ବେତନଟୀ : ଆଜି ବଡସାହି ବିଧାୟକ ସନାତନ ବିଜୁଳି ବେତନଟୀ ବଙ୍ଗଳାଛକ ନିକଟରେ ଥିବା ବୁବୁନ ଭାଈ ଚା ଦୋକାନ ନିକଟରେ ବେତନଟୀ ଅଞ୍ଚଳର ବାରିକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଭେଟିଛନ୍ତି । ବାରିକ ମାନେ ବିଧାୟକଙ୍କୁ ସେମାନଙ୍କ ଦୁଃଖ କହି ଥିଲେ । ଗତ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଓ ୨୪ ତାରିଖରେ ଲକଡାଉନ ଆରମ୍ଭ ହେବା ପରେ ଏମାନଙ୍କ ଦୈନିକ ବୃତ୍ତି ବୁଡି ଯାଇଛି । ଦୀର୍ଘ ଦୁଇମାସରୁ ଉର୍ଦ୍ଧ ଘରେ ବସି ବସି ସଞ୍ଚିତ ଥିବା ଆର୍ଥିକ ସମ୍ବଳ ସମାପ୍ତ ହୋଇ ଯାଇ ଥିବା ବେଳେ ରୋଜଗାରର ଅନ୍ୟ ଉପାୟ ମଧ୍ୟ ଦେଖା ଯାଉ ନାହିଁ । ବାରିକ ସମ୍ପ୍ରଦାୟ ପାଇଁ ସ୍ୱତନ୍ତ୍ର ସହାୟତାର ପ୍ୟାକେଜ ପାଇଁ ସଦସ୍ୟ ମାନେ ବିଧାୟକଙ୍କ ନିକଟରେ ଦାବି କରି ଥିଲେ ।
ମାମଲାର ଗୁରୁତ୍ୱ ବୁଝି ବଡସାହି ବିଧାୟକ ସନାତନ ବିଜୁଳି ବାରିକ ସଙ୍ଘକୁ ସାନ୍ତ୍ୱନା ଦେଇ ଥିବାର ଦେଖା ଯାଇ ଥିଲା । ଏନ୍ତୁଡିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ଜଣେ ମଣିଷର ସମସ୍ତ ସାମାଜିକ ପ୍ରଥାରେ ଆପଣ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ପ୍ରକାଶ କରି ଥିଲେ । ଉପସ୍ଥିତ ସଦସ୍ୟ ମାନଙ୍କୁ ବିଧାୟକ ମାସ୍କ, ସାବୁନ, ଶୁଖିଲା ଖାଦ୍ୟ ପ୍ରଦାନ କରି ଥିଲେ । ଏହି କାର୍ଯ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା କର୍ମକର୍ତ୍ତା ତପନ କୁମାର ନାୟକ, ମଣ୍ଡଳ ସମ୍ପାଦକ ସଞ୍ଜୟ କୁମାର ବେହେରା, ପ୍ରଶାନ୍ତ କୁମାର ନାଥ, ଅମୀୟ ରଞ୍ଜନ ଲେଙ୍କା, ମୀନା ମହାନ୍ତ, କୁନା ମହାନ୍ତ, ମନୋରଞ୍ଜନ ରାଉତ, ଅମୃତ ରଞ୍ଜନ ଲେଙ୍କା, ହିମାଂଶୁ କବାଟ, ଚିତ୍ତରଞ୍ଜନ ମହାନ୍ତି, ମନ୍ମୟ ଦାସ, ତପନ ପରିଡା, ପ୍ରବୀର କୁମାର ବାରିକ, ମାଧବପ୍ରସାଦ ମଢ଼ୁଆଳ, ରଞ୍ଜନ ବଳବନ୍ତରାୟ ପ୍ରମୁଖ ସହଯୋଗ କରି ଥିଲେ ।