ସାଇପ୍ରସାଦ ସାହୁ : ସଂସ୍କୃତି ହେଉଛି ଗୋଟିଏ ଜାତି ପାଇଁ ଅସ୍ମିତାର ପରିଚାୟକ | ସାଂସ୍କୃତିକ ବିକାଶ ହିଁ ଗୋଟିଏ ଦେଶ ବା ଗୋଟିଏ ଜାତିର ପ୍ରଗତିର ମୂଳଧାର | ଏହାର କିଛି ବିକଳ୍ପ ନାହିଁ | ତେଣୁ ବଳିଷ୍ଟ ପରମ୍ପରା ଓ ଗରିଷ୍ଠ ସଂସ୍କୃତିର ପ୍ରତୀକ ହେଉଛି ନୂଆଁଖାଇ ପର୍ବ | ଭାରତୀୟ ଧର୍ମ ,ସଂସ୍କୃତି ଓ ପରମ୍ପରାରେ ନୂଆଁଖାଇ ପର୍ବ ବା ନବାନ୍ନ ଭକ୍ଷଣ ବିଧି ବହୁ ପ୍ରାଚୀନ | ପଶ୍ଚିମ ଓଡିଶାର ଏହି ସ୍ଵାଭିମାନ ପର୍ବ “ନୂଆଁଖାଇ” ଏକ ମହାନ ପର୍ବ ଏବଂ “ଗଣପର୍ବ” ରୂପେ ଆଖ୍ୟାୟିତ |
ଏହା ପଶ୍ଚିମ ଓଡିଶାର କଳା, ସଂସ୍କୃତି , ଭାଷା , ପରମ୍ପରା ,ଚାଲି-ଚଲଣ ଏବଂ ସର୍ବୋପରି ଭାବାବେଗ ସହିତ ଓତଃ ପ୍ରୋତଃ ଭାବେ ଜଡିତ | ଅନ୍ନର ମହିମାରେ ମହିମାନ୍ନିତ ନବାନ୍ନ ବା ନୂଆଁଖାଇ ପର୍ବ ପାଳନର ଗରୀୟାନ ପରମ୍ପରା ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ | ମଣିଷ ,ପ୍ରକୃତି ଓ ଇଶ୍ଵରଙ୍କୁ ଏକାଠି ସଂଯୁକ୍ତ କରି ରଖିବାର ସଂଯୋଗ ସେତୁ ହେଉଛି ନୂଆଁଖାଇ | ନିଜସ୍ଵ ମହତ୍ଵରେ ମହୀୟାନ ଏହି କୃଷିଭିତ୍ତିକ ଗଣପର୍ବ ଜନସାଧାରଣଙ୍କ ହୃଦୟରେ ଆଶା ଓ ଉଦ୍ଦୀପନା ସୃଷ୍ଟି କରି ଜୀବନର ପୂର୍ଣ୍ଣତା ଆଡକୁ ବାଟ କଢାଇ ନିଏ ଏବଂ ବସୁଧୈଵ କୁଟୁମ୍ବକମ୍ ର ମନ୍ତ୍ର ଉଦ୍ ଘୋଷଣା କରେ |
ପ୍ରକୃତି ଓ ପରିବେଶକୁ ପୂଜା କରିବା, ଆଧ୍ୟାତ୍ମିକ ଭାବନାରେ ଉଦ୍ ବୁଦ୍ଧ ହେବା, ଉପକାରୀ ପ୍ରତି କୃତଜ୍ଞାତା ଜ୍ଞାପନ କରିବା , ପରସ୍ପର ବାଣ୍ଟି ଖାଇବା ଏବଂ ଗୁରୁଜନ ମାନଙ୍କୁ ସମ୍ମାନ ଜଣାଇବା ହେଉଛି ଏହି ପର୍ବର ବିଶେଷତ୍ଵ | ନିଜସ୍ଵ ଜ୍ଞାନକୌଶଳକୁ ପ୍ରୟୋଗ କରି ମନୁଷ୍ୟ ଧରଣୀ ମା’ ର ବକ୍ଷରେ ଆରମ୍ଭ କରିଥିଲା କୃଷି କାର୍ଯ୍ୟ | ପ୍ରକୃତିର ଉପାସକ ଏହି ଆଦିମାନବ ନିଜ ଉତ୍ପାଦିତ ପ୍ରଥମ ଶସ୍ୟକୁ ପୃଥିବୀ ମାତାଙ୍କୁ ସମର୍ପଣ କରିବାର ଧର୍ମୀୟ ଧାରଣାରୁ ହିଁ ଆରମ୍ଭ ହୋଇଛି ଏହି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ | ନୂଆଁଖାଇ ବା ନବାନ୍ନ ପଶ୍ଚିମ ଓଡିଶାର ଜନଜୀବନ ଧାରାରେ ବହୁ ଆବହମାନ କାଳରୁ ପ୍ରଚଳିତ |
ନୂଆଁଖାଇ ପ୍ରକୃତିର ପାର୍ବଣ | ପଶ୍ଚିମ ଓଡିଶାର ପ୍ରତ୍ୟେକଟି ପରିବାର ଏହି ପାର୍ବଣ ସହ ଅଙ୍ଗାଙ୍ଗୀ ଭାବେ ଜଡିତ | ସେଥିପାଇଁ ଏହି ପର୍ବ ମୁଖ୍ୟ ପାରିବାରିକ ତଥା ସାମାଜିକ ପାର୍ବଣର ମାନ୍ୟତା ପାଇଛି | ପ୍ରତ୍ୟେକଟି ପରିବାରର ଅଧିଷ୍ଠାତ୍ରୀ ଦେବାଦେବୀ ଓ ପୂର୍ବପୁରୁଷଙ୍କୁ ମୁଖ୍ୟତଃ ଏହି ପର୍ବରେ ଉପାସନା କରିଥାନ୍ତି | ପରିବାରର ବୟୋଜେଷ୍ଠ ବ୍ୟକ୍ତି ହିଁ ଏହି ପର୍ବରେ ମୁଖ୍ୟ ଦାଇତ୍ଵ ନିର୍ବାହ କରିଥାଆନ୍ତି | ପର୍ବର ପ୍ରାରମ୍ଭିକ ପର୍ଯ୍ୟାୟ କୃଷିକ୍ଷେତ୍ରରୁ ଆରମ୍ଭ ହୁଏ ଏବଂ କୃଷିକ୍ଷେତ୍ରରୁ ଉତ୍ପାଦିତ ନୂତନ ଶସ୍ୟରୁ ନୂଆ ଚାଉଳ ପ୍ରସ୍ତୁତ କରାଯାଏ |
ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀ ,ବଲାଙ୍ଗୀରରେ ପାଟଣେଶ୍ଵରୀ ,ସୋନପୁରରେ ସୁରେଶ୍ଵରୀ ଓ କଳାହାଣ୍ଡିରେ ମା’ ମାଣିକେଶ୍ଵରୀଙ୍କ ପୀଠରେ ଏହି ନବାନ୍ନ ଭୋଗ ପ୍ରସ୍ତୁତି ପାଇଁ ଭାଦ୍ରବ ମାସରେ ଅମଳ ହେଉଥିବା ଏକ ସ୍ଵତନ୍ତ୍ର ; ଛୋଟ ସରିଆ ଧାନକୁ ପୂର୍ବରୁ ବୁଣାଯାଏ | ଏବଂ ପ୍ରତି ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ଏକ ନିର୍ଦିଷ୍ଠ ସମୟରେ ନବାନ୍ନ ଭୋଗ ଲଗାଯିବା ପାଇଁ ପଣ୍ଡିତ ମାନଙ୍କ ଦ୍ଵାରା ଲଗ୍ନ ନିର୍ଦ୍ଧାରଣ କରାଯାଏ | ଏହାକୁ ନୂଆଁଖାଇର ଲଗ୍ନଧାର୍ଯ୍ୟ ନୀତି କୁହାଯାଏ | ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପଶ୍ଚିମ ଓଡିଶାର ପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇ ଉଠେ | ନିଜ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କଠାରେ ନବାନ୍ନ ଅର୍ପଣ କରିସାରିବା ପରେ ପରିବାରର ମୁଖ୍ୟ ଘରର ଦେବାଦେବୀ ଓ ପିତୃପୁରୁଷଙ୍କ ନିକଟରେ ନବାନ୍ନ ଅର୍ପଣ କରନ୍ତି | ଏହା ପରେ ପରିବାରର ସମସ୍ତେ ଏକାଠି ହୋଇ ନୂଆଁ ଖାଇଥାନ୍ତି |
ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ଏହି ତିଥି ପଡୁଛି | ନୂଆଁଖାଇ ଏକ କୃଷିଭିତ୍ତିକ ଏବଂ ଅନନ୍ୟ ପର୍ବ ହୋଇଥିବାବେଳେ ପଶ୍ଚିମାଞ୍ଚଳର ସମସ୍ତ ପୁରପଲ୍ଲି ଏଥିପାଇଁ ଖୁଵ୍ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥାଏ | ନବାନ୍ନ ପାଳନର ପୂର୍ବ ପ୍ରସ୍ତୁତି ପ୍ରାୟ ସପ୍ତାହେ ପୂର୍ବରୁ ଆରମ୍ଭ ହୋଇଥାଏ | ପ୍ରକୃତିର ପାର୍ବଣ ମାନ୍ୟତା ପାଇଥିବା ନବାନ୍ନ ବା ନୂଆଁଖାଇ ପର୍ବରେ ନୂତନ ଶସ୍ୟ ଏବଂ ଏହି ଋତୁରେ ଉତ୍ପାଦିତ ସମସ୍ତ ପନିପରିବାକୁ ନବାନ୍ନ ରୂପେ ଲଗାଯାଏ | ନୂଆଁଖାଇ ଦିନ ପ୍ରାତଃ କାଳରୁ ଘରର ବହୁମାନେ ସ୍ନାନାଦି ନିତ୍ୟ କର୍ମ ସମାପନ କରି ଘରେ ନୂତନ ଶସ୍ୟରେ ଅନ୍ନ ,କ୍ଷୀର ,କାକରା,ଆରିଷା ଆଦି ସ୍ଵାଦିଷ୍ଠ ପିଠାପଣା ଓ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି |
ଏହା ପରେ ପରିବାରର ସମସ୍ତ ସଦସ୍ୟ ପ୍ରଭାତ ସମୟରୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ ସାଙ୍ଗକୁ ଘରର ମୁଖିଆ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ସମର୍ପଣ କରନ୍ତି | ନୂଆ ଅରୁଆ ଚାଉଳ,ଧୂପ,ଦୀପ ସମର୍ପଣ ପୂର୍ବକ ଅଧିକ ଅମଳ ପାଇଁ କୃଷିକ୍ଷେତ୍ରକୁ ଯାଇ ପୃଥିବୀ ମାତାଙ୍କୁ ଉପାସନା ଓ ପୂଜାର୍ଚ୍ଚନା କରିଥାନ୍ତି | ଭିନ୍ନ ଭିନ୍ନ ସମ୍ପ୍ରଦାୟରେ କୁରେଇ ,ମହୁଲ,ଶାଳ ଆଦି ପତ୍ରରେ ନବାନ୍ନ ଅର୍ପଣ କରାଯିବାର ବିଧି ବ୍ୟବସ୍ତା ରହିଛି | ନୂଆ ଚାଉଳରୁ ପ୍ରସ୍ତୁତ ଖିରୀ, ପିଠା , ଏବଂ ବିଭିନ୍ନ ପନିପରିବାରେ ପ୍ରସ୍ତୁତ ବ୍ୟଞ୍ଜନ , ବନଜାତ ବାଉଁଶ କରଡିରେ ତିଆରି ଆମ୍ବୁଲ ଖଟା ଆଦି ଅନେକ ଖାଦ୍ୟର ସମ୍ଭାରକୁ ଶାଳପତ୍ରରେ ତିଆରି ଖଲି ଓ ଦନାରେ ପରଷା ଯାଇଥାଏ | ନୂଆଁଖାଇର ଗୁରୁତ୍ଵ ଅତୀତ ଠାରୁ ଆରମ୍ଭ କରି ଭବିଷ୍ୟତ ଯାଏଁ ଲମ୍ବିଯାଇଛି | ଏହି ପର୍ବ ଯେତେ ପ୍ରାଚୀନ; ତା’ର ଲକ୍ଷ୍ୟ,ଉଦ୍ଦେଶ୍ୟ ମଧ୍ୟ ସେଭଳି ନିତ୍ୟ ନୂତନ ଓ ଚିର ସବୁଜ | ସମ୍ବଲପୁରୀ ଭାଷାରେ କଥାଟିଏ ଅଛି, “ ଜିଁ ଜାଗିଥିଲେ ବଛ୍ ରେ ” |
ଅର୍ଥାତ୍ ; ଏହି ବର୍ଷ ଆସ ନୂଆଁଖାଇବା , ଜୀବନ ଥିଲେ ପୁଣି ଆଗାମୀ ବର୍ଷ ଈଶ୍ଵରଙ୍କ ଆଶୀର୍ବାଦରୁ ଏକାଠି ହେବା | ପର୍ବର ଦ୍ଵିତୀୟ ପର୍ଯ୍ୟାୟରେ “ ଜୁହାର୍ ଭେଟ୍ ଘାଟ୍ ” ପ୍ରଥାରେ ପରିବାର ତଥା ଗ୍ରାମର ବୟୋଜେଷ୍ଠ ସଦସ୍ୟଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ ନେବା , ସମସ୍ତ ପ୍ରକାର ତିକ୍ତତାକୁ ଭୁଲି ଭାଇଚାର ବନ୍ଧନରେ ବାନ୍ଧି ହେବା ଏକ ଅନନ୍ୟ ପରମ୍ପରା | କେବଳ ଯେ ପାରିବାରିକ କ୍ଷେତ୍ରରେ ଏହା ସହଂତ ଓ ସମ୍ପର୍କ ସ୍ଥାପନା କରେ ତାହା ନୁହେଁ ; ସାମାଜିକ କ୍ଷେତ୍ରରେ ମଧ୍ୟ ଏହାର ଢ଼େର୍ ଉପଦେୟତା ରହିଛି | କୃଷିଭିତ୍ତିକ ,ଧର୍ମଭିତ୍ତିକ ଓ ପ୍ରାଚୀନ ପରମ୍ପରାର ବାର୍ତ୍ତାବାହକ ନୂଆଁଖାଇ ଆମକୁ ତ୍ୟାଗ,ନିଷ୍ଠା,ସେବା,ଭକ୍ତି ଓ ଇଶ୍ଵର ବିଶ୍ଵାସ ସମ୍ବନ୍ଧରେ ଆମକୁ ଶିକ୍ଷା ଦେଇଥାଏ | ଭାଇଚାରା ବାର୍ତ୍ତାବହନ କରୁଥିବା ଏହି ନବାନ୍ନ ବା ନୂଆଖାଇ ପର୍ବ ପ୍ରକୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ଏବଂ ଏହି କୃଷିଭିତ୍ତିକ ଗଣପର୍ବ ଯଥାର୍ଥରେ ପ୍ରକୃତିର ପାର୍ବଣ |