ଓଡାପଡା :ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଠାରେ ଅବସ୍ଥିତ ଟାଟା ବି.ଏସ.ଏଲ. ପ୍ଲାଣ୍ଟର ପାଚେରୀ ପାର୍ଶ୍ୱରେ ଗତକାଲି ସକାଳ ପ୍ରାୟ ୮.୪୦ ଘଟିକା ସମୟରେ ସୁଧାଂଶୁ ଶେଖର ସାମଲ (୩୨)ନାମକ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଯାଇଅଛି। ମୃତ ବ୍ୟକ୍ତି ଜଣଙ୍କ ଟାଟା ବି.ଏସ.ଏଲ. କମ୍ପାନୀର ଠିକାଦାରୀ ନେଇଥିବା ଲକି ମିନେରାଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରେ ସେଫ୍ଟି ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସବୁଦିନ ଭଳି ଆଜି ମଧ୍ୟ ଜେନେଲାର ସିଫ୍ଟରେ ସେ ସରପା ରୁ ତାଳବାହାଳ ରାସ୍ତା ଦେଇ ଡ୍ୟୁଟି ଆସୁଥିଲେ।
ସେହି ରାସ୍ତାକୁ ଟାଟା ବି.ଏସ.ଏଲ. ର ପାଚେରୀ ଲାଗିକି ରହିଛି ଏବଂ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ନ ରଖି ପାଚେରୀର କିଛି ଅଂଶ ମରାମତି ନିମନ୍ତେ ବାଉଁଶ ଭାଡାବାନ୍ଧି କାର୍ଯ୍ୟ ଚାଲୁଥିଲା । ସେହି ସମୟରେ ଏକ ବାଉଁଶ ଦ୍ୱାରା ଦୁର୍ଘଟଣାର ଶିକାର ହୋଇଥିଲେ,ବାଉଁଶଟି ତାଙ୍କ ହାତଏବଂ ଛାତିରେ ପଶିଯାଇଥିଲା ।ଖବର ପାଇଁ ଟାଟା ବିଏସଏଲ କମ୍ପାନୀର ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ କଟକ ନେଉଥିବା ବେଳେ ମହୀଧରପୁର ଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା । ସୁଧାଂଶୁ ଶେଖର ସାମଲ ଙ୍କ ଘର ବାଲିମି ଥାନା ଅନ୍ତର୍ଗତ ଗରିଲ ଗ୍ରାମରେ ।
ଗତ ମାର୍ଚ୍ଚ ମାସରେ ତାଙ୍କର ବିବାହ ହୋଇଥିଲା।ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାଟା ବିଏସଏଲ ଶ୍ରମିକକଂଗ୍ରେସ ସଭାପତି ବିପ୍ଳବ ଜେନା,ଶ୍ରମିକ ସଭା ସମ୍ପାଦକ ପବିତ୍ରବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ କମ୍ପାନୀଗେଟ ସମ୍ମୁଖରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ଲାଣ୍ଟର ମେନ ଗେଟକୁ ଅପରାହ୍ନ ୪ଟା ରୁ ରାତି ୯ ଘଟିକା ପର୍ଯ୍ୟନ୍ତ ୫ଘଣ୍ଟା ଧରି ବନ୍ଦକରିରଖିଥିଲେ ।ଘଟଣାସ୍ଥଳରେ କଣ୍ଟାବଣିଆ ପୋଲିସ ,ବାଲିମି ପୋଲିସ,ମୋଟଙ୍ଗା ପୋଲିସ ଓ ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ର ଙ୍କ ସହିତ ଓଡାପଡ଼ା ଅତିରିକ୍ତ ତହସିଲଦାର ସାଗରିକା ସାହୁ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । କମ୍ପାନୀତରଫରୁ ପ୍ଲାଣ୍ଟର ଲୋକସମ୍ପର୍କ ଅଧିକାରୀ ଶୁଭ୍ରାଂଶୁ ପଣ୍ଡା ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଦେବା ସହିତ ଇପିଏଫ ପେନସନ ଓ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀ ମାନେ ଶାନ୍ତ ହୋଇ ଶବର ସତ୍କାର କରିବାପାଇଁ ଶବକୁ ଗ୍ରାମକୁ ନେଇଥିଲେ ।
