ଭୁବନେଶ୍ବର : ରାଜଧାନୀରେ ଏବେ ଘରୋଇ ଯାତ୍ରୀବାସୀ ବସ୍ କାଁ ଭାଁ ଗଡ଼ୁଥିବା ବେଳେ ୭ଟି ରୁଟ୍ରେ ପ୍ରାୟ ୪୦ଟି ‘ମୋ ବସ୍’ ଚଳାଚଳ କରୁଛି। ଏଥିରେ ଦିନକୁ ପ୍ରାୟ ୫୧୦୦ ଯାତ୍ରୀ ଯାତାୟାତ କରୁଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର ବିଷୟ ମୋ ବସ୍ରେ ଯେତିକି ଲୋକ ଦୈନିକ ଯାତାୟାତ କରୁଛନ୍ତି ସେଥିରୁ ୫୦% ହେଉଛନ୍ତି ଚାକିରିଆ।
କ୍ରୁଟ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାସ୍ଧାରୀ ଓ ଯାତ୍ରୀଙ୍କ ଯାତାୟାତ ହିସାବରୁ ଜଣାପଡ଼ିଛି ଯେ, ୫୦% ଯାତ୍ରୀ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀ। ଏହାବାଦ୍ ୧୦% ବରିଷ୍ଠ ନାଗରିକ ହୋଇଥିବା ବେଳେ ୪୦% ହେଉଛନ୍ତି ସାଧାରଣ ଯାତ୍ରୀ। ଯେଉଁମାନେ ନିୟମିତ ମୋ ବସ୍ରେ ଯାତ୍ରା କରନ୍ତିନି।
ମୋ ବସ୍ର ସବୁଠୁ ଅଧିକ ବ୍ୟସ୍ତବହୁଳ ରୁଟ୍ ପାଲଟିଛି କଟକ-ଭୁବନେଶ୍ବର ରୁଟ୍। ଶୁକ୍ରବାର ସୁଦ୍ଧା ମୋ ବସ୍ରେ ପ୍ରାୟ ୨୦ହଜାର ଯାତ୍ରୀ ଯାତାୟାତ କରିଥିବା ବେଳେ ଏଥିରୁ ୫୬୦୦ ଜଣ କଟକ-ଭୁବନେଶ୍ବର ରୁଟ୍ରେ ଯାତାୟାତ କରିଛନ୍ତି। ଯାହା ମୋଟ୍ ଯାତ୍ରୀ ଯାତାୟାତର ୨୭%। ରୁଟ୍ ନଂ ୧୦ ବିମାନବନ୍ଦରରୁ ଏଜି ଛକ ଓ ପଟିଆ ହୋଇ ସିଡିଏ, କଟକ ଯାଉଥିବାବେଳେ ରୁଟ୍ ୧୬ ମାଷ୍ଟରକ୍ୟାଣ୍ଟିନରୁ ରସୁଲଗଡ଼, ବାଦାମବାଡ଼ି ହୋଇ ସିଡିଏ, କଟକ ଯାଇଥାଏ। ଏହି ଦୁଇଟି ରୁଟ୍ରେ ହିଁ ସବୁଠୁ ଅଧିକ ଯାତ୍ରା କରିଛନ୍ତି।
ସେହିପରି ରୁଟ୍ ନଂ ୨୩ ଓ ୨୭ ସମ୍ ଓ ଏମ୍ସ ହସ୍ପିଟାଲକୁ ସଂଯୋଗ କରୁଥିବାବେଳେ ଏଥିରେ ମଧ୍ୟରେ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି। ରୁଟ୍ ୨୩ରେ ମୋ ବସ୍ ମାଷ୍ଟରକ୍ୟାଣ୍ଟିନରୁ ବାହାରି ଫାୟାର ଷ୍ଟେସନ ହୋଇ ସମ୍ ହସ୍ପିଟାଲ ଯାଉଛି। ରୁଟ୍ ୨୭ରେ ମୋ ବସ୍ ମାଷ୍ଟରକ୍ୟାଣ୍ଟିନରୁ ବାହାରି ଫାୟାରଷ୍ଟେସନ ଓ ବରମୁଣ୍ଡା ହୋଇ ସମ୍ ହସ୍ପିଟାଲ ଯାଉଛି। ୪ଦିନରେ ଏହି ରୁଟ୍ରେ ପ୍ରାୟ ୩ହଜାର ଯାତ୍ରୀ ଯାତାୟାତ କରିଛନ୍ତି।
କେବଳ ନନ୍ଦନବିହାର ଲିଙ୍ଗିପୁରକୁ ଚାଲୁଥିବା ରୁଟ୍ ନଂ ୧୧, ଡୁମୁଡୁମାରୁ ମାଷ୍ଟର କ୍ୟାଣ୍ଟିନ ଭାୟା ହୋଇ ମଞ୍ଚେଶ୍ବର ଚାଲୁଥିବା ରୁଟ୍ ନଂ ୨୫ ଏବଂ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧାକୁ ଚାଲୁଥିବା ରୁଟ୍ ୨୦ରେ ଆଶାନୁରୂପ ଯାତ୍ରୀ ହେଉନାହାନ୍ତି। କିନ୍ତୁ ଲୋକଙ୍କ ଚାହିଦାକୁ ଦେଖି ଏହି ରୁଟ୍ରେ ବସ୍ ଚଳାଚଳ କରାଯାଉଛି।
ଅପରପକ୍ଷେ ଏବେ ଯାତ୍ରୀମାନଙ୍କୁ ଧାର୍ଯ୍ୟ ଭଡ଼ା ଅନୁଯାୟୀ ଖୁଚୁରା ଦେବାକୁ କୁହାଯାଉଥିବାବେଳେ ଖୁବ୍ ଶୀଘ୍ର କ୍ୟୁଆର୍ କୋଡ୍ ସ୍କାନ୍ ଏବଂ ଟ୍ୟାପ୍ ଆଣ୍ଡ୍ ପେ କାର୍ଡ ବ୍ୟବସ୍ଥା ଆରମ୍ଭ ହେବ ବୋଲି କୁହାଯାଇଛି।
କ୍ରୁଟ୍ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଜୁନ୍ ୧ରୁ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ଥିବାବେଳେ ଘରୋଇ ଯାତ୍ରୀବାହୀ ବସ୍ ଯାତାୟାତ ସ୍ବାଭାବିକ ହେବ। ତେଣୁ ଏହାପରେ ମୋ ବସ୍ରେ ଯାତ୍ରୀ ସଂଖ୍ୟା ବଢ଼ିବ। ଲକ୍ଡାଉନ୍-୫କୁ ନଜରରେ ରଖି ଅଧିକ ରୁଟ୍ରେ ମୋ ବସ୍ ଚଳାଚଳ କରିବାକୁ ଯୋଜନା ଅଛି।