ନୂଆପଡ଼ା : ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ତରଫରୁ ଆବାହକ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଠ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଗଲା। ନୂଆପଡା ଜିଲ୍ଳା ଏକ ଶ୍ରମିକ ସମସ୍ୟା ବହୁଳ ଦାଦନ ପ୍ରବଣ ଜିଲ୍ଲା ଅଟେ।ପ୍ରବାସୀ ଓ ଦାଦନ ଶ୍ରମିକ ଙ୍କ ଅନେକ ନିର୍ଯାତନା, ଶୋଷଣ ଓ କଷଣ ର ହୃଦୟ ବିଦାରକ କାହାଣୀ ସାରା ଜିଲ୍ଲାରେ ଦେଖିବାକୁ ମିଳୁଛି।ନୂଆପଡା ଜିଲ୍ଲାରେ ଲକ୍ଷାଧିକ ପଞ୍ଜିକୃତ ନିର୍ମାଣ ଶ୍ରମିକ ଅଛନ୍ତି। ଏ ସମସ୍ତ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା, କାମ ଧନ୍ଦା ଯୋଗାଣ,ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଲାଗୁ କରି ଶ୍ରମିକ ପର୍ଯ୍ୟନ୍ତ ପହଞ୍ଚେଇବା, ନିର୍ଯ୍ୟାତିତ ଦାଦନ ଶ୍ରମିକ ଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରିବା,ବିଭିନ୍ନ ଅଭିଯୋଗ ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବା କାମ ପାଇଁ ଦାୟିତ୍ୱରେ ଥିବା ଶ୍ରମ ବିଭାଗ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନୂଆପଡା ଜିଲ୍ଲାରେ ଆଦୋୖ କାମ କରୁନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା ଯେତେ ଦାବିକଲେ କି ଆଲୋଚନା କଲେ ମଧ୍ୟ ସୁଫଳ ମିଳୁ ନାହିଁ। ଏଥିପାଇଁ ଗତକାଲି ଜିଲ୍ଲାର ସମସ୍ତ ପ୍ରମୁଖ ଶ୍ରମିକ ସଂଗଠନ ମାନେ ଏକଜୁଟ ହୋଇ ମହାସଙ୍ଘ ଗଠନ କରି ଶ୍ରମିକ ଙ୍କୁ ହକ ଓ ନ୍ୟାୟ ଦେବା ପାଇଁ ଲଢ଼ିବାକୁ ସଙ୍କଳ୍ପ ନିଆଯାଇଛି। ତତ୍ ମୁତାବକ ଆଜି ନୂଆପଡା ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏଗାର ଦଫା ଦାବିପତ୍ର ପ୍ରଦାନ କରାଗଲା। ଜିଲ୍ଲା ସଦରମହାକୁମା କୁ ଶ୍ରମ କାର୍ଯ୍ୟାଳୟ କୁ ଖରିଆର ରୋଡ଼ ରୁ ସ୍ଥାନାନ୍ତର କରିବା, ଖାଲି ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ କରିବା,ପ୍ରତ୍ୟେକ ବ୍ଲକ୍ ରେ ଶ୍ରମ ଅଧିକାରୀ ନିଯୁକ୍ତି କରିବା, କୋଭିଡ ସହାୟତା ରାଶି ତୁରନ୍ତ ସମସ୍ତ ଶ୍ରମିକ ଙ୍କୁ ପ୍ରଦାନ କରିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ପଡିରହିଥିବା ସହାୟତା ରାଶି ଯଥା ଯନ୍ତ୍ରପାତି, ବିବାହ, ମୃତ୍ୟୁକାଳୀନ, ପ୍ରସବ କାଳୀନ ଚିକିତ୍ସା, ସୁରକ୍ଷା ଉପକରଣ,ଛାତ୍ର ଙ୍କ ଶିକ୍ଷା ବୃତ୍ତି, ଘର ତିଆରି ସହାୟତା ଇତ୍ୟାଦି ଅନେକ ଆବେଦନ ପତ୍ର ର ତୁରନ୍ତ ସମାଧାନ କରି ମଞ୍ଜୁର କରିବା ପାଇଁ ଦାବି କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ପରେଏହି ସବୁ ସମସ୍ୟା ଓ ଦାବି ଉପରେ ଜିଲ୍ଲାପାଳ ଙ୍କ ସହିତ ତାଙ୍କ ପ୍ରକୋଷ୍ଠରେ ମହାସଙ୍ଘ ର ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରମିକ ମାନଙ୍କ ଦାବି ଓ ସମସ୍ୟା ଆଗରୁ ସରକାର ଙ୍କୁ ଜଣେଇଥିଲି ଓ ପୁଣି ଜଣେଇବା ସହିତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। ଯଦି ସମସ୍ୟାର ଶୀଘ୍ର ସମାଧାନ କରା ନ ଯିବ ତେବେ ଜୋରଦାର ଆନ୍ଦୋଳନ ମାଧ୍ୟମରେ ପ୍ରଶାସନ କୁ ଅଚଳ କରିବା ସହିତ ଜୋରଦାର ଜବାଵ ଦିଆଯିବ ବୋଲି ମହାସଙ୍ଘ ଚେତାବନୀ ଦେଇଛି। ଏହି ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମହାସଙ୍ଘ ର ଅନ୍ୟତମ ବରିଷ୍ଠ ନେତା ଶ୍ରୀ କେଶବ ବେହେରା, ଶୁକ୍ଳାମ୍ବର ନିଆଲ, କୋଦଣ୍ଡ ରାଉତରାୟ, ସୁଖଦେଓ ସାହୁ, ଅନିରୁଦ୍ଧ ନାଗ, ଜ୍ଞାନରଞ୍ଜନ ସାହୁ, ପ୍ରେମଲାଲ ନାଏକ, ଧର୍ମୁ ନାଏକ, ପରମାନନ୍ଦ ହଂସ, ରଶ୍ମିରଞ୍ଜନ ରଣା, ଉଗ୍ରେସନ ମାଝୀ, ଚନ୍ଦ୍ରକାନ୍ତ ମାଝୀ, ହେମଚନ୍ଦ୍ର ଧାକଡ଼,ଅଭିଷେକ ମଶ୍ରା ପ୍ରମୁଖ ଶ୍ରମିକ ନେତା ସାମିଲ ହୋଇ ସହଯୋଗ କରିଥିଲେ।
Comments are closed.