କୋରେଇ : ଲଘୁଚାପ ଫଳରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ସ୍ରୋତ ପ୍ରଖର ହୋଇଛି । ନଦୀରେ ପ୍ରବଳ ପାଣି ଆସିବାର ସମ୍ଭାବନା ଥିବାରୁ ନଦୀ କୁଳବର୍ତୀ ଅଂଚଳ ବନ୍ୟାଜଳରେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବାସହ ଆଖପାଖ ଅଂଚଳ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ପରସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସକାଳେ ଜିଲ୍ଲାପାଳ ରଂଜନ କୁମାର ଦାସ, ବିଡିଓ ସ୍ୱେତାସ୍ନିଗ୍ଧା, ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ମୁକୁନ୍ଦପୁର ପଂଚାୟତକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।
ପୂର୍ବାହ୍ନ ଠାରୁ ନଦୀରେ ଭୟଙ୍କର ଜଳସ୍ତର ବୃଦ୍ଧିଘଟି କୋରେଇ ବ୍ଲକର ରଣପୁର, ଗୌରପୁର, ମୁକୁନ୍ଦପୁର, ଅମୃତିଆ, ବନ୍ଦାଳୋ, ଅସନଝର, ମୂଳାପାଳ ଓ ପଥରପଦା ପଂଚାୟତ ସମେତ ମୋଟ ୮ ଟି ପଂଚାୟତର ୬୬ ଗାଁର ୩୯ ହଜାର ୭ ଶହ ୭୯ ଜଣ ଓ ୧୬ ହଜାର ୫ ଶହଟି ଗୋରୁଗାଇ ପ୍ରଭାବିତ ହୋଇଛନ୍ତି । ଏବେବି ସମସସ୍ତ ଗ୍ରାମ ଜଳମଗ୍ନ ହେବାସହ ଲୋକେ ପାଣିଘେର ମଧ୍ୟରେ ଅଛନ୍ତି ।
ବହୁତ ଘରେ ପାଣି ପଶିଯିବା ଦ୍ୱାରା ବାସହରା ହୋଇ ଲୋକେ ଗାଁର ସ୍କୁଲ ମାନଙ୍କରେ ଆଶ୍ରୟ ନେଇଛନ୍ତି । ଏହି ଅଂଚଳର ଲୋକମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଚଳନ୍ତି ହେଲେ ନୂଆକରି ରୁଆପୋତା ହୋଇଥିବା ହଜାର ହଜାର ହେକ୍ଟର ଚାଷ ଜମି ଗୁଡିକ ବନ୍ୟାଜଳରେ ବୁଡି ରହିଥିବାରୁ ଧାନ ତଳି ଗୁଡିକ ପଚିଯାଏ ତାହାହେଲେ ଚାଷୀମାନେ ସର୍ବସ୍ୱାନ୍ତ ହୋଇଯିବେ । ପ୍ରଶାସନ ଏବେବି ବନ୍ୟା ବିପନ୍ନଙ୍କ ନିଟରେ ପହଁଚି ପାରିନାହିଁ ।
ସରକାରୀ ସହାୟତା ଏମାନଙ୍କ ପାଇଁ ସାତସପନ ହୋଇଯାଇଛି । କେବଳ ମୂଳାପାଳ, ବନ୍ଦାଳ ଓ ମୁକୁନ୍ଦପୁରକୁ ୩ ଟି ବୋଟ୍ ଦେଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କ ନିକଟରେ କୌଣସି ରନ୍ଧାଖାଦ୍ୟ କିମ୍ବା ସୁଖିଲା ଖାଦ୍ୟ କି ମହମବତୀ, ଦିଆସିଲିଟିଏ ମଧ୍ୟ ପହଂଚିପାରି ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏବେବି ଲୋକ ମାନେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ବେଳେ ଗୋରୁଗାଇ ଗୁଡିକ ଭୋକ ଉପାସରେ ରହିଛନ୍ତି