ଚେଇଁ ଶୋଇଚି କୋଣାର୍କ ବନ ବିଭାଗ ; ଅଭୟାରଣ୍ୟ ରୁ ଦିନରେ କାଠ ଲୁଟି ଚାଲିଛନ୍ତି କାଠ ମାଫିଆ ରାଜ୍ୟ By On Apr 14, 2020 0 Share କୋଣାର୍କ :-କରୋନା ପାଇଁ ଲକଡ଼ାଉନ ଜାରି ରହିଛି ।ଫଳରେ ଚାରିଆଡ଼େ ଖାଁଖାଁ ଓ ନିର୍ଜନତାର ମାହୋଲ ସୃଷ୍ଟି ହୋଇଛି । ତେବେ ଏହି ଲକଡ଼ାଉନ ଓ ନିର୍ଜନତାର ଭରପୁର ସୁଯୋଗ କାଠ ମାଫିଆ ମାନେ ଊଠାଉଥିବାର ଜଣାପଡ଼ିଛି । କୋଣାର୍କ- ପୁରୀ ବେଳାମାର୍ଗ ପାର୍ଶ୍ବରେ ଥିବା ବାଲୁଖଣ୍ଡ ଜଙ୍ଗଲରେ ଗତବର୍ଷ ଫନି ବାତ୍ୟାରେ ଭାଙ୍ଗି ପଡ଼ିଥିବା ଝାଉଁକାଠ ପ୍ରତ୍ୟେହ ଚୋରି ହେଉଥିବାର ଅଭିଯୋଗ ଉଠିଛି ।ମିଳିଥିବା ସୂଚନା ମୁତାବକ ୮୭ବର୍ଗ କିମି ପରିମିତ ବାଲୁଖଣ୍ଡ ଅଭୟାରଣ୍ୟ ରୁ କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧିନରେ ବାଲିଦୋକାନ, କୋଣାର୍କ ଓ ରାମଚଣ୍ଡୀ ସେକ୍ସନ ରହିଛି ।ଉକ୍ତ ତିନୋଟି ସେକ୍ସନ କୋଣାର୍କ –ପୁରୀ ବେଳାମାର୍ଗର କୁଶଭଦ୍ରା ନଦୀ ଠାରୁ ଆରମ୍ଭ ହୋଇ କୋଣାର୍କ- କାକଟପୁର ରାସ୍ତାର ଟିକରପଡ଼ା ବ୍ରିଡ଼ ଅଂଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ ।ଉକ୍ତ ତିନୋଟି ସେକ୍ସନ ଅଧିନରେ ୧୯ଟି ଇଡ଼ିସି (ଗ୍ରାମ୍ୟ ଜଙ୍ଗଲ କମିଟି) ରହିଛି । ଗତଫନି ବାତ୍ୟାରେ ବାଲୁଖଣ୍ଡରେ ବ୍ୟାପକ ପରିମାଣର ଝାଉଁଗଛ ଭାଙ୍ଗିଥିଲା ।ମାତ୍ର କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟରେ ଅଧିନରେ ଥିବା ବାଲୁଖଣ୍ଡ ଜଙ୍ଗଲରେ କେଉଁ ଗଛ କେତେ ପରିମାଣରେ ଭାଙ୍ଗିଛି ତାର ସଠିକ ହିସାବ ମିଳୁନାହିଁ । ବାଲୁଖଣ୍ଡରେ ଭାଙ୍ଗି ଯାଇଥିବା ଗଛ ଗୁଡ଼ିକୁ କଟାଯାଇ ଉକ୍ତ ସ୍ଥାନରେ ନୂତନ ଭାବେ ବନୀରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।ମାତ୍ର ଏପର୍ଯ୍ୟନ୍ତ କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧିନରେ ଥିବା ଅଂଚଳ ମଧ୍ୟରୁ କେତେ ଅଂଚଳରୁ ଫନିରେ ଭାଙ୍ଗିଥିବା କେଉଁ ଗଛ କେତେ ପରିମାଣରେ କଟା ଯାଇଛି ଓ ଉକ୍ତ କାଠ ଗୁଡ଼ିକ କେଉଁଠି ରଖାଯାଇଛି ତାହାର କୌଣସି ସୂଚନା ମିଳୁନାହିଁ ।ଅନ୍ୟପକ୍ଷରେ ବାଲୁଖଣ୍ଡରେ ଫନିରେ ଭାଙ୍ଗିଯାଇଥିବା ଗଛର ମୂଳ ଗୁଡ଼ିକ କେବଳ ଦେଖିବାକୁ ମିଳୁଥିବା ସମୟରେ ଗଛର କାଠ କୁଆଡ଼େ ଗଲା ତାକୁ ନେଇ ସନ୍ଦେହ ଉପୁଜିଛି । ଫନିରେ ଭାଙ୍ଗି ବାଲୁଖଣ୍ଡରେ ପଡ଼ିରହିଥିବା ଝାଉଁ ଗଛର ର ସଂଖ୍ୟା ମଧ୍ୟ ଦିନକୁଦିନ କମିବାରେ ଲାଗିଥିବାର ଦେଖାଯାଇଛି ।ଭାଙ୍ଗିଯାଇଥିବା ଗଛଗୁଡ଼ିକ କାଠମାଫିଆ ମାନେ ଚୋରି କରୁଥିବାର ଅଭିଯୋଗ ଉଠିଛି । ଲକଡ଼ାଉନରେ ନିର୍ଜନତାର ସୁଯୋଗ ନେଇ କାଠମାଫିଆ ମାନେ ଗଛ ଗୁଡ଼ିକୁ କାଟି ରଖିବା ପରେ ରାତ୍ରିର ନିର୍ଜନତାରେ ଚୋରା ଚାଲାଣ କରୁଥିବାର ଅଭିଯୋଗ ପ୍ରକାଶ ପାଇଛି ।ଏସଂପର୍କରେ ବନବିଭାଗ ନିଦ୍ରାରେ ଥିବା ଭଳି ପରିଲକ୍ଷିତ ହୋଇଛି । କେବଳ କାଠ ମାଫିଆ ମାନେ ନୁହଁନ୍ତି ଜଙ୍ଗଲରୁ ଏବେ ମୁଣ୍ଡରେ ,ସାଇକେଲରେ ଶହଶହ ଲୋକେ ପ୍ରତ୍ୟେହ କାଠ ବୋହି ନେଉଥିବାର ଦେଖାଯାଇଛି ।କିନ୍ତୁ ଏଦିଗରେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାର ଜଣାପଡ଼ିଛି ।ଏଦିଗରେ ପୁରୀଜିଲ୍ଲା ଡ଼ିଏଫଓ ଦୃଷ୍ଟି ଦେଇ କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧିନରେ ଜାରି ରହିଥିବା ବେଧଡ଼କ କାଠ ଚୋରିକୁ ରୋକିବା ଦିଗରେ ପଦକ୍ଷେପ ନେବାପାଇଁ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି । ଚେଇଁ ଶୋଇଚି କୋଣାର୍କ ବନ ବିଭାଗ ; ଅଭୟାରଣ୍ୟ ରୁ ଦିନରେ କାଠ ଲୁଟି ଚାଲିଛନ୍ତି କାଠ ମାଫିଆ 0 Share