ସୋର- ୨୫/୦୮ : ଜନ୍ମରୁ ମଧୁମେହରେ ପୀଡିତ ନାବାଳକ ପ୍ରମୋଦ ଏବେ ନାନାଦି ରୋଗରେ ପୀଡ଼ିତ ହୋଇ ଜୀବନ ସହିତ ସଂଗ୍ରାମ କରୁଥିବା ବେଳେ ମା ପୁଅକୁ ଭଲ କରିବା ପାଇଁ ଅନେକ ପ୍ରକାର ଉଦ୍ୟମ କରି ଶେଷକୁ ନିରାଶ ହୋଇ ଆଖିବୁଜି ଦେଇଛନ୍ତି । ଗରିବ ବାପ ବିଲାବାଡ଼ିରେ କାମଧନ୍ଧା କରି ପୁଅକୁ ଭଲ କରିବା ପାଇଁ ଆପ୍ରାଣ ଉଦ୍ୟମ କରି ଅର୍ଥାଭାବରୁ ହତାଶ ହୋଇପଡ଼ିଛନ୍ତି । ଗତ କିଛି ଦିନ ତଳେ ପ୍ରମୋଦଙ୍କ ଗୋଡ଼ରେ ଆଘାତ କାରଣରୁ ରୋଗଗ୍ରସ୍ତ ହୋଇ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ମାତ୍ର ତାଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବାରୁ ପୁଅକୁ କଟକ ନେଇ ଚିକିତ୍ସା କରିବା ପାଇଁ ସାହସ କରିପାରୁ ନାହାନ୍ତି ।
ସୋର ଥାନା ଅନ୍ତର୍ଗତ କୁରୁଡ଼ା ଗ୍ରାମର ମୁକ୍ତିକାନ୍ତ ନାୟକଙ୍କର ଏକମାତ୍ର ପୁଅ ପ୍ରମୋଦ ନାୟକ(୧୭) ପିଲାଟିବେଳୁ ନାନାଦି ରୋଗରେ ଆକ୍ରାନ୍ତ ହୋଇପଡ଼ୁଥିବାରୁ ଚିକିତ୍ସା ପାଇଁ ବାପା ମା ବିଭିନ୍ନ ଡାକ୍ତରଖାନାକୁ ନେଇଥାନ୍ତି । ପ୍ରମୋଦକୁ ଭଲ କରି ନପାରି ଗଭୀର ମନସ୍ତାପରେ ମା ମଧ୍ୟ କିଛିଦିନ ତଳେ ପରପାରିକୁ ଚାଲି ଯାଇଛନ୍ତି । ବାପା ମୁକ୍ତିକାନ୍ତ ନିଜର ଏକମାତ୍ର ପୁଅକୁ ଭଲ କରିବା ପାଇଁ ପରଘରେ ମୂଲ ଲାଗି ଯାହା ଟଙ୍କା ପାଆନ୍ତି ସେଥିରେ ପୁଅର ଚିକିତ୍ସା ପାଇଁ ଖର୍ଚ୍ଚ କରିଥାନ୍ତି । ବହୁ କଷ୍ଟରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ପ୍ରମୋଦ ମାଙ୍କର ମୃତୁ୍ୟ ପରେ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ପାଠପଢ଼ାରେ ଡୋରି ବାନ୍ଧିଥିଲେ ।
ଗତ କିଛିଦିନ ତଳେ ତାଙ୍କର ଗୋଡ଼ରେ ଆଘାତ ଲାଗିଥିବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଗୋଡ଼ ପ୍ଲାଷ୍ଟର କରାଯାଇଥିଲା । ପ୍ଲାଷ୍ଟର ଖୋଲାଯିବା ପୂର୍ବରୁ ତାଙ୍କ ଗୋଡ଼ରେ ଘା ହୋଇ ସାଂଘାତିକ ଭାବେ ଗୁରୁତର ହୋଇଯିବା ଫଳରେ ତାଙ୍କୁ କଟକକୁ ନେଇଯିବା ପାଇଁ ପରାମର୍ଶ ଦିଆଯାଇଛି । ଏପରି ଅବସ୍ଥାରେ ମୁକ୍ତିକାନ୍ତଙ୍କ ପାଖରେ ପୁଅର ଚିକିତ୍ସା ସକାଶେ ଆର୍ଥିକ ସହାୟତା ପାଇଁ ବଦାନ୍ୟ ବ୍ୟକ୍ତି ଏବଂ ସେଚ୍ଛାସେବୀ ସଂସ୍ଥାଙ୍କ ନିକଟରେ ମୋ- ୬୩୭୧୭୧୦୫୨୧ ନମ୍ବରରେ ଯୋଗାଯୋଗ ନିମନ୍ତେ ନିବେଦନ କରିଛନ୍ତି
