Odisha news

ମନେପଡନ୍ତି ନଳିନୀକାନ୍ତ ମହାନ୍ତି : ଜାନୁଆରୀ ୨୦ ତାରିଖ ବିଶିଷ୍ଟ ଜନନେତା ନଳିନୀକାନ୍ତ ମହାନ୍ତିଙ୍କ ୭୨ତମ ଜୟନ୍ତୀ ଉପଲକ୍ଷେ …….

0

ହିମାଂଶୁ ଶେଖର ଆଚାର୍ଯ୍ୟ : ରାଜନୀତିରେ ଆସିଛି ଏବେ ନୂଆ ପରିବର୍ତ୍ତନ । ତା ସହିତ ପରିବର୍ତ୍ତିତ ହେଉଛି ବ୍ୟକ୍ତି ଓ ବ୍ୟକ୍ତି ଚରିତ୍ରର । ଦିନକୁ ଦିନ ରାଜନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି ଓ ଜନନେତାଙ୍କ ସଂଖ୍ୟା କମିବାରେ ଲାଗିଛି । ମାତ୍ର ଯେଉଁ କେତେଜଣ ରାଜନେତା ନିଜର କାର୍ଯ୍ୟକୁଶଳତା ଏବଂ ଆଦର୍ଶ ବଳରେ କାଳଜୟୀ ହୋଇପାରିଛନ୍ତି ତନ୍ମଧ୍ୟରୁ ଜଣେ ହେଉଛନ୍ତି ବିଶିଷ୍ଟ ଜନନେତା ତଥା ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତି । ଆଜି ତାଙ୍କର ୭୨ତମ ଜୟନ୍ତୀ । ଏହି ଅବସରରେ ତାଙ୍କର ସ୍ମୃତିଚାରଣ ସହ ତାଙ୍କ କଥା ଓ ଗାଥାକୁ ଉତ୍ତରପିଢି ପାଖରେ ପହଞ୍ଚାଇବା ଏହି କ୍ଷୁଦ୍ର ଆଲେଖ୍ୟର ଉଦେ୍ଦଶ୍ୟ ।

ଏହି ନିଆରା ଜନନେତା ଜନ୍ମଗ୍ରହଣ କରିଥିଲେ ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ବର୍ତ୍ତମାନର କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ର ବନ୍ଧପଡା ପଞ୍ଚୟତ ଅନ୍ତର୍ଗତ ଫିରିକିଦାଣ୍ଡ ଗ୍ରାମରେ । ତାଙ୍କ ପିତାଙ୍କ ନାମ ମାୟାଧର ମହାନ୍ତି ଓ ମାତାଙ୍କ ନାମ ଜୀବନଦେବୀ ମହାନ୍ତି । ବାଲ୍ୟ ଅବସ୍ଥାରେ ନିଜ ଗ୍ରାମରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ମଦନପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ୭ମ ଶ୍ରେଣୀ, ୧୯୬୫ ମସିହାରେ ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ମାଟି୍ରକ୍, ୧୯୬୯ରେ କଟକ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସ୍ନାତକ ଓ ୧୯୭୧ ମସିହାରେ କଟକ ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ଏଲ୍ଏଲ୍ବି ଡିଗ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୬୯ ମସିହାରେ ଛାତ୍ର ରାଜନୀତିରେ ପାଦ ଥାପିଥିବା ନଳିନୀକାନ୍ତ ମହାନ୍ତି ପରବର୍ତ୍ତୀ ସମୟରେ ନିଜକୁ ଜଣେ ଆଗଧାଡିର ରାଜନେତା ଭାବେ ପ୍ରତିଷ୍ଠିତ କରିପାରିଥିଲେ । ଏହା ପଛରେ ଥିଲା ତାଙ୍କ ନିରବଚ୍ଛିନ୍ନ ପ୍ରୟାସର ଫଳ । ଏକାଧାରରେ ସେ ଥିଲେ ଜଣେ ଅନନ୍ୟ ରାଜନୀତିଜ୍ଞ, ସୁସଂଗଠକ ସର୍ବୋପରି ସାଧାରଣ ଜନତାର ସୁଖଦୁଃଖରେ ଭାଗିଦାର ହେଉଥିବା ଜଣେ ଦରଦୀ ମଣିଷ । ସେଥିପାଇଁ ଅଶେଷ ଲୋକପ୍ରିୟତାର ଅଧିକାରୀ ହୋଇପାରିଥିଲେ ସେ ।

