Odisha news

ବଙ୍ଗୀୟ କନ୍ୟା – ଓଡିଶାର ବୋହୂ : ମାର୍ଚ୍ଚ ୧୫ ତାରିଖ ମାଳତୀ ଚୌଧୁରୀଙ୍କ ୨୩ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ…..

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଭାରତର ମୁକ୍ତି ସଂଗ୍ରାମ ଅନେକ ତ୍ୟାଗ, ବଳିଦାନ ଓ ବୀରତ୍ୱର କଥା କହେ । ଦେଶ ମାତୃକାର ସ୍ୱାଧୀନତା ପାଇଁ ବହୁ ସଂଗ୍ରାମୀ ଲାଠିମାଡ଼ ଖାଇଛନ୍ତି, କାରାବରଣ କରିଛନ୍ତି ଓ ସହିଦ୍ ହୋଇଛନ୍ତି । ୧୮୫୭ ମସିହା ସିପାହୀ ବିଦ୍ରୋହ ଠାରୁ ୧୯୪୨ ମସିହା ଭାରତ ଛାଡ଼ ଆନେ୍ଦାଳନ ପର୍ଯ୍ୟନ୍ତ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ବହୁ ବିପ୍ଳବୀ ଅଭୁତପୂର୍ବ ଆତ୍ମୋତ୍ସର୍ଗ ଓ ଦେଶପ୍ରେମର ବିରଳ ଦୃଷ୍ଟାନ୍ତ ରଖି ଯାଇଛନ୍ତି । ସେମାନଙ୍କ ସେହି ତ୍ୟାଗ ଚିରଦିନ ସ୍ମରଣୀୟ ହୋଇ ରହିବ । ଏହି ସ୍ୱାଧୀନତା ଆନେ୍ଦାଳନରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ଏହି ଜାତୀୟ ଆନେ୍ଦାଳନରେ ଜଗତସିଂହପୁର ଭୂମିକା ବି କୌଣସି ଗୁଣରେ କମ୍ ନ ଥିଲା । ଏହି ମାଟିର ସୁଯୋଗ୍ୟ ସନ୍ତାନ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭାଗୀରଥି ମହାପାତ୍ର, ନିତ୍ୟାନନ୍ଦ କାନୁନ୍ଗୋ, ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିହାରୀ, ନାରାୟଣ ବୀରବର ସାମନ୍ତ, ଗୌରାଙ୍ଗ ଚରଣ ଦାସ, ହରେକୃଷ୍ଣ ବିଶ୍ୱାଳ, ଜାତୀୟ କବି ବୀରକିଶୋର ଦାସ ଓ ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ବିଶେଷକରି ଜଗତସିଂହପୁର ଯେଉଁ ମହୀୟସୀ ମହିଳାମାନେ ସେସମୟର ସାମାଜିକ ଲକ୍ଷ୍ମଣରେଖାକୁ ଅତିକ୍ରମ କରି ସ୍ୱାଧୀନତା ଆନେ୍ଦାଳନର ଯଜ୍ଞବେଦୀରେ ଝାସ ଦେଇଥିଲେ, ସେମାନଙ୍କ ମଧ୍ୟରେ ବିପ୍ଳବିଣୀ ମାଳତୀ ଚୌଧୁରୀ ଥିଲେ ଅଗ୍ରଗଣ୍ୟା । ପରବର୍ତ୍ତୀ ପର୍ଯ୍ୟାୟରେ ଯିଏ ନୁମା ନାମରେ ସୁପରିଚିତା ହୋଇପାରିଥିଲେ ।

