ସାରା ଦୁନିଆରେ ମେ ମାସର ଦ୍ୱିତୀୟ ରବିବାରକୁ ‘ମଦର୍ସ ଡେ’ ଅର୍ଥାତ ‘ମାତୃ ଦିବସ’ ଭାବରେ ପାଳନ କରାଯାଏ । ମାତୃତ୍ୱ,ମାତୃ ବନ୍ଧନ ଏବଂ ପରିବାରରେ ମା’ର ମହତ୍ତ୍ୱକୁ ଦର୍ଶାଉ ଥିବା ଏହି ମାତୃ ଦିବସ ଉପଲକ୍ଷେ ସବୁ ମା’ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ । ଆମ ଭାରତୀୟ ସମାଜରେ ମା’ର ସ୍ଥାନ ଭଗବାନଙ୍କ ପରେ ଆସେ । କାହିଁକିନା ମା’ ହେଉଛି ସିଏ ଯିଏ ଆମକୁ ନଅ ମାସ ପେଟରେ ରଖି ଅସହ୍ୟ ଯନ୍ତ୍ରଣା ସହି ଆମକୁ ଆଣେ ଏ ଦୁନିଆକୁ । ମା’ ଶଦ୍ଦ ହେଉଛି ନିଜ ଭିତରେ ଏମିତି ଗୋଟିଏ ଶଦ୍ଦ ଯାହାର ପରିସୀମା ବ୍ୟାପ୍ତ ‘ମାଟିରୁ ଆକାଶ’ ଯାଏ । ମା’ର ତ୍ୟାଗର ତୁଳନା କେହି ମଧ୍ୟ କରି ପାରିବେନି ନିଜ ଜୀବନରେ ।
ଦେଖିବାକୁ ଗଲେ ଏହି କିଛି ବର୍ଷ ହେଲା ମାତୃ ଦିବସର ଚଳନ ବହୁତ ଜୋର୍ ଧରିଛି । ଲେକାମାନଙ୍କୁ କିନ୍ତୁ ଏ କଥା ନଶ୍ଚେ ଅଜଣା ଥିବ ଯେ ମାତୃ ଦିବସ ଅର୍ଥାତ୍ ମଦର୍ସ ଡେର ଚଳନ ବହୁତ ପୁରୁଣା । ଏହାର ଆରମ୍ଭ ଶହେ ବର୍ଷ ପୂର୍ବେ ୟୁନାନୀ ଆଉ ରୋମ୍ରେ ହୋଇଥିଲା । ୟୁନାନୀ କ୍ରେନିସଙ୍କର ସ୍ତ୍ରୀ ରିହା ଏବଂ ଅନ୍ୟ କିଛି ଦେବୀ ଦେବତାଙ୍କ ସମ୍ମାନର୍ଥେ ପାଳନ କରା ଯାଉଥିଲା ଏହି ଦିନଟିକୁ । ରୋମାନ୍ ମାନେ ବସନ୍ତ ଋତୁରେ ନିଜର ଇଷ୍ଟଙ୍କର ଆରାଧନା କରୁଥିଲେ । ପ୍ରଥମେ ଇସାଇ କ୍ରାଇଷ୍ଟଙ୍କର ମା’ ମରିୟମ୍ଙ୍କ ସମ୍ମାନାର୍ଥେ ମାସର ଚତୁର୍ଥ ରବିବାରକୁ ମାତୃ ଦିବସ ଭାବରେ ପାଳନ କରା ଯାଉଥିଲା ।
ହେଲେ ଆଧୁନିକ ‘ମଦର୍ସ ଡେ’ ଅର୍ଥାତ ମାତୃ ଦିବସର ଆରମ୍ଭ ୟୁନାଇଟେଡ୍ କିଙ୍ଗଡମ୍ରେ ହେଇଥିଲା ବୋଲି କୁହାଯାଏ । କିନ୍ତୁ ଏହି ଦିନଟିକୁ ଲୋକ ପ୍ରିୟ କରାଇବାରେ ଆଉ ତାକୁ ପାଳିବାର ପରମ୍ପରା ଆରମ୍ଭ କରିବାର ଶ୍ରେୟ ଆମେରିକାର ‘ଏନା ଏମ୍. ଜାରୱିସଙ୍କୁ’ ଯାଏ । ଏନାଙ୍କର ଜନ୍ମ ଆମେରିକାର ୱେଷ୍ଟ ଭର୍ଜିନିୟାରେ ହୋଇଥିଲା । ତାଙ୍କ ମା’ ଅନ୍ନାରିସ ଜାରୱିସ ଦୁଇ ଦଶକ ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚରେ ସଣ୍ଡେ(ରବିବାର) ଦିନ ପଢୋଉଥିଲେ ପିଲାମାନଙ୍କୁ । ଦିନେ ତାଙ୍କ ମା’ ସଣ୍ଡେ ସ୍କୁଲ୍ରେ ପଢେଇବା ବେଳେ ବାଇବେଲ୍ର କିଛି ଅଂଶ ପଢୋଉଥିଲେ । ସେତେବେଳେ ଏନା ଥିଲେ ବାର ବର୍ଷର । ସେ ତାଙ୍କ ମା’ଙ୍କୁ କହୁଥିବାର ଶୁଣିଲେ,“ଏମିତି ଦିନ ଆସିବ ଯେତେବେଳେ କେହି ଜଣେ ଗୋଟିଏ ଦିନ ସମର୍ପିତ କରିବ କେବଳ ମା’ ଆଉ ମାତୃତ୍ୱକୁ ସମ୍ମାନ ଦେଖାଇବା ପାଇଁ ”ା ସେତେବେଳେ ଯାଏଁ କେବଳ ପୁରୁଷଙ୍କ ସମ୍ମାନ ପାଇଁ ଦିନ ସବୁ ସର୍ମପିତ ଥିଲା । ଯାହାକୁ ବହୁତ ଧୁମ୍ଧାମ୍ରେ ପାଳନ କରା ଯାଉଥିଲା । ହେଲେ ମହିଳାଙ୍କ ସମ୍ମାନ ପାଇଁ ଗୋଟିଏ ବି ଦିନ ନଥିଲା ।
ଯେତେବେଳେ ଏନାଙ୍କର ମା’ଙ୍କର ନିଧନ ହେଲା । ତା’ପରେ ଏନା ନିଜ ସାଙ୍ଗ ମାନଙ୍କ ସହିତ ଆରମ୍ଭ କଲେ ଗୋଟିଏ ଅଭିଯାନ । ସେ ମଦର୍ସ ଡେ ପାଇଁ ରାଷ୍ଟ୍ରୀୟ ଛୁଟି ପାଇଁ ପ୍ରଥମେ ଲୋକଙ୍କର ସମର୍ଥନ ହାସଲ କଲେ । ସେ ଦେଖିଲେ ପିଲାମାନେ ନିଜ ଜୀବନର ବ୍ୟସ୍ତତା ଭିତରେ ଭୂଲି ଯାଉଚନ୍ତି ମା’ର ଅତୁଳନୀୟ ଯୋଗଦାନକୁ,ମା’ର ତ୍ୟାଗକୁ ।
ସେ ଚାହୁଁଥିଲେ ମା’ ବଞ୍ଚôଥିଲା ବେଳେ ପିଲାମାନେ ତାଙ୍କର ସମ୍ମାନ କରନ୍ତୁ । ତାଙ୍କର ତ୍ୟାଗ ଆଉ ବଳିଦାନକୁ ହୃଦୟଙ୍ଗମ କରନ୍ତୁ । ତାଙ୍କ ମନରେ ଦୃଢ ବିଶ୍ୱାସ ଥିଲା କି ଯେତେବେଳେ ଗୋଟିଏ ଦିନକୁ ମଦର୍ସ ଡେ ଭାବରେ ପାଳନ କରାଯିବ ସେତେବେଳେ ମା’ ସହିତ ପିଲାମାନଙ୍କର ଆଉ ପୁରା ପରିବାରର ସମ୍ବନ୍ଧ ସୁଦୃଢ ହେବ ।
ଆଠ ମେ ଉଣେଇଶହ ଚଉଦରେ ଆମେରିକାର ସଂସଦରେ ମେ ମାସର ଦ୍ୱିତୀୟ ରବିବାରକୁ ‘ମଦର୍ସ ଡେ’ ଭାବରେ ଘୋଷିତ କରାଗଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବୁଡ୍ରୋ ୱିଲସନ୍ ଏହି ଦିନଟିକୁ ରାଷ୍ଟ୍ରୀୟ ଅବକାଶ ଭାବରେ ଘୋଷିତ କଲେ । ତା’ ପରଠୁ ସାରା ଦୁନିଆରେ ମେ ମାସର ଦ୍ୱିତୀୟ ରବିବାରକୁ ‘ମଦର୍ସ ଡେ’ ଅର୍ଥାତ୍ ‘ମାତୃ ଦିବସ’ ରୂପେ ପାଳନ କରାଯାଇ ଆସୁଛି ।