Odisha news

ଅସହାୟ ଗରିବ ପରିବାର ପ୍ରତି ସହାୟ ହେଲେ ପୂର୍ବତନ ସରପଂଚ

ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭୁର୍ଟିଗଡ ପଞ୍ଚାୟତର କାଦୋମସ୍କା ଗ୍ରାମର ଭକ୍ତ ନାଏକ (୧୮ବର୍ଷ) ବହୁ ଦିନରୁ ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ।ଭକ୍ତ ନାଏକଙ୍କ ବାପା ଓ ମାଅା ଗରିବ ଖଟିଖିଆ ହୋଇ ଥିବାରୁ ପୁଅର ଉପଯୁକ୍ତ ଚିକିତ୍ସା କରାଇ ପାରୁ ନ ଥିଲେ। କିଛି ଦିନ ତଳେ ପୁଅଟି ରକ୍ତ ଶିକୁଳି ରୋଗରେ ଗୁରୁତର ହେବାରୁ ପ୍ରଥମେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଅର୍ଥ ଅଭାବରୁ ଏଠାରେ ପୁଣି ଚିକିତ୍ସା କରାଇ ନ ପାରି ଘରକୁ ଫେରିଥିଲେ। ଘରେ ଭକ୍ତ ନାଏକ ଅଧିକ ଗୁରୁତର ଅସୁସ୍ଥ ହୋଇ ପଡିଲେ। ଜୀବନର ଶେଷ ପର୍ଯ୍ୟାୟରେ ଘର ଲୋକ ବାଧ୍ୟ ହୋଇ ପୁଅକୁ ନର୍ଲା ଡ଼ାକ୍ତରଖାନାକୁ ଆଣୁଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଅର ମୃତ୍ୟୁ ପରେ ମଧ୍ୟ କାଳେ ଜୀବନ ଫେରି ଆସିବ କି ଏହି ଆଶା ବିଶ୍ୱାସ ରଖି ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖା କରାଇଥିଲେ। ଡାକ୍ତର ମୃତ୍ୟୁ ଘୋଷଣା କଲାପରେ ଏହି ଗରିବ ପରିବାରର ଦୁଃଖ ଦିଗୁଣିତ ହୋଇଥିଲା। ଘୋର ଆର୍ଥିକ ସଂକଟରେ ଶବ ଘରକୁ ନେବା ପାଇଁ ହାତରେ ଅର୍ଥ ପୁଣି କିଛି ନ ଥିଲା। ତେବେ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ରାମେଶ୍ବର ପୂଝାରୀ ନର୍ଲା ବିଧାୟକଙ୍କ ସ୍ଵତନ୍ତ୍ର ପ୍ରତିନିଧି ତଥା ପୂର୍ବତନ ସର୍ଗିଗୁଡା ସରପଞ୍ଚ ହମେଶ ଜୈନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବାରୁ ଶ୍ରୀ ଜୈନ ନିଜସ୍ଵ ଖର୍ଚ୍ଚରେ ଘରକୁ ଶବ ଯିବା ପାଇଁ ଗାଡ଼ିର ବ୍ୟବସ୍ଥା କରାଇଥିଲେ। ଏଥିରେ ସ୍ଵାସ୍ଥ୍ୟ କେନ୍ଦ୍ରର କିଛି କର୍ମଚାରୀ ମଧ୍ୟ ସହାୟକ ହୋଇଥିଲେ। ଯାହା ଫଳରେ ଶବଟି ଘରେ ପହଞ୍ଚି ପାରିଥିଲା।ଏବେ ଏହି ଗରିବ ପରିବାରର ବାପା, ମାଅା ପୂର୍ବତନ ସରପଂଚ ଶ୍ରୀ ଜୈନ ଓ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.