ତାଙ୍କ ପାଇଁ ମାଟି ଓ ମାଟିର ମଣିଷ ଥିଲେ ସବୁକିଛି । ଗର୍ବ ଓ ଅହଙ୍କାର ତାଙ୍କୁ ଛୁଇଁପାରିନଥିଲା । ସେଥିପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କୁ “ମାଟି ରାଜା” ବୋଲି କୁହାଯାଉଥିଲା । ଖାଲି ସେତିକି ନୁହେଁ, ବିଧାନସଭା ଭିତରେ ଓ ବାହାରେ ସମସ୍ତଙ୍କର ସେ ପ୍ରିୟପାତ୍ର ଥିଲେ । ଏହାହିଁ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତଃ ।

ନଳିନୀକାନ୍ତ ମହାନ୍ତିଙ୍କ ରାଜନୈତିକ ଜୀବନ ବେଶ୍ ଚଳଚଞ୍ଚଳ ଓ ଘଟଣାବହୁଳ ଥିଲା । ୧୯୭୭ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ସେ ଓଡିଶା ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଥିଲେ । ଜଣେ ଉଚ୍ଚକୋଟୀର ସଂଗଠକ ଭାବେ ସେ ବେଶ୍ ଜଣାଶୁଣା ଥିଲେ । ସେଥିପାଇଁ ବିଭିନ୍ନ ସମୟରେ ସେ ସଂଗଠନର ଦାୟିତ୍ୱକୁ ସଫଳତାର ସହ ତୁଲାଇଥିଲେ । ସମ୍ପାଦକ ଭାରତୀୟ ଲୋକଦଳ ଯୁବ ଜନତା ପାର୍ଟି. ସଭାପତି ଯୁବ ଲୋକଦଳ, ଯୁବ ଜନତା ଦଳ, ସଭ୍ୟ ସର୍ବଭାରତୀୟ ଜନତା ପରିଷଦ ଭାବରେ କାର୍ଯ୍ୟକରି ନିଜର ବିଚକ୍ଷଣ ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ ।

୧୯୭୭ ରୁ ୨୦୦୯ ପର୍ଯ୍ୟନ୍ତ ରାଜନଗର ନିର୍ବାଚନ ମଣ୍ଡଳୀରୁ ନିରବଚ୍ଛିନ୍ନ ଭାବେ ସେ ସାତଥର ବିଧାନସଭାକୁ ନିର୍ବାଚିତ ହେବା ସହ ଦୁଇଥର କ୍ୟାବିନେଟ୍ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୯୦ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ପୂର୍ତ୍ତ ଓ ନଗର ଉନ୍ନୟନ ମନ୍ତ୍ରୀ ଥିବାବେଳେ ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ପୂର୍ତ୍ତ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ନିଜର ପାରଦର୍ଶିତା ଦେଖାଇଥିଲେ ।

୧୯୯୦ ମସିହାରେ ମନ୍ତ୍ରୀ ଥିବା ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ ବିକାଶ ବିଲ୍ ଆଣି ଚର୍ଚ୍ଚାର ପରିସରକୁ ଆସିଥିଲେ । ଏସବୁ ଥିଲା ତାଙ୍କ ପାରିବା ପଣିଆର ଗୋଟିଏ ଗୋଟିଏ ନିଚ୍ଛକ ଉଦାହରଣ । ଯାହାର ସ୍ୱୀକୃତି ସ୍ୱରୂପ ଶ୍ରେଷ୍ଠ ଯୁବ ବିଧାୟକ ସମ୍ମାନ, ମେୟରର୍ସ ଭିଜିନାରୀ ସମ୍ମାନ ଓ ଶ୍ରେଷ୍ଠ ବ୍ୟବସ୍ଥାପକ ଭାବେ ନୀଳକଣ୍ଠ ଦାସ ସମ୍ମାନର ଅଧିକାରୀ ହୋଇପାରିଥିଲେ ସେ ।