ମାଳତୀ ଚୌଧୁରୀ ଥିଲେ ଏକ ସମ୍ଭ୍ରାନ୍ତ ପରିବାରର ଝିଅ ଓ ବୋହୁ । ସେ ୧୯୦୪ ମସିହା ଜୁଲାଇ ୨୬ ତାରିଖରେ କଲିକତା ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସେତେବେଳର ପାଟନା ହାଇକୋର୍ଟର ସୁନାମଧନ୍ୟ ବାରିଷ୍ଟର କୁମୁଦନାଥ ସେନ୍ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ହେଲେ ଜଗତସିଂହପୁର ଖେରସ ଗ୍ରାମର ଚୌଧୁରୀ ପରିବାରର କୁଳବଧୂ ଓ ମହାନ ଦେଶଭକ୍ତ ଓ ରାଷ୍ଟ୍ରନୀତିଜ୍ଞ ନବକୃଷ୍ଣ ଚୌଧୁରୀଙ୍କ ଧର୍ମପନôୀ । ବାଲ୍ୟକାଳରୁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର, ବାପୁ ମହାତ୍ମା ଓ ସନ୍ଥ ବିନୋବାଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କ ତ୍ୟାଗ ଓ ଆଦର୍ଶରେ ନିଜକୁ ଗଢି ନେଇଥିଲେ । ସେହିପରି ପରେ ବଡ଼ ଯା’ ରମାଦେବୀ, ଦେଢଶୁର ଗୋପବନ୍ଧୁ ଚୌଧୁରୀ, ସ୍ୱାମୀ ନବକୃଷ୍ଣ ଚୌଧୁରୀଙ୍କ ଆଦର୍ଶ ତାଙ୍କୁ ଜଣେ ସଫଳ ନାରୀନେତ୍ରୀ ହେବାରେ ଯଥେଷ୍ଟ ସହାୟକ ହୋଇଥିଲା । ଆଉ ତା’ ପରର ଘଟଣା ଥିଲା ଏକ ସ୍ୱର୍ଣ୍ଣାଭ ଇତିହାସ ।

୧୯୨୭ ମସିହା ଜୁଲାଇ ୨୭ ତାରିଖରେ ବଙ୍ଗୀୟ ବ୍ରାହ୍ମକନ୍ୟା ମାଳତୀ ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କଲାପରେ ତାଙ୍କର ଜୀବନର ଗତିପଥ ବଦଳି ଯାଇଥିଲା । ଏହାପରେ ସେ ମାଳତୀ ସେନ୍ରୁ ମାଳତୀ ଚୌଧୁରୀ ହୋଇ ଏକ ମହାନ ବିପ୍ଳବିଣୀ ମହିଳା ରୂପେ ଆତ୍ମପ୍ରକାଶ କରିଥିଲେ । ଦାମ୍ପତ୍ୟ ସୁଖକୁ ପଛରେ ପକାଇ ମାଳତୀ ଚୌଧୁରୀ ଜମିଦାର ଉଆସ ଛାଡି ତରିକୁନ୍ଦ ଠାରେ ଥିବା କୃଷି ଫାର୍ମରେ ଯାଇ ରହିଲେ । କଲିକତାର ସୁନାମଧନ୍ୟ ବାରିଷ୍ଟରଙ୍କ ଝିଅ ମାଳତୀଙ୍କ ପାଇଁ ନା ସେଠାରେ ଥିଲା ଗାଧୁଆଘର ନା ପାଇଖାନା । ଆଦର୍ଶ ପନôୀ ଥିଲେ ସେ । ସେଠାରେ ସ୍ୱାମୀ ନବକୃଷ୍ଣଙ୍କ ସହ ମିଶି ଚଳିବାରେ ମାଳତୀ ଦେବୀଙ୍କର କୌଣସି ଆପତ୍ତି ନଥିଲା । ଏହି କୃଷି ଆଶ୍ରମରେ ମାଳତୀ ଦେବୀ ସ୍ୱାମୀଙ୍କ ସହ ମିଶି କୃଷିକାର୍ଯ୍ୟ ଆରମ୍ଭ କରିଥିଲେ ।

ଏଥସହିତ ନୈଶ୍ୟ ବିଦ୍ୟାଳୟ ସ୍ଥାପନ, ଅସ୍ପୃଶ୍ୟତା ନିବାରଣ ଓ ଯୁବ ସଂଗଠନ ଆଦି କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରିଥିଲେ ସେ । ସ୍ୱାମୀ ସ୍ତ୍ରୀ ଉଭୟେ କିଛିଦିନ ଏହି ଫାର୍ମରେ ରହିବା ପରେ ତରିକୁନ୍ଦ କୃଷିଫାର୍ମକୁ କର୍ମୀସଂଘକୁ ଦାନ କରିଦେଇଥିଲେ । ମାଳତୀ ଦେବୀ ନିଜର ସମସ୍ତ ସୁନା ଗହଣାକୁ ସଂଘ ହାତରେ ଅର୍ପଣ କରିଦେଇଥିଲେ । ଏଥିରୁ ମିଳିଥିବା ଟଙ୍କାରେ କଂଗ୍ରେସ ସମାଜବାଦୀ କର୍ମୀସଂଘର ମୁଖପତ୍ର ‘ସାରଥୀ’ ପତ୍ରିକା ପ୍ରକାଶିତ ହୋଇଥିଲା । ୧୯୩୪ରେ ଏହି ସଂଘ ସର୍ବ ଭାରତୀୟ କଂଗ୍ରେସ ଦଳରେ ମିଶିଯାଇଥିଲା ।

୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମାଗାନ୍ଧୀ ଲବଣ ସତ୍ୟାଗ୍ରହ ଡାକରା ଦେଲେ । ଓଡ଼ିଶାର ଇଞ୍ଚୁଡି ଓ କୁଜଙ୍ଗରେ ଏହି ଲବଣ ଆଇନ ଭଙ୍ଗକରି ମାଳତୀ ଚୌଧୁରୀ ଜେଲ୍ ଗଲେ । ଏହାପରେ ବିଦେଶୀ ଦ୍ରବ୍ୟ ବର୍ଜନ, ନିଶା ନିବାରଣ ଓ ଗାଁ ଗାଁ ବୁଲି ସତ୍ୟାଗ୍ରହ କାର୍ଯ୍ୟ କରିବା ଯୋଗୁ ସେ ବନ୍ଦୀ ହୋଇ ପୁଣି ଛ’ ମାସ ପାଇଁ ଶିଶୁକନ୍ୟା ଉତ୍ତରା ସହ ଭାଗଲପୁର ସେଣ୍ଟ୍ରାଲ୍ ଜେଲ୍ରେ ରହିଲେ । ୧୯୩୧ ମସିହା ଗାନ୍ଧୀ-ଇରୱିନ୍ ଚୁକ୍ତିରେ ମାଳତୀ ଦେବୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ପୁନଶ୍ଚ ୧୯୩୨ରେ ଗିରଫ ହୋଇ ଶିଶୁପୁତ୍ର ବିନାୟକ ସହ ହଜାରିବାଗ୍ ଜେଲ୍ରେ ରହିଥିଲେ । ୧୯୪୨ ମସିହା ଭାରତଛାଡ଼ ଆନେ୍ଦାଳନରେ ଯୋଗଦେବାରୁ ବ୍ରିଟିଶ୍ ସରକାର ତାଙ୍କୁ ଅଟକବନ୍ଦୀ କରି ରଖିଥିଲେ । ସେତିକିବେଳେ ତାଙ୍କ ବଡଝିଅ ଉତ୍ତରା ମାତ୍ର ୧୫ ବର୍ଷ ବୟସରେ ଭାରତଛାଡ ଆନେ୍ଦାଳନରେ ଯୋଗଦେଇ କାରାବରଣ କରିଥିଲେ ।

୧୯୪୨ରେ ଜେଲ୍ରୁ ମୁକ୍ତି ପାଇବା ପରେ ଦୁସ୍ଥ, ଦରିଦ୍ର, ଆଦିବାସୀ ଓ ଅନାଥ ଶିଶୁଙ୍କ ସେବା କରିବା ପାଇଁ ମାଳତୀ ଚୌଧୁରୀ ଅନୁଗୁଳ ଠାରେ ଆରମ୍ଭ କରିଥିଲେ ବାଜିରାଉତ ଛାତ୍ରାବାସ । ବାଜିରାଉତଙ୍କ ସ୍ମୃତିରେ ଆରମ୍ଭ ଏହି ଛାତ୍ରାବାସରେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେ । ନବବାବୁ ଓ ମାଳତୀ ଦେବୀ ଏହି ଛାତ୍ରାବାସର ବାପାମା’ ସଦୃଶ ଥିଲେ । ଏହି ଛାତ୍ରାବାସରେ ସେ ଦୁହେଁ ବାପି ଓ ନୁମା ନାମରେ ପରିଚିତ ଥିଲେ । ଦେଶ ସ୍ୱାଧୀନ ହେବାପରେ ମଧ୍ୟ ସେ ଆଦିବାସୀ ସେବା, ନାରୀ ଜାଗରଣ, କର୍ମୀ ତାଲିମ୍ ଆଦି କାର୍ଯ୍ୟକ୍ରମ କରିବା ସଙ୍ଗେ ସଙ୍ଗେ ଅନ୍ୟାୟ ଓ ଅନୀତି ବିରୋଧରେ ଜୀବନପଣ କରି ଲଢୁଥିଲେ । ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବି ମାଳତୀ ଦେବୀ ନିଜର କର୍ମକ୍ଷେତ୍ର ବାଜିରାଉତ ଛାତ୍ରାବାସ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ହୋଇ ରହିଥିଲେ ।

