ନର୍ଲା (ଦୀପକ କୁମାର ଠାକୁର) ସ୍ମାର୍ଟ ସ୍କୁଲ ଗୁଡ଼ିକ କିପରି ଉନ୍ନତ ମାନର ହୋଇ ସମସ୍ତ ସୁବିଧା ଛାତ୍ର ଛାତ୍ରୀଙ୍କୁ ମିଳିପାରିବ ସେଥିପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି। କିନ୍ତୁ କେତେକ ସ୍ଥଳେ ସ୍କୁଲ ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହା ସଫଳ ହେଉନାହିଁ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ବଡଧାରପୁର ପଞ୍ଚାୟତ ଅଧିନରେ ଥିବା ରାତୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ପରିଣତ ହେବା ପରେ ସ୍କୁଲକୁ ଏକ ପ୍ରକାର ନୂଆ ରୂପରେ ଗଢିବା ପରିବର୍ତ୍ତେ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା ଜଣାପଡିଛି। ପୁରୁଣା କୋଠାକୁ ଭାଙ୍ଗି ନୂଆ କୋଠା ନିର୍ମାଣ କରୁଥିବା ପୁରୁଣା କୋଠାର ଇଟା ନୂଆଁ କୋଠାରେ ବ୍ୟବହାର କରୁଥିବା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପୁଣି ବିନା ସୂଚନା ଫଳକରେ କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳୁଛି। ଗାଁ ଗହଳି ମଧ୍ୟରେ ସ୍ମାର୍ଟ ସ୍କୁଲ ନିର୍ମାଣ ହେଉଥିବାରୁ ଠିକାଦାର ନିଜ ମର୍ଜି ଉପରେ କାର୍ଯ୍ୟ କରୁଥିବା ଜଣାପଡିଛି। ତେଣେ ଚଳିତ ପଞ୍ଚାୟତରାଜ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ କାର୍ଯ୍ୟ ବ୍ୟସ୍ତ ରହୁଥିବାରୁ ଠିକାଦାର ଯେଣତେଣ ପ୍ରକାରରେ କାର୍ଯ୍ୟ ସାରିଦେବାକୁ ବସିଛନ୍ତି। ପୁରୁଣା ଇଟା ନୂତନ କୋଠାରେ ବ୍ୟବହାର ବିଷୟ ସ୍କୁଲ ପ୍ରଧାନ ଶିକ୍ଷକ କହିବା ଅନୁସାରେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରାଯାଉଛି। ତେଣେ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ମନୋଜ କୁମାର ସ୍ୱାଇଁ ସନ୍ତୋଷ ଜନକ ଉତ୍ତର ନ ଦେବା ବିଷୟ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 5ଟି ଅଧିନରେ ଥିବା ଶିକ୍ଷା ବିଭାଗର ଏତାଦୃଶ କାର୍ଯ କଳାପକୁ ଜନସାଧାରଣ ସହଯେ ହଜମ କରିପାରୁ ନାହାଁନ୍ତି। ଏଥିରେ ଜେଇ, ଠିକାଦାରଙ୍କ ବିନା ଅନୁପସ୍ଥିତିରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ରଡ ବାଇଡିଙ୍ଗ କାର୍ଯ୍ୟ ତଦାରଖ କରୁ ନ ଥିବା ଯୋଗୁ ଏହା ମନମୁଖୀ କାର୍ଯ୍ୟ ହେଉଥିବା ସ୍ପଷ୍ଟ ଭାବରେ ଚିତ୍ରିତ ହେଉଛି। ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଦୁର୍ଗମ ଅଞ୍ଚଳଗୁଡିକରେ ଥିବା ସରକାରୀ ସ୍କୁଲ ଗୁଡ଼ିକ ମଧ୍ୟରୁ ବଡଧାରପୁର ପଞ୍ଚାୟତ ରାତୁଲ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୩୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ କିନ୍ତୁ ନିମ୍ନମାନର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି।