ଆନ୍ଧ୍ର ଓ ବାହାର ଫେରନ୍ତାଙ୍କୁ ନେଇ ପୋଲିସ ଓ ପ୍ରଶାସନ ନାକେଦମ : ବିଡିଓଙ୍କ ନିଦେ୍ର୍ଦଶକ୍ରମେ ବୈଶିଙ୍ଗା କଲେଜରେ ଅସ୍ଥାୟୀ ଟ୍ରାଞ୍ଜିଟ କ୍ୟାମ୍ପ
ବେତନଟୀ, ୧୩/୫ : ବେତନଟୀ ବ୍ଲକ ପ୍ରଶାସନ ଓ ବୈଶିଙ୍ଗା ଥାନା ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି ପ୍ରତ୍ୟେକ ଦିନ ସୀମାନ୍ତରେ ପହଞ୍ଚୁ ଥିବା ଶହଶହ ପ୍ରବାସୀ ମୟୂରଭଞ୍ଜିଆ । ଆଜି ମୟୂରଭଞ୍ଜ ଜିଲ୍ଲାର ୨୫୦ ଜଣ ପ୍ରବାସୀ ଆନ୍ଧ୍ର ଓ ଅନ୍ୟାନ ସ୍ଥାନରୁ ଆସି ସୀମାନ୍ତରେ ପହଞ୍ଚି ଥିଲେ । ଏହା ବ୍ୟତୀତ ଚାଲି ଚାଲି ଅନ୍ୟୁନ ୧୫୦ ଜଣ ପ୍ରବାସୀ ଆସି ପହଞ୍ଚିବା ପରେ ଏହା ପୋଲିସର ମୁଣ୍ଡ ବିନ୍ଧାର କାରଣ ହୋଇ ପଡି ଥିଲା । ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ଏସଆଇ ଅନୀତା ସ୍ୱାଇଁ, ଏସଆଇ ଶିଶିର ନାୟକ, ଏଏସଆଇ ସୁଶାନ୍ତ କୁମାର ମହାକୁଡ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଏମାନଙ୍କୁ ସିଲିଂ ପଏଣ୍ଟ ପାଖରେ ଅଟକାଇ ଥିଲେ ।
ଏମାନଙ୍କ ପାଖରୁ ଠିକଣା ସଂଗ୍ରହ ପରେ ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କୁ ଅବଗତ କରା ଯାଇ ଥିଲା । ବେତନଟୀ ବିଡିଓ ତୁରନ୍ତ ପ୍ରବାସୀ ମାନଙ୍କ ବ୍ଲକ ପ୍ରଶାସନକୁ ଖବର ଦେଇ ଥିଲେ । ହେଲେ ସଂପୃକ୍ତ ବ୍ଲକ ପ୍ରଶାସନ ମାନେ ଏମାନଙ୍କୁ ନେବାର ବ୍ୟବସ୍ଥା କରିବାରେ ତୀବ୍ର ଅବହେଳା କରୁ ଥିବାର ଲକ୍ଷ୍ୟ କରା ଯାଇଛି । ଗୋଟିଏ ପଟେ ପ୍ରବଳ ଗରମ ଓ ଗୁଳୁଗୁଳି ହେଉ ଥିବା ବେଳେ ପୋଲିସ ଓ ବ୍ଲକ କର୍ମଚାରୀ ମାନେ ଏହି ପ୍ରବାସୀ ମାନଙ୍କୁ ନିୟନ୍ତ୍ରଣ କରୁ କରୁ ନୟାନ୍ତ ହୋଇ ପଡି ଥିବାର ଦେଖା ଯାଇଛି । ଟିକିଏ ପହରା କୋହଳ ହେଲେ ଏମାନେ ଏଣେ ତେଣେ ପଳାଇ ଯିବାର ସମ୍ଭାବନା ରହି ଥିବାରୁ ଖରା ସତ୍ତ୍ୱେ ମଧ୍ୟ ପୋଲିସ ପହରା ଲାଗି ରହି ଥିଲା ।
ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରବାସୀ ମାନଙ୍କ ମଧ୍ୟରୁ ସମସ୍ତଙ୍କୁ ସଂପୃକ୍ତ ବ୍ଲକର ପ୍ରତିନିଧି ଓ ଗାଡି ଆସି ନେଇ ନଥିବାର ଦେଖା ଯାଇ ଥିଲା । ବେତନଟୀ ବ୍ଲକର ୧୪ ଜଣ ପ୍ରବାସୀଙ୍କୁ ଗରୁଡବସାରେ ଥିବା ଓଏଭି ନୋଡାଲ କେନ୍ଦ୍ରରେ ନେଇ ରଖା ଯାଇ ଥିବାର ଜଣା ପଡିଛି । ତେବେ ଏପରି ସ୍ଥିତିର ସମୀକ୍ଷା କରିବା ପରେ ବେତନଟୀ ବିଡିଓ ବୈଶିଙ୍ଗା ମହାତ୍ମା ଗାନ୍ଧୀ କଲେଜକୁ ଟ୍ରାଞ୍ଜିଟ କ୍ୟାମ୍ପ ଭାବେ ଘୋଷଣା କରି ଥିବାର ଜଣା ପଡିଛି । ବାହାରୁ ଆସୁ ଥିବା ପ୍ରବାସୀ ମାନଙ୍କୁ ପ୍ରଥମେ ଏଠାରେ ରଖା ଯିବ ଓ ପରେ ସଂପୃକ୍ତ ବ୍ଲକର ପ୍ରତିନିଧି ଆସିଲେ ସେମାନଙ୍କୁ ହସ୍ତାନ୍ତର କରା ଯିବ ବୋଲି ଜଣା ପଡିଛି । ଏହା ଦ୍ୱାରା ପୋଲିସର ମୁଣ୍ଡବ୍ୟଥା କମିବ ବୋଲି ସୂଚନା ମିଳିଛି ।