ନୂଆପଡ଼ା -୧୦/୫ (ସୁରେନ୍ଦ୍ର ତିୱାରୀ): ନୂଆପଡ଼ା ସଦର ଥାନା ଟାନୱାଟ ଗାଁରେ ଶନିବାର ସାନ ଭାଇଙ୍କ ଠେଙ୍ଗାମାଡରେ ବଡଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁନିଚନ ବିଶ୍ୱାଳ (୪୮)। ଏ ନେଇ ମୃତକଙ୍କ ପତ୍ନୀ କମଲି ବିଶ୍ୱାଳ ନୂଆପଡା ସଦର ଥାନାରେ ସାନଭାଇ ନିମିଚନ ବିଶ୍ୱାଳ (୩୫)ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଟାନୱାଟ ଗାଁର ବଡବନ୍ଧ ର ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ପୋଖରୀରୁ ବାହାରୁଥିବା ପଙ୍କକୁ ଟ୍ରାକ୍ଟର ସାହାଯ୍ୟରେ ଅନ୍ୟତ୍ର ଫିଙ୍ଗା ଯାଉଛି। ପୁନିଚନ ଟ୍ରାକ୍ଟରରେ ପଙ୍କ ଲୋଡ କରି ଗାଁ ଭିତରେ ନେଉଥିଲେ। ସେହି ସମୟରେ ନେମିଚନଙ୍କ ଘର ଛାତରେ ଟ୍ରାକ୍ଟର ଲାଗି ଯାଇ କେତୋଟି ଖପର ତଳେ ପଡି ଯାଇଥିଲା। ସେଥିରେ ନେମିଚନ ରାଗିଯାଇ ଏକ ଠେଙ୍ଗା ସାହାଯ୍ୟରେ ବଡଭାଇଙ୍କୁ ମାଡ ମାରିବା ସହ ଗାମୁଛା ବେକରେ ଗୁଡାଇ ଘୋଷାରି ନେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଦଳ ଛାନଭିନ କରୁଛନ୍ତି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଘରର ମୁଖିଆ ଚାଲିଯିବା ପରେ ତାଙ୍କ ୨ ଝିଅ,୨ ପୁଅ ଓ ସ୍ତ୍ରୀ ଦୁଃଖରେ ଅଛନ୍ତି।