ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ଘଟଣାରେ ବହିଷ୍କୃତ ବିଜେପି ନେତା କୁଳଦୀପ ସିଂହ ସେଙ୍ଗାର୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଆଜି ଦିଲ୍ଲୀ ଅଦାଲତ ଏହି ମାମଲାର ରାୟ ଶୁଣାଇଛନ୍ତି। ୧୧ ଜଣ ଅଭିଯୁକ୍ତମାନଙ୍କ ମଧ୍ୟରୁ କୁଳଦୀପ ସିଂହ ସେଙ୍ଗାର୍ ଏବଂ ଅନ୍ୟ ୧୧ଜଣଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।
ବିଚାର ବିଭାଗୀୟ ହାଜତ ମଧ୍ୟରେ ୨୦୧୮ ଏପ୍ରିଲ୍ରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ଏପ୍ରିଲ୍ ୩ ତାରିଖ ଦିନ ସେ ଓ ତାଙ୍କର ଜଣେ ସହକର୍ମୀ ନିଜ ଗାଁ ମାଖିକୁ ଫେରୁଥିଲେ। ଶଶୀପ୍ରତାପ ସିଂହ ବୋଲି ଜଣେ ବ୍ୟକ୍ତି ସେମାନଙ୍କୁ ଲିଫ୍ଟ୍ ନଦେବାରୁ ପାଟିତୁଣ୍ଡ ହୋଇଥିଲା। ଏ କଥା ସେ ବର୍ଷ ଜୁଲାଇ ମାସରେ ହୋଇଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି।

ପାଟିତୁଣ୍ଡ ହେବାରୁ ଶଶୀପ୍ରତାପ ନିଜର ସହଯୋଗୀମାନଙ୍କୁ ଡାକିଥିଲେ। ଅନ୍ୟମାନଙ୍କ ସହ କୁଳଦୀପ ସେଙ୍ଗର୍ଙ୍କ ଭାଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉନ୍ନାଓ ପୀଡ଼ିତାଙ୍କ ବାପା ଓ ତାଙ୍କ ସହକର୍ମୀଙ୍କୁ ମାରଧର କରିଥିଲେ।
ଏହାପରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ସେମାନେ ଥାନାକୁ ନେଇଯାଇଥିଲେ। ସେଠାରେ ତାଙ୍କ ବିରୋଧରେ ଏଫ୍ଅଇଆର୍ ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। କୁଳଦୀପ ସେଙ୍ଗାର୍ ପୁଲିସ ଓ ପୀଡ଼ିତାଙ୍କ ବାପାଙ୍କୁ ଚିକିତ୍ସା କରୁଥିବା ଡାାକ୍ତରଙ୍କ ସବୁବେଳେ ଯୋଗସୂତ୍ର ରଖିଥିଲେ। ତେଣୁ କୁଳଦୀପ ସେଙ୍ଗାର୍, ତାଙ୍କ ଭାଇ ଅତୁଲ, ମାଖି ଥାନା ଭାରତପ୍ରାପ୍ତ ଅଧିକାରୀ ଅଶୋକ ସିଂହ ଭଦୌରିଆ, ସବ୍ିନ୍ସ୍ପେକ୍ଟର୍ କାମାତ ପ୍ରସାଦ, କନେଷ୍ଟବଳ ଅମିର ଖାଁ ଏବଂ ଅନ୍ୟ ୬ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲା।
ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ମତେ ଗତବର୍ଷ ଅଗଷ୍ଟ ମାସରେ ଉତ୍ତର ପ୍ରଦେଶ ଟ୍ରାଏଲ୍ କୋର୍ଟରୁ ମାମଲା ଦିଲ୍ଲୀ ଅଦାଲତକୁ ସ୍ଥାନାନ୍ତରିତ ହୋଇଥିଲା।