ଗୋଟିଏ ଗ୍ରାମରେ ଜଣେ କୃଷକ ଥିଲେ l ସେ ଅତ୍ୟନ୍ତ ପରିଶ୍ରମୀ ଥିଲେ l ତାଙ୍କର ଗୋଟିଏ ପୁଅଟିଏ ଥିଲା ,ପୁଅଟିର ସ୍ୱଭାବ ଭଲ ଥିଲେ ମଧ୍ୟ ସେ ଅତ୍ୟନ୍ତ ଅଳସୁଆ ଥିଲା l ଯେତେବେଳେ ବି ସମୟ ମିଳୁଥିଲା ପିଲାଟି ସୋଇ ପଡୁଥିଲା l ଘରର କୌଣସି ପରିସ୍ଥିତିକୁ ସେ ବୁଝିବାକୁ ପ୍ରସ୍ତୁତ ନଥିଲା l କୃଷକ ଜଣଙ୍କ ପିଲାଟିର ଆଳସ୍ୟ ପ୍ରକୃତିରେ ଅତିଷ୍ଠ ହୋଇ ତାକୁ ସବୁବେଳେ ମାରଧର କରିବାକୁ ଲାଗିଲେ l ଯାହା ଦ୍ୱାରା ଘରେ ଆସନ୍ତି ସୃଷ୍ଟି ହେଲା ,ପିଲାଟିର ମା ଏସବୁ ଦେଖି କୃଷକଙ୍କୁ କହିଲେ ପୁଅକୁ ନେଇ ଗୋଟିଏ ଗୁରୁକୁଳରେ ଛାଡି ଆସିବା ପାଇଁ କାରଣ ସେଠାକାର ଶୃଙ୍ଖଳା ପିଲାଟିକୁ ଠିକ କରିଦେବା ବୋଲି ମା ବାପାଙ୍କର ବିଶ୍ୱାସ ଥିଲା l
ତେଣୁ କୃଷକ ଜଣଙ୍କ ଏହି କଥାରେ ରାଜି ହୋଇ ପିଲାଟିକୁ ନେଇ ଗୋଟିଏ ଗୁରୁକୁଳରେ ଛାଡିଲେ ,ହେଲେ କିଛି ଲାଭ ମିଳିଲା ନାହିଁ l ପିଲାଟି ସେଠି ମଧ୍ୟ ସୁଯୋଗ ପାଇ ସୋଇ ପଡୁଥିଲା l ତେଣୁ ସେଠାକାର ଗୁରୁ ପିଲାଟିକୁ ଘରକୁ ବିଦା କରିଦେଲେ l ଚାଷୀ ଜଣଙ୍କ ଚିନ୍ତା କଲେ କଣ କରିବେ ?ଏହି ସମୟରେ ତାଙ୍କର ଜଣେ ସମ୍ପର୍କୀୟ କହିଲେ ଯେ ଗାଁ ନିକଟ ନଦୀ ସେପଟେରେ ଗୋଟିଏ ସୁନ୍ଦର ଆଶ୍ରମ ଅଛି l ଯେଉଁଠି ଅନେକ ବିଗିଡି ଯାଇଥିବା ପିଲା ବାଟକୁ ଆସନ୍ତି l କୃଷକ ଜଣଙ୍କ ତାଙ୍କ ପୁଅକୁ ନେଇ ସେଠାରେ ଛାଡି ଆସିଲେ l ସେଠି ମଧ୍ୟ ପିଲାଟି ଖାଲି ସୁଯୋଗ ଉଣ୍ଡିଲା ଗୁରୁ କେତେବେଳେ କୁଆଡେ ଯିବେ ସିଏ ସୋଇ ପଡିବ l
ଦୁଇଦିନ ଯିବା ପରେ ତୃତୀୟ ଦିନ ଗୁରୁ ଆଶ୍ରମରୁ ବାହାରକୁ ଗଲେ l ଏହା ପରେ ପିଲାଟି ନିଘୋଡ଼ ନିଦ୍ରାରେ ସୋଇ ପଡିଲା l ତାର ନିଦ ଭାଙ୍ଗିଲା ବେଳକୁ ସନ୍ଧ୍ୟା ହୋଇ ଗଲାଣି l ସେ ଧଡପଡ ହୋଇ ଉଠି ବସିଲା l ସେ ଦେଖିଲା ଗୁରୁଦେବ ତା ମୁଣ୍ଡ ପାଖରେ ବସି ତାକୁ ବିଂଚିବାରେ ବ୍ୟସ୍ତ l ଏହା ପରେ ପିଲାଟି ଲଜ୍ଜିତ ହୋଇ କହିଲା ଆଜ୍ଞା ସୋଇ ପଡ଼ିଥିଲି କ୍ଷମା କରିବେ l ଗୁରୁ କହିଲେ-କିଛି ଦୁଃଖ କରନା l ଜେତେବେଳେ ଇଛା ହେବ ସେତେବେଳେ ତୁମେ ସୋଇ ପାରିବ l ତୁମେ ଶାନ୍ତିରେ ସୋଇବ ବୋଲିତ ମୁଁ ତୁମକୁ ବିଞ୍ଚି ଦେଉଥିଲି l ପିଲାଟି କହିଲା -ଆଉ ମୋତେ ଲଜ୍ଜିତ କରନ୍ତୁ ନାହିଁ l ସେହି ଦିନଠାରୁ ପିଲାଟିର ଚାଲିଚଳନରେ ପରିବର୍ତ୍ତନ ଦେଖା ଗଲା l
ନୀତିଶିକ୍ଷା-“ସବୁ ଅଭ୍ୟାସକୁ କଠୋରତା ସହିତ ପରିବର୍ତ୍ତନ କରି ହୁଏ ନାହିଁ ,ସ୍ନେହ ଦ୍ୱାରା ମଧ୍ୟ ପରିବର୍ତ୍ତନ କରାଯାଇ ପରେ l ”