ଚିକିତ୍ସା ଅବହେଳାରୁ ପର୍ଯ୍ୟଟକଙ୍କ ମୃତ୍ୟୁ, ଆମ୍ବୁଲାନ୍ସ ଅଭାବ ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ଦାୟୀ କଲେ ପର୍ଯ୍ୟଟକ।
କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ର ରାଜ୍ୟର ପର୍ଯ୍ୟଟକ ନୀଲାବାଇ ସୁଦାମ ବାର୍ଗାଜୀ (୫୫)ବର୍ଷ ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ମହାରାଷ୍ଟ୍ର ରାଜ୍ୟ ଅନ୍ତର୍ଗତ ବିଡି ଜିଲ୍ଲା ଗେଉରାଇ ଥାନା ଅଧିନସ୍ଥ ଓଡଗାଏଡୋକ ଗ୍ରାମର ୫୫ଜଣ ପର୍ଯ୍ୟଟକ ଏକ ବସ ଯୋଗେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ। ସୂର୍ଯ୍ୟମନ୍ଦିର ପରିସରରେ ଉକ୍ତ ଯାତ୍ରୀ ମାନଙ୍କ ମଧ୍ୟରୁ ନୀଲାବାଇ ସୁଦାମ ବାର୍ଗାଜୀ (୫୫) ବର୍ଷ ସୂର୍ଯ୍ୟ ମନ୍ଦିର ବୁଲୁଥିବା ବେଳେ ଅଚେତ ହୋଇ ସୂର୍ଯ୍ୟ ମନ୍ଦିର ପରିସରରେ ପଡି ଯାଇଥିଲେ। ତାଙ୍କ ସହିତ ଆସିଥିବା ପର୍ଯ୍ୟଟକ ମାନେ ପ୍ରାଥମିକ ଚିକିତ୍ସା ନିମନ୍ତେ ନୀଲାବାଇ ସୁଦାମ ବାର୍ଗାଜୀ ଙ୍କୁ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ କୋଣାର୍କ ମେଡିକାଲ ଦାୟିତ୍ବରେ ଥିବା ଅଧିକାରୀ ନ ଥିବା ବେଳେ ଗୁରୁତର ଭାବେ ଆହତ ପର୍ଯ୍ୟଟକ ଜଣଙ୍କ ମେଡିକାଲ ବେଡ଼ରେ ପଡି ପ୍ରାୟ ୩୦ମିନିଟ ଧରି ଛଟପଟ ହୋଇଥିବା ଦେଖିବାକୁ ମିଳିଥିଲା।
ଖବର ପାଇ କୋଣାର୍କ ମେଡିକାଲର ଆୟୁଷ ଡାକ୍ତର ଆସି ଗୁରୁତର ଭାବେ ଆହତ ପର୍ଯ୍ୟଟକ ନୀଲାବାଇ ସୁଦାମ ବାର୍ଗୀଜୀ ଙ୍କୁ ଆକ୍ସିଜେନ ଲଗାଇ ଚିକିତ୍ସା ଆରମ୍ଭ କରିବା ସହ ଆମ୍ବୁଲାନ୍ସ ଓ ୧୦୮କୁ ଯୋଗାଯୋଗ କରିଥିଲେ ମଧ୍ଯ ଘଟଣା ସ୍ଥଳରେ ଆମ୍ବୁଲାନ୍ସ କିମ୍ବା ୧୦୮ ଆସି ପହଞ୍ଚି ପାରି ନ ଥିଲା। ଫଳରେ ଚିକିତ୍ସା ଓ ରେଫରାଲ ହୋଇ ନ ପାରିବା ଯୋଗୁଁ ପର୍ଯ୍ୟଟକ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଠାରେ ପ୍ରକାଶ ଥାଉ କି ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଆମ୍ବୁଲାନ୍ସ ନ ଥିବା ବେଳେ ଦାୟିତ୍ବରେ ଥିବା ମେଡିକାଲ ଅଫିସର ଅଧିକାଂଶ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁ ନ ଥିବାରୁ ଚିକିତ୍ସା ସେବା ବିପର୍ଯ୍ୟୟ ହୋଇପଡ଼ିଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ଆୟୁଷ ଡାକ୍ତର ବିଧୁଭୁଷଣ ନାୟକଙ୍କ ଚବିଶ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗୁଁ ଚାଲୁଥିବା କୋଣାର୍କ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଆମ୍ବୁଲାନ୍ସ ସେବା ନ ଥିବା ଓ ଉନ୍ନତ ମାନର ଚିକିତ୍ସା ସୁବିଧା ଉପଲବ୍ଧ ନ ଥିବାରୁ ମହାରାଷ୍ଟ୍ର ରାଜ୍ୟର ପର୍ଯ୍ୟଟକ ନୀଲାବାଇ ସୁଦାମ ବାର୍ଗାଜୀ ଙ୍କ ମୃତ୍ୟୁ ଘଟିଲା ବୋଲି ତାଙ୍କ ସହିତ ଆସିଥିବା ପର୍ଯ୍ୟଟକ ମାନେ ପ୍ରକାଶ କରିଛନ୍ତି।