ନୂଆପଡ଼ା ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୫ ହଜାର ୭୬୯ ମାମଲାର ସମାଧାନ ସହ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଆଦାୟ
ନୂଆପଡ଼ା : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଆନୁକୂଲ୍ୟରେ ଚଳିତ ବର୍ଷର ଦ୍ୱିତୀୟ ‘ରାଷ୍ଟ୍ରୀୟ ଲୋକ ଅଦାଲତ’ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅଦାଲତରେ ବିଭିନ୍ନ ବର୍ଗର ମୋଟ ୫,୭୯୬ ଗୋଟି ମାମଲାର ବିଚାର କରାଯାଇଥିଲା। ଏଥିମଧ୍ୟରେ ପାରିବାରିକ ବିବାଦ, ଚେକ୍ ବାଉନ୍ସ, ଦେୱାନୀ ମାମଲା, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ଖାଉଟି ଓ ରାଜସ୍ୱ ସମ୍ବନ୍ଧୀୟ ମାମଲା ଅନ୍ତର୍ଭୁକ୍ତ ଥିଲା। ଆପୋଷ ବୁଝାମଣା ଜରିଆରେ ଏହି ମାମଲାଗୁଡ଼ିକରୁ ମୋଟ ୧,୮୩,୨୪,୦୨୦/- ଟଙ୍କାର ସମାଧାନ କରାଯାଇଛି।
ସେହିପରି ବ୍ୟାଙ୍କ ବକେୟା ୠଣ ଓ ବିଦ୍ୟୁତ୍ ଶୁକ୍ଳ ସମ୍ବନ୍ଧୀୟ ୧୭୮ ଗୋଟି ମାମଲାର ସମାଧାନ କରାଯାଇ ୩୮,୨୨,୮୨୯/- ଟଙ୍କା ଆଦାୟ କରାଯାଇଛି।
ଲୋକ ଅଦାଲତର ବିଭିନ୍ନ ବେଞ୍ଚରେ ବିଚାରପତି ଭାବେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁନୀଲ କୁମାର ଦାସ, ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ଖଡ଼ିଆଳ ବରିଷ୍ଠ ଦେୱାନୀ ଜଜ୍ ଇଶା ପତି, ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ ଏବଂ ଜେ.ଏମ.ଏଫ୍.ସି ସ୍ତରୀୟ ବିଚାରପତି ସମୃଦ୍ଧି ସାଗରିକା ବାରିକ (କୋମନା), ପ୍ରଜ୍ଞା ପାରମିତା ମହାନ୍ତି (ସିନାପାଲି), ସମିକ୍ଷା ସା (ଖଡ଼ିଆଳ) ଓ ରାଜେଶ କୁମାର ଦାସ (ବୋଡେନ) ପ୍ରମୁଖ ଯୋଗଦେଇ ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିଥିଲେ।
ଏ ସମ୍ପର୍କ ରେ ପୁର୍ବରୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଇଥିଲା।
ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଏହି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଲୋକ ଅଦାଲତ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ପାଇଁ ଜିଲ୍ଲା ସାରା ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ଏବଂ ବିଦ୍ୟୁତ୍ ବିଭାଗର ଗାଡ଼ି ସହାୟତାରେ ପ୍ରଚାର କରାଯାଇଥିଲା।
ଅଧିକାର ମିତ୍ରଙ୍କ ଜରିଆରେ ସାପ୍ତାହିକ ହାଟ ଓ ଜନଗହଳି ସ୍ଥାନରେ ଲିଫ୍ଲେଟ୍ ବଣ୍ଟନ କରାଯାଇଥିଲା।
ନୂଆପଡ଼ା ବସ ଷ୍ଟାଣ୍ଡ୍ ଓ ଖଡ଼ିଆଳ ଆହାର କେନ୍ଦ୍ରରେ ଥିବା ଏଲଇଡି ମନିଟରରେ ସ୍ୱତନ୍ତ୍ର ଭିଡିଓ ପ୍ରସାରଣ କରାଯାଇଥିଲା।
ଏହି ସଫଳତା ପାଇଁ ସଚିବ ସୁଶ୍ରୀ ଦାଶ ଜିଲ୍ଲା ପ୍ରଶାସନ, ବିଭିନ୍ନ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଦ୍ୟୁତ୍ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି। ବିନା ଖର୍ଚ୍ଚରେ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ମାମଲାର ସମାଧାନ ପାଇଁ ଲୋକ ଅଦାଲତ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ସେ ମତ ପ୍ରକାଶ କରିଛନ୍ତି।