Odisha news

ଧାନମଣ୍ଡି ରେ ଅବ୍ୟବସ୍ଥାକୁ ବିରୋଧ କରି ଚାଷୀ ଆନ୍ଦୋଳନ ପାଇଁ ସଜବାଜ

0

ନୂଆପଡା-୧୮/୧ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ଆଜି ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ନୂଆପଡା ର ଆବାହକ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ପାଖାପାଖି ଚାରି ଲକ୍ଷ ବସ୍ତା ଧାନ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି। ଜିଲ୍ଲାରେ ଧାନ ମଣ୍ଡି ଗୁଡିକ ଏକପ୍ରକାର ଅଚଳାବସ୍ଥା ରେ ଅଛି। ତିନିଦିନ ତଳେ ଏକ ଲକ୍ଷ ତିରିଶ ହଜାର କୁଇଣ୍ଟାଲ ଧାନ କିଣା ପାଇଁ ପୁନଃ ଟାର୍ଗେଟ ଆସିଛି। କିନ୍ତୁ ବରଗଡ଼ ଜିଲ୍ଲାର ମିଲର ପାଇଁ ଏକ ଲକ୍ଷ ଟାର୍ଗେଟ ଆବଣ୍ଟିତ କରାଯିବା ଓ ସେମାନେ ସିକୁରୀଟି ଅର୍ଥ ଜମା କରି ତାଙ୍କ ନାମରେ “ମାସ” ଇସୁ ନହେବା ଯୋଗୁଁ ଧାନ କିଣା ଟାର୍ଗେଟ ଥାଇ ମଧ୍ୟ ମଣ୍ଡି ଗୁଡିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି।ଜିଲ୍ଲାର ଛବିଶ ଟି ସୋସାଇଟି ମଧ୍ୟରୁ ଷୋହଳ ଟି ସୋସାଇଟି ରେ ସେକ୍ରେଟାରୀ ପଦ ଖାଲି ଅଛି।କେତେକ ସ୍ଥଳେ ଧାନ ମଣ୍ଡି ଓ ସୋସାଇଟି ଗୁଡିକ ଡାଟା ଏଣ୍ଟ୍ରି ଅପରେଟର ମାନେ ଚଳାଉଛନ୍ତି।ଏଥିରୁ ଭଲ ଭାବେ ଅନୁମାନ କରିହେଉଛି ମଣ୍ଡି ଚଳେଇବା ପାଇଁ ସରକାର ଙ୍କ କେତେ ଆନ୍ତରିକତା ଓ ପ୍ରତିବଦ୍ଧତା ଅଛି??ଏହାର ଫାଇଦା ନେଇ ମିଲରସ ମାନେ ଧାନ କଟନୀ ଓ ଛଟନୀ ପରିମାଣ ବଢ଼େଇ ଦେଇଛନ୍ତି।ଏଣେ ଟୋକନ ଲେପ୍ସ ହେବାର ଭୟ ଚାଷୀ ମାନଙ୍କୁ ଭୟଭୀତ କରୁଛି। ଆଜି ଧାନ ମଣ୍ଡିରେ ଯେଉଁ ଅଚଳାବସ୍ଥା, ଅରାଜକତା,ଦୁର୍ନୀତି ଓ ଆଶଙ୍କା ଜାତ ହୋଇଛି ଏହା ପାଇଁ ସରକାର ଓ ଜିଲ୍ଳା ପ୍ରଶାସନ ଙ୍କ କାର୍ଯ୍ୟକଳାପ ଓ ନୀତି ସମ୍ପୂର୍ଣ୍ଣ ରୂପେ ଦାୟୀ।ଚାଷୀମାନଙ୍କୁ ନେଇ ଜିଲ୍ଳା ଯୋଗାଣ ଅଧିକାରୀ ଙ୍କ ସହିତ ଆଲୋଚନା କରାଯାଇଥିଲା।ଯଦି ଆଗାମୀ ତିନିଦିନ ମଧ୍ୟରେ ଜିଲ୍ଲାର ମଣ୍ଡି ଗୁଡିକ ଖାଲି କରା ନ ଯାଏ, ଜିଲ୍ଲାର କୌଣସି ଚାଷୀଙ୍କ ଟୋକାନ ଲେପ୍ସ ହେବନାହିଁ କିମ୍ବା ପଞ୍ଜିକୃତ କୌଣସି ଚାଷୀ ଧାନ ବିକ୍ରି ରୁ ବଞ୍ଚୀତ ହେବେନାହିଁ ବୋଲି ପ୍ରତିଶ୍ରୁତି ଦିଆ ନଯାଏ ତେବେ ଭୟଙ୍କର ଚାଷୀ ଆନ୍ଦୋଳନ ହେବ, ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଯେଉଁଥିପାଇଁ ଚାଷୀ ଦାୟୀ ରହିବେ ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଭକ୍ତବନ୍ଧୁ ଧରୁଆ,ବୁଲୁ ବିଶି,ଭୁବନେ ବାଗ ଓ ଅନ୍ୟାନ୍ୟ ଚାଷୀ ନେତା ସାମିଲ ହୋଇଥିଲେ।

Nalco
Leave A Reply