କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ବର ପୀଠରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିବା ଘଟଣାକୁ ନେଇ ଧାର୍ମିକ ପରମ୍ପରା ପ୍ରତି କୁଠାରଘାତ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୀଠ ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଖବରରୁ ପ୍ରକାଶ ଯେ ଗତ ମହାଶିବରାତ୍ରି ତଥା ଜାଗର ଯାତ୍ରା ନିମନ୍ତେ ବାବା ବାଲିକପିଳେଶ୍ବର ଜାଗର ଯାତ୍ରା କମିଟି ପକ୍ଷରୁ ଦୁଇ ଚକିଆ ଯାନ, ଚାରି ଚକିଆ ଯାନ ପାର୍କିଂ, ଭୋଗ ଦୀପ ଦୋକାନ ନିଲାମ ଏବଂ ମେଳା ସ୍ଥାନରେ ଦୋକାନ ପାଇଁ ବ୍ଯବସାୟୀ ମାନଙ୍କୁ ପ୍ଲଟ ଆବଣ୍ଟନ ଆଦି କାର୍ଯ୍ୟ ବାବଦରେ ଲକ୍ଷାଧିକ ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। ମାତ୍ର ମେଳା ସଂପନ୍ନ ହେବାର ୨୦ଦିନ ବିତିଗଲାଣି। ମାତ୍ର ବାବା ବାଲିକପିଳେଶ୍ବର ପୀଠରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିବା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଧାର୍ମିକ ପରମ୍ପରା ଭକ୍ତ ମାନଙ୍କ ମହଲରେ ଗଭୀର ରେଖାପାତ କରିଛି। ଏହି ପୀଠର ଆରାଧ୍ୟ ହେଉଛନ୍ତି ବାବା ବାଲିକପିଳେଶ୍ବର। ବାବାଙ୍କ ମହିମା ଅପାର। ଜାଗର ପରେ ପୀଠରେ କୁଢ କୁଢ ଅଳିଆ ଆବର୍ଜନା ଯୋଗୁଁ ବାବା ବାଲିକପିଳେଶ୍ବର ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ପୀଠର ଏଭଳି ସ୍ଥିତି ପାଇଁ ମେଳା ଆୟୋଜନ କରୁଥିବା କମିଟିର ଦାୟିତ୍ବହୀନତା ଓ ଦୂରଦୃଷ୍ଟିର ଅଭାବକୁ ଦାୟୀ କରିଛନ୍ତି।
ଏହି ପ୍ରସିଦ୍ଧ ଜାଗର ମେଳା ନିମନ୍ତେ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପାର୍କିଂ, ଭୋଗ ଦୀପ ଦୋକାନ ନିଲାମ ଓ ବ୍ୟବସାୟ ମାନଙ୍କୁ ପ୍ଲଟ ଆବଣ୍ଟନ କାର୍ଯ୍ୟ ନିଜ ତତ୍ତ୍ୱାବଧାନରେ ନ କରି ଜାଗର ମେଳା କମିଟି ଉପରେ ଛାଡ଼ି ଦେଉଥିବାରୁ ଜାଗର ମେଳା ପରବର୍ତ୍ତୀ ପୀଠରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିବା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ବୋଲି କେତେକ ସ୍ଥାନୀୟ ଅଂଚଳର ବାସିନ୍ଦା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏହି ପୀଠରେ ଧାର୍ମିକ ପରମ୍ପରା ବଜାୟ ରଖିବା ପାଇଁ ଜାଗର କମିଟି ପକ୍ଷରୁ ପୀଠରେ ପଡି ରହିଥିବା ଅଳିଆ ଆବର୍ଜନା ସଫେଇ କରିବା ସହ ଆଗାମୀ ବର୍ଷ ପୁରୀ ଜିଲ୍ଲା ପ୍ରଶାସନର ନିର୍ଦେଶନାମା ଅନୁଯାୟୀ ସ୍ଥାନୀୟ ଗୋପ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାର୍କିଂ ସ୍ଥାନ ନିଲାମ, ଭୋଗ ଦୀପ ଦୋକାନ ନିଲାମ ଓ ବ୍ୟବସାୟୀ ମାନଙ୍କୁ ଦୋକାନ ନିମନ୍ତେ ପ୍ଲଟ ଆବଣ୍ଟିତ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ସଚେତନ ନାଗରିକ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ଦାବି କରିଛନ୍ତି। ବାବା ବାଲିକପିଳେଶ୍ବର ପୀଠରେ ଅନୁଷ୍ଠିତ ଜାଗର ମେଳା – ୨୦୨୩ରେ କେଉଁ କେଉଁ କାର୍ଯ୍ୟରେ କେତେ କେତେ ଟଙ୍କା ଆଦାୟ ହୋଇଛି ତାହାର ସବିଶେଷ ବିବରଣୀ ପୁରୀ ଜିଲ୍ଲା ପ୍ରଶାସନ ଓ ଗୋପ ତହସିଲ ପ୍ରଶାସନ ପକ୍ଷରୁ କରାଯିବା ପାଇଁ ସାଧାରଣରେ ପ୍ରବଳ ଦାବି ହେଉଛି।
