ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ପକେଟ୍ ଉପରେ ମାଡ଼ରୁ ୨୦୨୦ ବର୍ଷ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ରେଳ ଭଡ଼ା, ଏଲ୍ପିଜି ସିଲିଣ୍ଡର ଦାମ୍ ଏବଂ ବିମାନ ଇନ୍ଧନର ମୂଲ୍ୟ ବଢ଼ିଛି। ଗତକାଲି ମଧ୍ୟରାତ୍ରୀରୁ ରେଳ ଭଡ଼ାରେ କିମି ପିଛା ହୋଇଥିବା ୧ରୁ ୪ ପଇସାର ବୃଦ୍ଧିକୁ ଲାଗୁ କରାଯାଇଛି। ଆଜି ୧୪.୨ କେଜିର ଅଣ ସବ୍ସିଡି ଏଲ୍ପିଜି ସିଲିଣ୍ଡର୍ ଦାମ୍ରେ ୨୧ ଟଙ୍କା ୫୦ ପଇସାର ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ଏହି ସିଲିଣ୍ଡର୍ର ବଜାର ଦର ୭୧୪ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏହାର ଦାମ୍ ୬୯୫ ଟଙ୍କା ଥିଲା। ତେବେ ବିଭିନ୍ନ ସହର ଆଧାରରେ ସିଲିଣ୍ଡର ଦାମ୍ରେ ସାମାନ୍ୟ ତାରତମ୍ୟ ରହୁଛି। କୋଲକାତାରେ ସିଲିଣ୍ଡର୍ ଦାମ୍ ସର୍ବାଧିକ ୨୧ ଟଙ୍କା ୫୦ ପଇସା ବଢ଼ିଛି। ୨୦୧୯ ଅଗଷ୍ଟ ପରଠାରୁ ଏଲ୍ପିଜି ସିଲିଣ୍ଡର୍ ଦାମ୍ ୧୪୬ ଟଙ୍କା ବଢ଼ିସାରିଲାଣି। ଗତ ଅଗଷ୍ଟରେ ଶେଷ ଥର ଲାଗି ସିଲିଣ୍ଡର୍ ଦାମ୍ ୬୨ ଟଙ୍କା କମିଥିଲା।
ଆଜି ଠାରୁ ୧୯ କେଜିଆ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ୩୩ ଟଙ୍କା ବଢ଼ିଛି। ଫଳରେ ଏହାର ଦାମ୍ ୧୨୪୧ ଟଙ୍କା ହୋଇଯାଇଛି। ସେହିପରି ପାଞ୍ଚ କେଜିଆ ଛୋଟ ସିଲିଣ୍ଡର୍ ଦାମ୍ ମଧ୍ୟ ୭ ଟଙ୍କା ବଢ଼ି ୨୭୬ ଟଙ୍କା ହୋଇଯାଇଛି। ଆଜି ବିମାନ ଇନ୍ଧନ ମୂଲ୍ୟ କିଲୋ ଲିଟର ପିଛା ୧୬୩୭ ଟଙ୍କା ୨୫ ପଇସା ବୃଦ୍ଧି ପାଇ ୬୪,୩୨୩ ଟଙ୍କା ହୋଇଛି। ତାହାର ପ୍ରତିଫଳନ ଆଗାମୀ ଦିନରେ ବିମାନ ଟିକଟ ଉପରେ ପଡ଼ିବ। ଏହା ଦ୍ବାରା ବିମାନ ଯାତ୍ରା ମହଙ୍ଗା ହେବାର ଆଶଙ୍କା ରହିଛି।
