ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ପ୍ରଂଶସା କଲେ: ନବୀନ ବାବୁ ଅଭିନନ୍ଦନର ପାତ୍ର
ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ପ୍ରଭାବିତ ଅଂଚଳ ପରିଦର୍ଶନ ଏବଂ କ୍ଷୟକ୍ଷତିର ଆକଳନ ନିମନ୍ତେ ମାତ୍ର ୩ ଘଣ୍ଟା ଲାଗି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ପ୍ରଂଶସା କରିଛନ୍ତି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର ପରିଦର୍ଶନ କରି ଭୁବନେଶ୍ୱର ବିମାନ ବନ୍ଦରର ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ମହାବାତ୍ୟା ପଶ୍ଚିମବଙ୍ଗ ଯାଉ ଯାଉ ଓଡିଶାକୁ ଛୁଇଁ ଯାଇଥିଲେ ବି ବହୁତ କ୍ଷୟକ୍ଷତି କରିଛି । କିନ୍ତୁ ପ୍ରଶାସନର ସଚେତନ ଅଭିଯାନ ଫଳରେ ସମ୍ପତ୍ତି ନଷ୍ଟ ହୋଇଥିଲେ ବି ଜୀବନ ବଂଚି ଯାଇଛି । ଏଥିପାଇଁ ଓଡିଶାବାସୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଟିମ ଅଭିନନ୍ଦନର ପାତ୍ର । ମହାବାତ୍ୟା ପୂର୍ବରୁ ଲୋକମାନଙ୍କୁ ଯେଭଳି ଭାବେ ସ୍ଥାନାନ୍ତର କରାଗଲା ଓ ସୁବ୍ୟବସ୍ଥିତ ପରିକଳ୍ପନା ହେଲା ସେ ସପଂର୍କରେ ଅବଗତ ହେବା ପରେ ସନ୍ତୋଷ ପ୍ରକାଶ କରୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିସହ ସୂଚନା ଦେଇଥିଲେ, ଜୀବନ ବଂଚାଇବା ପାଇଁ ଆଜି ମଧ୍ୟ ପୃଥିବୀ ଯୁଦ୍ଧ ଲଢ଼ୁଥିବା ବେଲେ ସୁପର ସାଇକ୍ଲୋନ ଭଳି ସଂକଟ ପଂହଚିଗଲା । ଏହା ବଡ଼ ଚିନ୍ତାର ବିଷୟ ଥିଲା । କିନ୍ତୁ ଏଠାରେ ଯେଉଁଭଳି ଭାବେ ପରିକଳ୍ପନା କରାଯାଇ ଜୀବନ ବଂଚାଗଲା ତାହା ଏକ ବଡ଼ ସଫଳତା । ପଶ୍ଚିମବଙ୍ଗ ତୁଳନାରେ ଓଡିଶାରେ ବଡ଼ କ୍ଷତି ହୋଇନାହିଁ ସତ କିନ୍ତୁ ବିଭିନ୍ନ କ୍ଷେତ୍ରରେ କ୍ଷତି ହୋଇଛି । ପରିସ୍ଥିତିର ମୁଁ ପୁରା ସମୀକ୍ଷା କରିଛି ବୋଲି ମୋଦୀ କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ସେ ଏହି ଘୋଷଣା କରିଛନ୍ତି। ପରିଦର୍ଶନରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ୍ଷୟକ୍ଷତିର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ମୋଦୀ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାକୁ ଆସି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ନେଇ ପୁଙ୍ଖାନୁପୁଙ୍ଖ ଆକଳନ କରିବେ । କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ । ଏଥିସହ ସେ କହିଥିଲେ, କୋଭିଡ୧୯ ମହାମାରୀ ସମୟରେ ଏପରି ମହାବାତ୍ୟା ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସଠିକ ଢଙ୍ଗରେ ବାତ୍ୟାର ପରିଚାଳନା ଓ ମୁକାବିଲା କରିଥିବାରୁ ଅନେକ ଜୀବନରକ୍ଷା ହୋଇପାରିଛି । ସେଥିପାଇଁ ଓଡ଼ିଶା ସରକାରଙ୍କୁ ଅନେକ ଧନ୍ୟବାଦ।