Odisha news

ଆସନ୍ତା କାଲିଠାରୁ ମାଟ୍ରିକ : ପରୀକ୍ଷା ୫,୬୦,୯୦୫ ଛାତ୍ରଛାତ୍ରୀ ଦେବେ ପରୀକ୍ଷା  

0

କଟକ, ୧୮/୨ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ମୋଟ ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କ ପାଇଁ ମୋଟ ୨ ହଜାର ୮୮୮ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏମାନଙ୍କ ମଧ୍ୟରେ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୭ ହଜାର ୭୪୭ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ ୨ ହଜାର ୭୬୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୯ ହଜାର ୭୭୧ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ ୭୬ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ମଧ୍ୟମା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩୩୭୩ ଥିବା ବେଳେ ସେମାନଙ୍କ ପାଇଁ ୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ସିଟିଂ ୧୦ଟାରୁ ଆରମ୍ଭ ହୋଇ ସାଢେ ୧୨ଟାରେ ଶେଷ ହେବାକୁ ଥିବା ବେଳେ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱିତୀୟ ସିଟିଂ ସାଢେ ୧ଟାରୁ ଆରମ୍ଭ ହୋଇ ଚାରିଟା ବେଳେ ଶେଷ ହେବ । ବୋର୍ଡ ପକ୍ଷରୁ ଓଏମଆର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନପତ୍ର ପ୍ରଚଳନ କରାଯାଇଛି ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ୧ ଘଣ୍ଟାରେ ୫୦ ନମ୍ବର ବିଶିଷ୍ଟ ଏହି ପ୍ରଶ୍ନଗୁଡିକର ଉତ୍ତର ଦେବାକୁ ପଡିବ ।
ଚଳିତବର୍ଷ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଓ ଗତବର୍ଷ ଅନେକ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଭଳି ଘଟଣାକୁ ଏଡାଇବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ପରୀକ୍ଷା ଦିନ ସକାଳ ସାଢେ ୮ଟା ମଧ୍ୟରେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ୯.୩୦ରେ ବଡ ପ୍ରଶ୍ନପତ୍ର ପ୍ୟାକେଟ୍‌ର ସିଲ୍ ସୁପରିନଟେଣ୍ଡେଣ୍ଟ ଓ ଡେପୁଟି ସୁପରିନଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଖୋଲାଯିବା ପରେ ୨୪ ଟିକିଆ ପ୍ରଶ୍ନପତ୍ର ବିଶିଷ୍ଟ ଛୋଟ ଛୋଟ ପ୍ୟାକେଟ୍‌କୁ ପ୍ରତ୍ୟେକ ରୁମ୍‌କୁ ପଠାଯିିବ । ସେଠାରେ ୯.୪୫ରେ ଅନ୍ୟୁନ ୨ ଜଣ ଛାତ୍ରଛାତ୍ରୀଙ୍କ ଦସ୍ତଖତ ନେବା ପରେ ପ୍ୟାକେଟ୍ ଗୁଡିକୁ ଖୋଲାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ । ପରୀକ୍ଷାର୍ଥୀମାନେ ଠିକ୍ ଦଶଟା ସମୟରେ ପ୍ରଶ୍ନପତ୍ରର ସିଲ୍ ଖୋଲିବେ । ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ବଣ୍ଟନ କରାନଯାଇ ସଂଗେ ସଂଗେ ଅଧୀକ୍ଷକଙ୍କୁ ଫେରସ୍ତ କରାଯିବ । ପୂର୍ବବର୍ଷ ପ୍ରଶ୍ନପତ୍ର ଭାଇରାଲ ଭଳି ସମସ୍ୟାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କୁ ତନଖି ନେବାଭଳି କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନଙ୍କୁ ମଧ୍ୟ ତନଖି ନେବା ପାଇଁ କେନ୍ଦ୍ର ଅଧୀକ୍ଷକଙ୍କୁ ବୋର୍ଡ ପକ୍ଷରୁ କଡା ନିର୍ଦ୍ଦେଶ ଜାରି କରାଯାଇଛି । କେବଳ କେନ୍ଦ୍ର ଅଧୀକ୍ଷକ ଅଫିସ ରୁମ ମଧ୍ୟରେ ତାଙ୍କ ମୋବାଇଲ ଫୋନ ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ପରୀକ୍ଷା ସରିବାର ଏକଘଣ୍ଟା ମଧ୍ୟରେ ଅନଲାଇନରେ ସମସ୍ତ ସୂଚନା ବୋର୍ଡକୁ ଦେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ କଡା ନିୟମ ଜାରି କରାଯାଇଛି । ଏଥିପାଇଁ ଚାରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନରେ +୨ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ୫୮ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ କରାଯାଇଥିବା ବେଳେ ବୋର୍ଡ ପକ୍ଷରୁ ବୋର୍ଡ କର୍ମଚାରୀ ଓ +୨ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକାଙ୍କୁ ନେଇ ୪୪ଟି ସେଣ୍ଟ୍ରାଲ ସ୍କ୍ୱାଡ୍‌ର ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କ ସ୍ତରରେ ସ୍କ୍ୱାଡମାନ ଗଠନ କରାଯାଇ ପରୀକ୍ଷା ତଦାରଖ କରିବା ପାଇଁ ବୋର୍ଡ ପକ୍ଷରୁ ନିବେଦନ କରାଯାଇଛି । ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇ ପରୀକ୍ଷା ତଦାରଖର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଚଳିତବର୍ଷ ୧୦୦୦ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ବୋର୍ଡ ପକ୍ଷରୁ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ ଖୋଲା ରହିବା ସହ ଦୁଇଟି ହେଲ୍ପ ଲାଇନର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।

Leave A Reply