ସର୍ବସାଧାରଣରେ ଉଦଳା ବିଧାୟକଙ୍କୁ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ପଣ୍ଡାଙ୍କ ଦୁର୍ବ୍ୟବହାର ଅଭିଯୋଗ, ଥାନାରେ ମାମଲା ଓ ଧାରଣା, ବଦଳି ହେଲେ କନିଷ୍ଠ ଯନ୍ତ୍ରୀ
ବାରିପଦା : ସର୍ବସାଧାରଣ ସ୍ଥାନରେ ଉଦଳା ବିଧାୟକ ଭାସ୍କର ମଢେଇଙ୍କୁ ଉଦଳା ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ସନ୍ତୋଷ ପଣ୍ଡାଙ୍କ ଦୁର୍ବ୍ୟବହାର ଓ ଆଶାଳୀନ ଭାଷାରେ ଗାଳିଗୁଲଜ କରିବା ମାମଲା ମହଙ୍ଗା ପଡିଛି । ଏହି ଘଟଣାକୁ ନେଇ ସମଗ୍ର ଉଦଳାରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉକ୍ତ ଘଟଣାକୁ ଗୁରୁତ୍ୱ ସହ ନେଇ ବାରିପଦା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନନ୍ଦଲାଲ ଘଡେଇ କନିଷ୍ଠ ଯନ୍ତ୍ରୀ ଇଂ ପଣ୍ଡାଙ୍କୁ ତୁରନ୍ତ ବାରିପଦା ଡିଭିଜନ୍କୁ ବଦଳି କରିଥିବା ନେଇ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ସ୍ୱାଧିନତା ଦିବସ ଅବସରରେ ଉଦଳା ବିଧାୟକ ଭାସ୍କର ମଢେଇ ଉଦଳା ଡାକ୍ତରଖାନା ପରିଦର୍ଶନରେ ଯାଇଥିବାବେଳେ ସେଠାରେ ଚାଲିଥିବା ନୂଆ ଡାକ୍ତରଖାନା ଗୃହର କାର୍ଯ୍ୟ କିପରି ଚାଲିଛି ତଦାରଖ କରିଥିଲେ ।
ଏହି ସମୟରେ ଘର ତିଆରିରେ ଘରଗୁଡିକ ବହୁ ତଳିଆ ହୋଇଥିବା ଦେଖିବା ପରେ ଏ ବାବଦରେ ଠିକାଦାର ସହିତ କଥା ହେଉଥିବାବେଳେ ସେଠାରେ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ପଣ୍ଡା ପହଞ୍ଚିଥିଲେ । ଯନ୍ତ୍ରୀଙ୍କୁ ବିଧାୟକ ଘର ବାବଦରେ ପଚାରିବାରୁ ସେ ବିଧାୟକଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର କରିବା ସହ ଯନ୍ତ୍ରୀ ଜଣଙ୍କ ମୁଁ ନା ଆପଣ ବୋଲି ବିଧାୟକଙ୍କୁ ପ୍ରଶ୍ନ କରିବା ସହିତ ବିଧାୟକଙ୍କୁ ଏ ବାବଦରେ ମୁଣ୍ଡ ନ ପୁରାଇବାକୁ ଉତ୍ତର ରଖିଥିଲେ । ଯାହାକି ସର୍ବସାଧାରଣ ସ୍ଥାନରେ ଜଣେ ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରାଯିବାକୁ ବିଧାୟକ ଭାସ୍କର ମଢେଇ ଯନ୍ତ୍ରୀଙ୍କ ବିରୋଧରେ ଉଦଳା ଥାନାରେ ସଙ୍ଗୀନ୍ ଅଭିଯୋଗ କରିଥିବା ଜଣାଯାଇଛି । ଏନେଇ ଉଦଳା ଥାନାରେ ୨୪୭/୨୨ରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି ।
ଅନ୍ୟପକ୍ଷରେ ମଙ୍ଗଳବାର ବିଜେପିର ନେତୃବୃନ୍ଦ ଓ କର୍ମୀମାନେ ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ଉଦଳା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ କନିଷ୍ଠ ଯନ୍ତ୍ରୀ ଇଂ ପଣ୍ଡାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି କରାଯାଇଥିଲା । ଇଂ ପଣ୍ଡାଙ୍କ ବଦଳି ପରେ କିଛିମାତ୍ରାରେ ଉତ୍ତେଜନା ଶାନ୍ତ ପଡିଥିଲା । ଅନ୍ୟପକ୍ଷରେ କନିଷ୍ଠ ଯନ୍ତ୍ରୀ ଇଂ ପଣ୍ଡା ଉଦଳା ଠାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ସହ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇ ଆସୁଥିବା ବେଳେ ତାଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଲକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।
