Odisha news

ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ଜାଲ ଦସ୍ତଖତ ଦୁର୍ନୀତି ମାମଲା , ତଦନ୍ତ ପରେ ଦସ୍ତଖତ ଜାଲିଆତି ହୋଇଥିବା କହିଲେ ଉପ-ଜିଲ୍ଲାପାଳ, ଜିଲ୍ଲାପାଳ ନେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ନିଷ୍ପତ୍ତି

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କୋଟି କୋଟି ଟଙ୍କାର ସରକାରୀ ଉନ୍ନୟନ ଅର୍ଥ ଜାଲିଆତି ହୋଇଛି । ଏହା ପୁଣି ବ୍ଲକ ଅଧ୍ୟକ୍ଷାଙ୍କ ନାମରେ ଜାଲ ଦସ୍ତଖତ ବଳରେ ଜାଲିଆତି ଅଭିଯୋଗକୁ ଉପ-ଜିଲ୍ଲାପାଳ ନିଶ୍ଚିତ କରିଛନ୍ତି । ଭାପୁର ବ୍ଲକ ବିଦାୟୀ ଅଧ୍ୟକ୍ଷାଙ୍କ ଅଭିଯୋଗ ଉପରେ ତଦନ୍ତ କରି ବ୍ଲକସ୍ତରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କିତ ସରକାରୀ ଫାଇଲରେ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ନାମରେ ଜାଲ ଦସ୍ତଖତ ହୋଇଥିବା ଖାଲି ଆଖିରେ ଜଣାପଡ଼ୁଛି ବୋଲି କହିଛନ୍ତି ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଷ୍ପତ୍ତି ଜିଲ୍ଲାପାଳଙ୍କର ବୋଲି ଉପ-ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି ।

ଜନସାଧାରଣଙ୍କ ମଙ୍ଗଳ ଉଦେଶ୍ୟରେ ଉଦ୍ଦିଷ୍ଠ ସରକାରୀ ଉନ୍ନୟନ ମୂଳକ ଅର୍ଥ ଯେପରି ବାଟମାରଣା ନହୋଇ ଶତ ପ୍ରତିଶତ କାର୍ଯ୍ୟରେ ଲାଗିବ ତାହାର ଉତ୍ତର ଦାୟୀତ୍ୱ ପ୍ରଶାସନିକ ବ୍ୟବସ୍ଥା ଉପରେ ନ୍ୟସ୍ତ ରହିଛି । ହେଲେ ନୟାଗଡ଼ ଜିଲ୍ଲାରେ ଲୋକ ପ୍ରତିନିଧିଙ୍କ ନାମରେ ଜାଲ ଦସ୍ତଖତ କରି କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଲୁଟ ଅଭିଯୋଗ ଏବେ ସତ୍ୟରେ ପ୍ରମାଣିତ ହେବାକୁ ଯାଉଛି । ଜିଲ୍ଲାର ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ଜାଲ ଦସ୍ତଖତ କରି କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ ଯୋଜନା ଅର୍ଥ ଆତ୍ମସାତ କରା ଯାଇଥିବା ଅଭିଯୋଗକୁ ପ୍ରଶାସନ ସଂପୂର୍ଣ୍ଣ ରୂପେ ସ୍ୱୀକାର କରି ନାହିଁ । ହେଲେ ବର୍ତ୍ତମାନ ସୁଦ୍ଧା ଅଧ୍ୟକ୍ଷାଙ୍କ ଦସ୍ତଖତ ଜାଲ ହୋଇଥିବା ବିଭିନ୍ନ ଫାଇଲରୁ ଜଣାପଡ଼ିଛି କହିଛନ୍ତି ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ ।

ଗଣମାଧ୍ୟମ ଆଗରେ ଉପ-ଜିଲ୍ଲାପାଳ ରାଉତଙ୍କ ସୂଚନା ଭାପୁର ବ୍ଲକରେ ଚାଲିଥିବା ଖୋଲାଖୋଲି ଦୁର୍ନୀତି ପ୍ରସଙ୍ଗ ସଂପର୍କରେ ଅନେକ କଥା ବୟାନ କରୁଛି ।

