Odisha news

ଜିଲ୍ଲାପାଳଙ୍କ ଚାଷୀ ଚିନ୍ତା, ପରିବା ଦୋକାନୀଙ୍କୁ ଥଇଥାନ କରିବାକୁ ପରାମର୍ଶ

0

ଗୋପ :ଗୋପ ଗସ୍ତ ସମୟରେ ଜିଲ୍ଲାପାଳ ବଲଓନ୍ତ ସିଂ ଚାଷୀମାନଙ୍କ ଜୀବନ ଜୀବିକା ନେଇ ଗୁରୁତ୍ୱାରୋପ କରିଥିଲେ । ଲକ୍ଡାଉନ ଚାଲିଥିବା ସମୟରେ କିଭଳି ଭାବେ ଚାଷୀ ନିଜର କଷ୍ଟ ଉପାର୍ଜିତ ପନିପରିବା ଠିକ୍ ଭାବେ ବିକ୍ରୀ କରିପାରିବ ତାହାକୁ ନଜରରେ ରଖି ଗୋପ ତହସିଲ ଅଧିନରେ ଥିବା ୬ଟି ସାପ୍ତାହିକ ହାଟ ଓ ଗୋପ ବଜାରର ଦୈନିକ ହାଟକୁ କିଭଳି ଭାବେ ସୁଗମ କରି ଏହାକୁ ଏକ ଖୋଲାପଡିଆରେ ଚଲାଇବାକୁ ଜିଲ୍ଲାପାଳ ତହସିଲଦାର ପୃଥ୍ୱିରାଜ ମଣ୍ଡଳଙ୍କୁ ପରାମର୍ଶ ଦେଇଥିଲେ । ଯେହେତୁ ଲକଡାଉନ୍ ଓ ତା ପରେ ମଧ୍ୟ ୬ ମାସ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସରକାର ପରାମର୍ଶ ଦେଇପାରନ୍ତି ସେ ନେଇ ଏକ ପୂର୍ବ ପରିକଳ୍ପିତ ଯୋଜନା ପ୍ରସ୍ତୁତ କରିବାକୁ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟ ପକ୍ଷରେ ଏହି ଲକ୍ଡାଉନ ସ୍ଥିତିରେ ଗୋପ ଅଂଚଳରେ ଥିବା ସମସ୍ତ ଚାଷୀ ନିଜର ଫସଲକୁ ବିକ୍ରୀ କରିବାରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେ ନେଇ ଏକ ଯୋଜନା ପ୍ରସ୍ତୁତ କରି ତା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କହିଥିଲେ । ଗୋପ ପରିବା ହାଟରେ ସାମାଜିକ ଦୂରତ୍ୱ କୁ ଲୋକମାନେ ନମାନିବାରୁ ଏହାକୁ ବନ୍ଦ କରିବାକୁ ପଡିଲା ବୋଲି ଗୋପ ଥାନାଧିକାରୀ ସୁଧିର କୁମାର ସାହୁ କହିଥିବା ବେଳେ ଅନ୍ୟ ଏକ ସ୍ଥାନ ଦେଖି ସେଠାକୁ ପରିବା ହାଟ ଉଠାଇବାକୁ ଜିଲ୍ଲାପାଳ ତାଙ୍କୁ ମଧ୍ୟ କହିଥିଲେ । ଯେପରି ହେଉ ହାଟ ଗୁଡିକ ଠିକ୍ ଭାବେ ଚାଲିଲେ ଚାଷୀମାନେ ଏଥିରେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ବାରମ୍ବାର ତହସିଲଦାରଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ଏ ସଂପର୍କରେ ତହସିଲଦାର ଶ୍ରୀଯୁକ୍ତ ମଣ୍ଡଳଙ୍କ ସହିତ ଯୋଗାଯୋଗ କରିବାରେ ସେ କହିଲେ ଯେ, ଜିଲ୍ଲାପାଳ ଆମକୁ ଚାଷୀଙ୍କ ସ୍ୱାର୍ଥ ଯେପରି ହାନୀ ନହୁଏ ସେ ପ୍ରତି ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେବା ସହିତ ଆଗାମୀ ଦିନରେ ପରିବା ବଜାର ଗୁଡିକ କିଭଳି ଭାବେ ସୁଗମ ରହିବ ତା ପ୍ରତି ଆମେ ଧ୍ୟାନ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ।

Leave A Reply