ନିରାକାରପୁର: ୨୮/୦୩ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ଜଗଜ୍ଜନନୀ କଲ୍ୟାଣମୟୀ ମା ବନଦୁର୍ଗାଙ୍କ ପୀଠରେ ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ସପ୍ତମ ଦିବସରେ ମା କାଳରାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ମଙ୍ଗଳ ଆଳତି, ବାଳଭୋଗ ସକାଳ ଧୂପ, ତ୍ରିଦିବସୀୟ ଯଜ୍ଞର ପ୍ରଥମ ଦିବସରେ କଳଶ ଯାତ୍ରା, ଦେବାଦେବୀଙ୍କୁ ଆବାହନ ପୂଜନ ଓ ହବନ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତୀ ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ମା କାଳରାତ୍ରୀ ଙ୍କୁ ପୂଜାର୍ଚ୍ଚନା କଲେ ସକଳ କାମନା ସିଦ୍ଧି ଲାଭ ହେବା ସହିତ ଶତ୍ରୁ ଦମନ ଓ ସମସ୍ତ ଉପଦ୍ରବ ଶାନ୍ତି ହୋଇଥାଏ । ଶିକ୍ଷାବିତ ନଗେନ୍ଦ୍ର ନାଥ ଦତ, ସମାଜ ସେବୀ ଦିଲ୍ଲୀପ କୁମାର ସାହୁ, ପୂଜକ ଡଃ କୃପାସିନ୍ଧୁ ପଣ୍ଡା, ତପନ କୁମାର ମହାପାତ୍ର, ପ୍ରସନ୍ନ ମାହାନ୍ତି , ବେଦ ବିଦ୍ୟାଳୟର ଛାତ୍ରମାନେ ଓ ଗ୍ରାମର ବହୁ ଭକ୍ତମାନେ ଉପସ୍ଥିତ ରହି ଆଧ୍ୟାତ୍ମିକ ପରିବେଶରେ ମା’ଙ୍କ କୃପା ଲାଭ କରିଥିଲେ।
