତା ମାନେ ସହଜରେ ଦାନ କରିପାରିବେ ।

କେବଳ ଖାଦ୍ୟ ବ୍ୟାଙ୍କ ନୁହେଁ, ସାଇ ପକ୍ଷରୁ ଶ୍ରଦ୍ଧା ଅର୍ପଣ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଫାଉଣ୍ଡେସନ ପକ୍ଷରୁ ସହରର ଲୋକମାନଙ୍କଠାରୁ ଖାଦ୍ୟଶସ୍ୟ ସଂଗ୍ରହ କରି ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ଏହି ଉଦ୍ୟମର ଚିନ୍ତାଧାରା ଓଡ଼ିଆ ପରମ୍ପରା ମୁଠି ଚାଉଳରୁ ଆସିଛି । ଏହି କାର୍ଯ୍ୟକ୍ରମ ଅଧିନରେ ସାଇ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟ, ସୋସାଇଟିରେ ଖାଦ୍ୟଶସ୍ୟ ସଂଗ୍ରହ ପାଇଁ ବ୍ୟାଗ ରଖାଯାଉଛି । ଲୋକମାନେ ଦାନ କରିଥିବା ଖାଦ୍ୟଶସ୍ୟକୁ ପରେ ସାଇ ପକ୍ଷରୁ ସଂଗ୍ରହ କରାଯାଉଛି ।

ସାଇ ଟ୍ରଷ୍ଟର ଲକ୍ଷ୍ୟ ହେଉଛି କ୍ଷୁଧା ଓ ଅପପୃଷ୍ଟିର ମୁକାବିଲା । ଏଥିପାଇଁ ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟର ପ୍ରତି ଜିଲ୍ଲାରେ ଖାଦ୍ୟ ବ୍ୟାଙ୍କ ଓ ଶ୍ରଦ୍ଧା ଅର୍ପଣକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।  ଏହି ପ୍ରକଳ୍ପ ହେଉଛି ସାଇର ପ୍ରତିଷ୍ଠାକା ପିନାକୀ ମହାନ୍ତିଙ୍କ ଏକ ସ୍ୱପ୍ନର ପ୍ରକଳ୍ପ । ଏହାକୁ ସେ ସମାଜସେବୀ ଡ.ଚିଦାତ୍ମିକା ଖଟୁଆ ଓ ପରିବେଶବିତ ଡ.ରୀନା ରାଉତରାୟଙ୍କ ସହାୟତାରେ କାର୍ଯ୍ୟକାରୀ କରୁଛନ୍ତି ।

‘ସୋ ଆମ ଆଇ ଫାଉଣ୍ଡେସନ ଟ୍ରଷ୍ଟ’ ଭାରତୀୟ ଟ୍ରଷ୍ଟ ଆଇନ ଅନୁସାରେ ପଂଜୀକୃତ ଏକ ଅଣ-ଲାଭକରୀ ସଂସ୍ଥା । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି  ଓଡ଼ିଶାରେ  କ୍ଷୁଧା ଓ ଅପପୃଷ୍ଟିକୁ ଲୋପ କରିବା ।

Leave A Reply