କଟକ, ୨/୩ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସୋମବାର ଶେଷ ହୋଇଛି । ତେବେ ଚଳିତବର୍ଷ କପି ହାର ହ୍ରାସ ପାଇଥିବା ବେଳେ ଅସାଧୁ ଉପାୟ ଅବଲମ୍ବନ କରି ୯୪୭ ପରୀକ୍ଷାର୍ଥୀ ଧରାପଡିଛନ୍ତି । ଆଜି ସାମାଜିକ ବିଜ୍ଞାନରେ ୧୫୦ ଜଣ କପି କରି ଧରାପଡିଥିବା ବେଳେ, ୧୪୯ ଜଣ ମାଟ୍ରିକ ପରୀକ୍ଷାର୍ଥ ଓ ଜଣେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ । ଆସନ୍ତା ୧୮ ତାରିଖରୁ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ୨୦ ଦିନ ଧରି ଖାତା ଦେଖା ହେବ ଓ ଏଥିରେ ୧୫ ହଜାରରୁ ଅଧିକ ଶିକ୍ଷକ/ଶକ୍ଷୟିତ୍ରୀ ଅଂଶ ଗ୍ରହଣ କରିବେ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଥମ ଭାଷା ମାତୃଭାଷାରେ ଏଚଏସସିର ୪୪, ରାଜ୍ୟ ମୁକ୍ତ ବିଦ୍ୟାଳୟର ୨୪ ଓ ମଧ୍ୟମା ପରୀକ୍ଷାର ଜଣେ କପି କରି ଧରାପଡିଥିଲା ବେଳେ ଦ୍ୱିତୀୟ ଭାଷା ଇଂରାଜୀରେ ଏଚଏସସିର ୧୦୯, ମଧ୍ୟମାର ୧, ତୃତୀୟ ଭାଷା ହିନ୍ଦି, ସଂସ୍କୃତରେ ଏଚଏସସିର ୧୦୮, ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୦, ଗଣିତରେ ଏଚଏସସିର ୧୮୮, ରାଜ୍ୟ ମୁକ୍ତ ବିଦ୍ୟାଳୟର ୫୨, ମଧ୍ୟମାର ୩, ସାଧାରଣ ବିଜ୍ଞାନରେ ଏଚଏସସିର ୨୩୧, ରାଜ୍ୟ ମୁକ୍ତ ବିଦ୍ୟାଳୟର ୨୬ ଓ ସାମାଜିକ ବିଜ୍ଞାନରେ ଏଚଏସସିର ୧୪୯ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ରହିଛନ୍ତି । ତେବେ ଧରାପଡିଥିବା ମୋଟ ୯୪୭ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଏଚଏସସିର ୮୩୮ ଜଣ ରହିଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୧୩ ମଧ୍ୟମାର ୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।