Odisha news

ଭାରତର ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟରତ ଶାସନମୁଖ୍ୟ ହୋଇ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିଲେ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ମାର୍ଚ୍ଚ ୨୨) ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କୁ ପଛରେ ପକାଇ ଭାରତର ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟରତ ଶାସନମୁଖ୍ୟ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ୮,୯୩୦ ଦିନ କାର୍ଯ୍ୟ କରିଥିବା ଚାମଲିଙ୍ଗ ଏହି ରେକର୍ଡ ରଖିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ତଥା ଭାରତର ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ମିଳିତ କାର୍ଯ୍ୟକାଳ ୮,୯୩୧ ଦିନ ପୂରଣ କରି ଏହି ଲକ୍ଷ୍ୟକୁ ଅତିକ୍ରମ କରିଛନ୍ତି। ଏହି ମାଇଲଖୁଣ୍ଟ ଭାରତୀୟ ରାଜନୀତିରେ ଏକ ବିରଳ ସଫଳତାକୁ ଚିହ୍ନିତ କରେ, ଯାହା ଉଭୟ ରାଜ୍ୟ ତଥା ଜାତୀୟ ସ୍ତରରେ ଦଶନ୍ଧି ଧରି ନିରନ୍ତର ଜନସେବା ଓ ନେତୃତ୍ୱକୁ ପ୍ରତିଫଳିତ କରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଯାତ୍ରା
ପ୍ରଧାନମନ୍ତ୍ରୀ ଭାବରେ ଦୀର୍ଘତମ ଅବିଚ୍ଛିନ୍ନ କାର୍ଯ୍ୟକାଳର ରେକର୍ଡ ଜବାହରଲାଲ ନେହେରୁଙ୍କ ପାଖରେ ରହିଛି। ଉଲ୍ଲେଖଯୋଗ୍ୟ, ଲଗାତାର ତିନି ଲୋକସଭା ନିର୍ବାଚନରେ ତାଙ୍କ ଦଳକୁ ବିଜୟୀ କରାଇବାରେ ପ୍ରଧାନମନ୍ତ୍ରୀ ମୋଦୀ ନେହେରୁଙ୍କ ସହ ସମକକ୍ଷ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଅଣକଂଗ୍ରେସ ନେତା ଯିଏକି ଦୁଇଟି ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଛନ୍ତି ଏବଂ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହିତ ଦୁଇଥର ପୁନଃନିର୍ବାଚିତ ହୋଇଛନ୍ତି। ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ପ୍ରଥମ କ୍ଷମତାସୀନ ପ୍ରଧାନମନ୍ତ୍ରୀ ଯିଏକି କ୍ରମାଗତ ସାଧାରଣ ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ କ୍ଷମତାକୁ ଫେରିଥିଲେ।

ନରେନ୍ଦ୍ର ମୋଦୀ ତାଙ୍କ ରାଜନୈତିକ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଗୁଜୁରାଟର ବଡ଼ନଗରରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ମୋଦୀ ଏକଦା ରେଳ ଷ୍ଟେସନରେ ଚା’ ବିକ୍ରି କରିବାରେ ତାଙ୍କ ପିତାଙ୍କୁ ସାହାଯ୍ୟ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଓ ପରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ରାଜନୈତିକ ସିତିରେ ସେ ଉପରକୁ ଉଠିଥିଲେ। ସେ ୨୦୦୧ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏକ ଦଶନ୍ଧିରୁ ଅଧିକ ସମୟ ଧରି ପଦବିରେ ରହିଥିଲେ।

ସେ ଗୁଜୁରାଟର ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୪ରେ କାର୍ଯ୍ୟଭାର ଗ୍ରହଣ କରିବାଠାରୁ ମୋଦୀ କ୍ରମାଗତ ତିନିଥର (୨୦୧୪, ୨୦୧୯ ଓ ୨୦୨୪) ଲୋକସଭା ନିର୍ବାଚନରେ ଦଳକୁ ବିଜୟୀ କରି ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିଛନ୍ତି। ଜୁଲାଇ ୨୦୨୫ରେ, ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇ କ୍ରମାଗତ ଭାବରେ ଦ୍ୱିତୀୟ ଦୀର୍ଘତମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଜୁଲାଇ ୨୫, ୨୦୨୫ରେ ସେ କାର୍ଯ୍ୟକାଳର ୪,୦୭୮ ଦିନ ପୂରଣ କରିଥିଲେ। ୧୯୬୬ ମସିହା ଜାନୁଆରି ୨୪ ତାରିଖରୁ ୧୯୭୭ ମସିହା ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୪,୦୭୭ ଦିନ ଧରି ଅବିରତ କାର୍ଯ୍ୟକାଳରେ ରହିଥିଲେ।

Leave A Reply