ତେଲ କଂପାନିଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ ବିମାନ ଇନ୍ଧନ ଓ ଏଲ୍ପିଜି ଦାମ୍କୁ ବଦଳାଉଛନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦାମ୍ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ଦରରେ ହ୍ରାସ କିମ୍ବା ବୃଦ୍ଧି କରାଯାଉଛି। ମାତ୍ର, ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ପ୍ରତିଦିନ ବଦଳୁଛି। ଏଟିଏଫ୍ ଦରବୃଦ୍ଧି ସତ୍ତ୍ବେ ଏହାର ଲିଟର ପିଛା ଦାମ୍ ପେଟ୍ରୋଲ୍ ଓ ଡିଜେଲ୍ ଠାରୁ କମ୍ ରହିଛି। ଏକ ଲିଟର ଏଟିଏଫ୍ର ମୂଲ୍ୟ ୬୪ ଟଙ୍କା ୩୨ ପଇସା ରହିଛି। ୨୦୨୦ର ପ୍ରଥମ ଦିନରେ ଭୁବନେଶ୍ବରରେ ପେଟ୍ରୋଲ୍ର ଲିଟର ପିଛା ଦାମ୍ ୭୪ ଟଙ୍କା ୧୭ ପଇସା ଓ ଡିଜେଲ ଦାମ୍ ୭୨ ଟଙ୍କା ୯୬ ପଇସା ରହିଛି। ୨୦୧୯ ଡିସେମ୍ବର ୩୧ରେ ଦର ଯାହା ଥିଲା ୨୦୨୦ ଜାନୁଆରି ୧ରେ ତାହା ହିଁ ରହିଛି। ଏହି ଦୁଇ ଇନ୍ଧନ ଦାମ୍ରେ ପରିବର୍ତ୍ତନ ହୋଇନାହିଁ।
ତେବେ କିରାସିନିର ଲିଟର ପିଛା ଦାମ୍ ୨୬ ପଇସା ବୃଦ୍ଧି ପାଇ ୩୫ ଟଙ୍କା ୫୮ ପଇସା ହୋଇଛି। ୨୦୧୬ର ନିଷ୍ପତ୍ତି ଅନୁସାରେ ପ୍ରତି ମାସରେ କିରାସିନି ଦାମ୍ ୨୫ ପଇସା ଲେଖାଏଁ ବଢ଼ୁଛି।
ଟ୍ୱିଟରରେ ଅସନ୍ତୋଷ
ବର୍ଷର ପ୍ରଥମ ଦିନରେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହୋଇଥିବାରୁ ଟ୍ବିଟର୍ରେ ଲୋକମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ସେମାନେ ବିଭିନ୍ନ ପ୍ରକାର ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇଛନ୍ତି। ଉପା ସରକାରଙ୍କ ଅମଳରେ ଗ୍ୟାସ୍ ଦର କେତେ ଥିଲା ତାହାକୁ ଜଣେ ବ୍ୟବହାରକାରୀ ମନେ ପକାଇ ଦେଇଛନ୍ତି। ଉପା ସରକାରଙ୍କ ଅମଳରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୪୩୦ ଟଙ୍କା ଥିଲା ଓ ଏବେ ତାହା ୭୧୪ ଟଙ୍କା ହୋଇଛି ବୋଲି ସେ ଲେଖିଛନ୍ତି। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ରେଳ ଭଡ଼ା, ଏଲ୍ପିଜି ସିଲିଣ୍ଡର୍, ଏଟିଏଫ୍ ମୂଲ୍ୟ, ଅଣ-ସବ୍ସିଡି ଏଲ୍ପିଜି ଦାମ୍ ବଢ଼ିଲା। ମୋଦୀ ସରକାରଙ୍କୁ ତରଫରୁ ଏହା ହେଉଛି ନବବର୍ଷ ଭେଟି। ମଧ୍ୟବିତ୍ତ ପରିବାର ପାଇଁ କି ସୁନ୍ଦର ଉପହାର? ବୋଲି ଅନ୍ୟ ଜଣେ ଟ୍ବିଟର୍ ବ୍ୟବହାରକାରୀ ତାତ୍ସଲ୍ୟ କରି ଲେଖିଛନ୍ତି।