ନୂଆପଡ଼ା -୧୯/୩ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ସହିତ ଗ୍ରାମୋଦୟ ସଭା ଅନୁଷ୍ଠିତ ହୋଇ ଯାଇଅଛି l ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରତି ମାସ ଏହି ବୈଠକ ଅନୁଷ୍ଠିତ ହେଉଛି lସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ବନଖଣ୍ଡ ଅଧିକାରୀ ଅଜିଜ ଖାନ,ବନଖଣ୍ଡ ଅଧିକାରୀ ବନ୍ୟ ପ୍ରାଣୀ, ମହାଦେବ ବଡ଼ାଇକ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧରଣୀଧର ସେନାପତି, ଏ ପିଡି ଯୋଗେଶ୍ଵର ଭୋଇ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସମସ୍ତ ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାର ଦୃତ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ସେ କହିଲେ ଏବେ ନୂଆପଡ଼ା ଜିଲ୍ଲା ମନରେଗା ସହିତ ଅନେକ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି l ସମସ୍ତ ଅଧିକାରୀଙ୍କ ଐକାନ୍ତିକ ଏବଂ ସମ୍ମିଳିତ ଉଦ୍ୟମ ଜାରି ରହିଲେ ଆମେ ସମସ୍ତ ଆହୁରି ଅନେକ ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ପାରିବା l ଜିଲ୍ଲା ଧାନ , କପା ଏବଂ ମାଣ୍ଡିଆ କିଣାରେ ଭଲ ସଫଳତା ହାସଲ କରିଛି l ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ଗ୍ରାମାଞ୍ଚଳ ଗସ୍ତ କରି ଜନସାଧାରଣଙ୍କ ସୁବିଧା ଅସୁବିଧା ସମ୍ଵନ୍ଧରେ ବୁଝି ଜିଲ୍ଲାପାଳଙ୍କୁ ଅବଗତ କରାଇବେ l ପ୍ରଶାସନକୁ ସବୁବେଳେ ଚଳଚଞ୍ଚଳ ଏବଂ ଗତିଶୀଳ କରିବାକୁ ପଡ଼ିବ। ଏହି ଉପାନ୍ତ ଜିଲ୍ଲା ତଫସିଲ ଭୁକ୍ତ ଜାତି ଏବଂ ଜନଜାତି ବହୁଳ ହେଇଥିବାରୁ ସେମାନଙ୍କ ଅସୁବିଧା ପ୍ରତି ପ୍ରାଥମିକତା ଦିଆଯାଉଛି। ଉପ ନିର୍ଦ୍ଦେଶକ ପ୍ଲାନିଂ , ପରିମଳ ସାମଲ ବିଗତ ବୈଠକର ବିବରଣୀ ପାଠ କରିଥିଲେ l ଏହା ଉପରେ ବିଶଦ ଆଲୋଚନା ପର୍ଯ୍ୟାଲୋଚନା ହୋଇଥଲା l ବିଗତ ମାସରେ ଉନ୍ନୟନ କାମରେ ଯେଉଁ ସବୁ ବାଧା ରହିଥିଲା ସେସବୁର କେତେ ସମାଧାନ ହେଇଛି ଏବଂ ପ୍ରତି ବିଭାଗର କିପରି ଅଗ୍ରଗତି ହୋଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ଆସନ୍ତା ମାସ ପାଇଁ ବିଭିନ୍ନ ବିଭାଗର ଲକ୍ଷ୍ୟ ପୂରଣ ସହିତ ଆଗାମୀ ପାଞ୍ଚ ବର୍ଷପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଆନ୍ତ ବିଭାଗୀୟ ବିସଂଗତି ଉପରେ ଆଲୋଚନା କରି ସେସବୁର ସମାଧାନର ରାସ୍ତା ବାହାର କରାଗଲା l ବିଭିନ୍ନ ଉନ୍ନୟନ ଏବଂ କାର୍ଯ୍ଯନିର୍ବାହି ସଂସ୍ଥା ସେମାନଙ୍କ ସମସ୍ତ ଉନ୍ନତି ମୂଳକ କାମ ଠିକ୍ ସମୟରେ ସାରି ଉପଯୋଗ ପ୍ରମାଣପତ୍ର ଦେବା ପାଇଁ ଜିଲ୍ଲାପାଳ ତାଗିଦ୍ କରିଥିଲେ l ବୈଠକରେ ଜଳସେଚନ ,ପଞ୍ଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ , ରାସ୍ତା ଓ ଗୃହନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ,ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ , ପ୍ରାଣୀ ସମ୍ପଦ, ପରିବହନ ,ଶିକ୍ଷା,ସ୍ୱାସ୍ଥ୍ୟ, କ୍ରୀଡ଼ା ,ଜଙ୍ଗଲ , ଖଣି , ଟୁରିଜମ ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା l ବିଭିନ୍ନ ଜଳସେଚନ ପ୍ରକଳ୍ପରୁ ସୁଷମ ଜଳ ବଣ୍ଟନ, ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର ବିଦ୍ୟୁତ୍ କରଣ, ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣ,
ବିଭିନ୍ନ ବିଜ୍ଞାପିତ ଅଂଚଳର ସମସ୍ୟା, ବିଭିନ୍ନ ଶିକ୍ଷାନୁଷ୍ଠାନ , ଚିକିତ୍ସାଳୟ , ପ୍ରାଣୀ ଚିକିତ୍ସାଳୟ ମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ସହିତ ସେମାନଙ୍କର ନୂତନ କୋଠା ନିର୍ମାଣ ଇତ୍ୟାଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥଲା l ଜିଲ୍ଲାରେ ମାଓବାଦୀ ଦମନ ପାଇଁ ରାସ୍ତା ଘାଟର ଉନ୍ନତି ସହିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନସାଧାରଣଙ୍କୁ ସମସ୍ତ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବା ଉପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁରୁତ୍ଵ ଦେଇଥିଲେ । ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜ ନିଜ ବିଭାଗର କାମ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଥିଲେ l ଗଣ ମାଧ୍ୟମ ତଥା ସୋସିଆଲ ମିଡିଆରେ ପ୍ରକାଶିତ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସୂଚନା ଯୋଗ୍ୟ ଯେ ଜିଲ୍ଲାପାଳ ଶ୍ରୀ ଦାଶ ହିସାବରେ ଯୋଗଦାନ କରିବା ପରେ ଏହି ମାସିକ ଉନ୍ନୟନ ସମିତି ବୈଠକ ପ୍ରତି ମାସ ଅନୁଷ୍ଠିତ ହେଉଛି l ଏହା ଦ୍ବାରା ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ପୂର୍ବକ କାମ ହେଇ ପାରୁଛି। ଜିଲ୍ଲାର ପ୍ରଗତି ପଥରେ ଆସୁଥିବା ବାଧା ବନ୍ଧକର ତ୍ୱରିତ ସମାଧାନ ହୋଇ ପାରୁଛି । କୌଣସି କାମ ମାସ ମାସ ଧରି ପଡି ରହୁନାହିଁ l ନିଜେ ଜିଲ୍ଲାପାଳ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ତତ୍ପର କରିବା ସହିତ ରାଜ୍ୟ ରାଜଧାନୀରେ ଅଟକି ରହିଥିବା କାମସବୁର ତୁରନ୍ତ ଅଗ୍ରଗତି କରାଉଛନ୍ତି।ଏହାର ସୁଫଳ ମଧ୍ଯ ମିଳିବା ଆରମ୍ଭ ହୋଇଯାଇଛି l