ସମ୍ପ୍ରତି ଅନେକ ରାଜନେତା ଆସୁଛନ୍ତି ଓ ଯାଉଛନ୍ତି । ଅନେକ ବି ବିସ୍ମୃତିକୁ ଚାଲିଗଲେଣି । ଏହାର ଏକ ବ୍ୟତିକ୍ରମ ହେଉଛନ୍ତି ସ୍ୱର୍ଗତ ନଳିନୀକାନ୍ତ ମହାନ୍ତି । ରାଜନଗରରେ “ମାଟି ରାଜା” ରୂପେ ସୁପରିଚିତ ନଳିନୀକାନ୍ତ ମହାନ୍ତିଙ୍କୁ କିନ୍ତୁ ଭୁଲିପାରୁନାହାନ୍ତି ରାଜନଗରବବାସୀ । ଏହି ନିର୍ବାଚନ ମଣ୍ଡଳୀର ଶିକ୍ଷା,ସ୍ୱାସ୍ଥ୍ୟ ପରିବହନ ଆଦି କ୍ଷେତ୍ରରେ ସେ ବହୁତ ଉନ୍ନତି ମୂଳକ କାର୍ଯ୍ୟ ସାଧନ କରିଛନ୍ତି । ଏଥିସହିତ ତାଙ୍କ ମୁହଁର ସେହି ଶିଶୁ ସୁଲଭ ହସ, ପ୍ରଶାନ୍ତ ମୁଖମଣ୍ଡଳ, ବନ୍ଧୁପଣର ଆବେଗରେ କୋଳେଇ ନେବାର ଉଦାର ଭାବ ଏବେବି ସମସ୍ତଙ୍କ ମାନସପଟରେ ସତେଜ ହୋଇରହିଛି । ଏବେ ତାଙ୍କ ସୁପୁତ୍ର ଅଂଶୁମାନ ମହାନ୍ତି ୨୦୧୪ ନିର୍ବାଚନରେ ଉକ୍ତ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ପିତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି ।

ଦୀର୍ଘ ଜୀବନ ନୁହେଁ, ସ୍ମରଣୀୟ ଜୀବନ ଦୀର୍ଘ ହୋଇଥାଏ । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଥିଲେ ନଳିନୀକାନ୍ତ ମହାନ୍ତି । ମାତ୍ର ୬୩ ବର୍ଷ ଜୀବନ କାଳ ଥିଲା ତାଙ୍କ ପାଇଁ ଅନେକ ଯଶ ଓ ଖ୍ୟାତି ଆଣିଥିଲା । ଅକାଳରେ ସେ ଚାଲିଗଲେ ଆରପାରିକୁ ୨୦୧୨ ମସିହା ଏପ୍ରିଲ୍ ୨୦ ତାରିଖରେ । ତାଙ୍କ ମୃତ୍ୟୁରେ କେବଳ ରାଜନଗର ନୁହେଁ, ସମଗ୍ର ଓଡିଶାର ଜନଜୀବନରୁ ଜଣେ ଉଜ୍ଜ୍ୱଳ ତାରକା ଅସ୍ତମିତ ହୋଇଗଲା । ନଳିନୀ ମହାନ୍ତିଙ୍କ ଅବର୍ତ୍ତମାନରେ ଆଜି ବିରାଟ ଶୂନ୍ୟତା । ସେହି ଶୂନ୍ୟତା ଭିତରେ ସଦା ଗୁଞ୍ଜରିତ ହେଉଛି ତାଙ୍କ ସ୍ଥିତି ଓ ଅସ୍ତିତ୍ୱର ସ୍ୱାକ୍ଷର । ସେ ସର୍ବଦା ସ୍ମରଣୀୟ ହୋଇରହିବେ, ଏଥିରେ ସନେ୍ଦହର ଅବକାଶ ନାହିଁ । ଯଥାର୍ଥରେ ସେଥିଲେ “ମାଟି ରାଜା”

Leave A Reply