ଆଦିବାସୀଙ୍କ ମଧ୍ୟରୁ ଅଜ୍ଞାନ ଓ ଦାରିଦ୍ର୍ୟ ଦୂର କରିବା ପାଇଁ ଏବଂ ସେମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ଓ ଶୋଷଣକୁ ବନ୍ଦ କରିବା ପାଇଁ ସେ ଉକôଳ ନବଜୀବନ ମଣ୍ଡଳ ଗଢିଥିଲେ ।

ଜଣେ ବିପ୍ଳବିଣୀ ଭାବେ ଦେଶର ସ୍ୱାଧୀନତା ଆନେ୍ଦାଳନରେ ଅଂଶଗ୍ରହଣ କରିବା ସହିତ ସମାଜରୁ ଦୁର୍ନୀତି, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବାରେ ମାଳତୀ ଦେବୀଙ୍କ ଦୃଢତା ତାଙ୍କୁ ଓଡ଼ିଶା ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଦେଇଛିା ଖଟିଖିଆ ମଣିଷ, ଦରିଦ୍ର ଚାଷୀ ଓ ମଜଦୁର ହୃଦୟରେ ପ୍ରାଣ ସଂଚାର କରିବା ଥିଲା ତାଙ୍କ ଜୀବନର ବ୍ରତ । ଅର୍ଦ୍ଧଶତାବ୍ଦୀରୁ ଉଦ୍ଧ୍ୱର୍ କାଳଧରି ମାନବ ସେବାରେ ନିଜକୁ ସେ ଉତ୍ସର୍ଗୀକୃତ କରିଛନ୍ତି । ସ୍ନେହ, ଆଦର ଓ ସେବାଯନô ଯୋଗୁଁ ତାଙ୍କୁ ୧୯୮୭ରେ ଜାତୀୟ ପୁରସ୍କାର ମିଳିଥିଲା । ମହିଳା, ଶିଶୁକଲ୍ୟାଣ ଓ ଉନ୍ନୟନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୮୮ରେ ତାଙ୍କୁ ଯମୁନାଲାଲ ବଜାଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏସବୁ ଅର୍ଥକୁ ସେ ମାଳତୀ ଦେବୀ – ନବକୃଷ୍ଣ ଟ୍ରଷ୍ଟ ଗଠନରେ ବିନିଯୋଗ କରିଥିଲେ । ୧୯୯୫ରେ ଉକ୍ରଳ ସମ୍ମାନ ଓ ୧୯୯୮ରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ସମ୍ମାନ ‘ଦେଶୀକୋତ୍ତମ’ ଉପାଧିରେ ତାଙ୍କୁ ଭୂଷିତ କରାଯାଇଥିଲାା

୧୯୯୮ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ମହୀୟସୀ ମହିଳା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାଜିରାଉତ ଛାତ୍ରାବାସରେ । କିନ୍ତୁ ସେ ଜୀଇଁ ରହିଛନ୍ତି ଆମ ମାନସ ପଟରେ ଚିରଦିନ ପାଇଁ । ସତରେ ତାଙ୍କ ତ୍ୟାଗର ତୁଳନା ନାହିଁ । ହେଲେ ତାଙ୍କ ପ୍ରଦର୍ଶିତ ମାର୍ଗ ଓ ଉତ୍ସର୍ଗୀକୃତ ଜୀବନାଦର୍ଶ ଇତିହାସର ପାଣ୍ଡୁଲିପି ହୋଇ ରହିଛି । ସେ ପାଣ୍ଡୁଲିପିକୁ ପଢିବାର ଅଛି ଓ ତାର ସାର ମର୍ମକୁ ବୁଝିବାର ଅଛି । ବଙ୍ଗୀୟ କନ୍ୟା ଓ ଓଡିଶାର ବୋହୂ ମାଳତୀ ଚୈାଧୁରୀଙ୍କ ଜୀବନାଦର୍ଶ ଏ ଜାତିକୁ ଦିଗ୍ଦର୍ଶନ ଦେଉ ଏହା ହିଁ ଆଜି ର ଅନୁଚିନ୍ତା ।

Leave A Reply