ଘଟଗାଁ: ଘଟଗାଁ ଥାନା ଅନ୍ତର୍ଗତ ମଣତା ଗ୍ରାମ ନିକଟ କୁମୁଟିଆ ନାଳ କୂଳରୁ ଆଜି ସକାଳେ ଏକ ନବଜାତ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଖବର ଅନୁଯାଇ କିଛି ଗ୍ରାମବାସୀ ପ୍ରାୟ ସକାଳ ୯ଘଟିକା ସମୟରେ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଶିଶୁକନ୍ୟାଟିର କାନ୍ଦ ଶୁଣିବାକୁ ପାଇଥିଲେ । ଶିଶୁ କନ୍ୟାଟି ବୁଦାମୂଳରେ ପଡିଥିବାର ଦେଖି ଗ୍ରାମର ଆଶାକର୍ମି ମନୋରମା ସେଠୀ ଖବର ଦେବା ସହ କେନ୍ଦୁଝର ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ ।
ଆଶା କର୍ମି ମନୋରମା ସେଠୀ ଘଟଣା ସ୍ଥଳରେ ପହଚିଁ ୧୦୨ ଆମ୍ବୁଲାନ୍ସ ସହାୟତାରେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ । ହେଲେ ଚିକିତ୍ସା ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୁକ୍ତିକାନ୍ତ ନାୟକ ସୂଚନା ଦେଇଛନ୍ତି । ତବେ ଶିଶୁ କନ୍ୟାଟିକୁ କିଏ ଓ କାହିଁକି ସେଠାରେ ଛାଡି ଚାଲିଛି ତାହା ଜଣାପଡିନଥିବା ବେଳେ ଘଟଗାଁ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଚିଁ ଏକ ମାମଲ ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।