Odisha news

ଭଦ୍ରକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର : ନିଜସ୍ୱ ଶୈଳୀରେ ପ୍ରାକୃତିକ ବିପର୍ଯ୍ୟୟ ଖସଡା ପ୍ରସ୍ତୁତ ପାଇଁ ପ୍ରସ୍ତାବ

0

ଭଦ୍ରକ :ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଭଦ୍ରକ ଜିଲ୍ଲାକୁ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନି   । ୧୯୯୯ ମହାବାତ୍ୟା ଠୁ ଆରମ୍ଭ କରି ହୁଡହୁଡ, ଫାଇଲିନ, ତିତିଲି, ଫନି ଓ ନିକଟରେ ଯାଇଥିବା ଅମ୍ପନ ବାତ୍ୟା ଯୋଗୁଁ ଏହି ଜିଲ୍ଳା ସର୍ବଦା କ୍ଷତିଗ୍ରସ୍ତ  । ମୋଟାମୋଟି କହିବାକୁ ଗଲେ ଏହି ଜିଲ୍ଲା ବାତ୍ୟା, ବନ୍ୟା ଏହି ଜିଲ୍ଳାର ଚିର ସହଚର  । ତେଣୁ ବ୍ଲକସ୍ତରରେ ଓ ଜିଲ୍ଳାସ୍ତରୀୟ ପ୍ରଶାସନର ପ୍ରମୁଖ ଅଧିକାରୀଙ୍କୁ ଏଥିପାଇଁ ଅଧିକ ସତର୍କ ହେବାକୁ ପଡିଥାଏ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହୋଇଥାଏ ଧନ ଜୀବନର ସୁରକ୍ଷା । ସ୍ୱଳ୍ପ ସମୟ ମଧ୍ୟରେ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥାଏ ।

ସେଥିଲାଗି ଆବଶ୍ୟକ ପଡୁଥିବା ରଣକୌଶଳ, ଯୋଜନାର ସଠିକ ପରିଚାଳନା କରି ପାରିଲେ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିହେବ ବୋଲି ଆଜି ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଶିବିରରେ ମାଷ୍ଟର ଟ୍ରେନର ଭାବେ ତାଲିମ ଦେଇ ଜିଲ୍ଲାପାଳ ଡ. ଜ୍ଞାନ ଦାସ କହିଛନ୍ତି । ଏହି ଶିବିରରେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର(ସାଧାରଣ), ଅତିରିକ୍ତ ଜିଲ୍ଳାପାଳ ଅରୁଣ କୁମାର ମହାପାତ୍ର(ରାଜସ୍ୱ), ଉପଜିଲ୍ଳାପାଳ ପୀତାମ୍ବର ସାମଲଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ଧମାନଗର ପୌରାଞ୍ଚଳର ନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ  ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଭାବେ ମୁକାବିଲା କରିବାକୁ ପଡେ ସେ ସମ୍ପର୍କରେ ଜିଲ୍ଳାପାଳ ଡ. ଦାସ ବିସ୍ତୃତ ଭାବେ ବୁଝାଇଥିଲେ । ଏଥି ସହିତ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଧାମନଗର ବ୍ଳକର ବିଡିଓ ଏବଂ ତହସିଲଦାରମାନେ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରିବେ ସେମାନଙ୍କ ନିଜସ୍ୱ ଶୈଳୀରେ ଏକ ଖସଡା ପ୍ରସ୍ତୁତ କରି ୧୫ ଦିନ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳଙ୍କ ଠାରେ ଦାଖଲ କରିବାକୁ କହିଥିଲେ ।

Leave A Reply