ବ୍ଲକସ୍ତରରେ ସରକାରୀ ଅର୍ଥର ଲୁଟ ନେଇ ଗତ ଜୁଲାଇ ମାସରେ ଅଧ୍ୟକ୍ଷା ଶାନ୍ତିଲତା ବେହେରା ସାଘାତିକ ଅଭିଯୋଗ ଆଣିଥିଲେ । ସେଥିରେ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଓ ଅନ୍ୟ କେତେକ ସହଯୋଗୀ ଅଧ୍ୟକ୍ଷା ଶାନ୍ତିଲତାଙ୍କ ଜାଲ ଦସ୍ତଖତ କରି କୋଟି କୋଟି ଟଙ୍କା ସରକାରୀ ଅର୍ଥ ବାଟମାରଣା କରିଥିବା ଅଭିଯୋଗ ହୋଇଥିଲା । ବ୍ଲକରେ ଏପରି ଜଘନ୍ୟ ଦୁର୍ନୀତି ସଂପର୍କରେ ଅଧ୍ୟକ୍ଷା ଶାନ୍ତିଲତା ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଅଧ୍ୟକ୍ଷା ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡ଼ୁ, ପିଡ଼ି ସୁବାଷ ରାୟ, ଜିଲ୍ଲା ଭିଜିଲାନ୍ସ ଅଧିକାରୀ ଓ ରାଜ୍ୟସ୍ତରୀୟ ବହୁ ପଦସ୍ତ ଅଧିକାରୀଙ୍କ ନିକଟକୁ ଆପତ୍ତି ପତ୍ର ପଠାଇ ଥିଲେ ।

ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ ବିଗତ ଦୁଇ ବର୍ଷ ଧରି ବ୍ଲକ କାର୍ଯ୍ୟଳୟରେ ତା’ଙ୍କୁ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିବାକୁ ସୁଯୋଗ ଦିଆଯାଇ ନଥିବା, ସମସ୍ତ ସରକାରୀ କାର୍ଯ୍ୟରୁ ଦୂରେଇ ରଖାଯିବା ଏବଂ ଅଧ୍ୟକ୍ଷାଙ୍କ ନାମରେ ଜାଲ ଦସ୍ତଖତ କରି ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଏବଂ ଅନ୍ୟମାନେ ବହୁ କୋଟି ଟଙ୍କା ଆତ୍ମସାତ କରିଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ପରେ ପରେ ଶାନ୍ତିଲତାଙ୍କ ବିରୋଧରେ ଅନାସ୍ଥା ଆଗତ ହୋଇଥିଲା । ଅନାସ୍ଥା ପ୍ରସ୍ଥାବକୁ ଗ୍ରହଣ କରି ପ୍ରଶସନ ପକ୍ଷରୁ ଚଳିତ ମାସ ୧୭ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ସେଥିରେ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କୁ ପଦ ହରାଇବାକୁ ପଡ଼ିଛି ।

“ବ୍ଳକରେ ଚାଲିଥିବା ଜାଲିଆତି କାରବାର ଓ ଅର୍ଥ ଲୁଟ ଘଟଣା ପଦାରେ ପକାଇବା କୁ ନେଇ ଅନାସ୍ଥା ପ୍ରସ୍ଥାବରେ ମୋତେ ପଦଚୁ୍ୟତ କରିବାରେ ସେମାନେ ସଫଳ ହୋଛନ୍ତି ସତ, ହେଲେ ଏହା ମୋ ବିରୁଦ୍ଧରେ କେତେକ ଦୁର୍ନୀତିଗ୍ରସ୍ତ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଷଡ଼ଯନ୍ତ୍ର ଥିଲା” । ଏପରି କହିଛନ୍ତି ପୂର୍ବତନ ଅଧ୍ୟକ୍ଷା ଶାନ୍ତିଲତା ବେହେରା । ଘଟଣାର ନିରପେକ୍ଷ ତଦନ୍ତ ହେଲେ ଅନେକ ଅଧିକାରୀ ଓ କର୍ମଚାରୀଙ୍କ ମୁଖା ଫିଟିଯିବା ସେ ପ୍ରକାଶ କରିଛନ୍ତି । ସେପଟେ ଶାନ୍ତିଲତାଙ୍କ ଅଭିଯୋଗର ତଦନ୍ତ ପରେ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିବା ଉପ-ଜିଲ୍ଲାପାଳ କହିଛନ୍ତି । ଘଟଣାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତ ହେବ, ହେଲେ ଭାପୁର ବ୍ଲକରେ ଚାଲିଥିବା ସାଂଘାତିକ ଜାଲିଆତି ଘଟଣା ସଂପର୍କରେ ବର୍ଷ ବର୍ଷ ଧରି ପ୍ରଶାସନିକ ଅଧିକାରୀ କିପିରି କିଛି ଜାଣି ପାରୁ ନଥିଲେ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି ।

Comments are closed.