ନିମ୍ନ ମାନର ପ୍ରାଚୀର କାର୍ଯ୍ୟ, କଳାକୃତି ପୂର୍ଣ୍ଣ ପ୍ରସ୍ତର ନଷ୍ଟ ଓ ବେଆଇନ ଗଛକଟା ଘଟଣାର ତଦନ୍ତ ଦିଗହରା, ଏଏସଆଇ ମହାନିର୍ଦ୍ଦେଶକ ଦୃଷ୍ଟି ଦେବାକୁ ଦାବି
କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଠିକାଦାରଙ୍କ ଦ୍ବାରା ନିମ୍ନମାନର ପ୍ରାଚୀର ନିର୍ମାଣ କାର୍ଯ୍ୟ, ମନ୍ଦିର ଚତୁଃ ପାର୍ଶ୍ଵରେ ପଡି ରହିଥିବା ପ୍ରାଚୀନ କଳାକୃତି ପୂର୍ଣ୍ଣ ପଥର ନଷ୍ଟ ଏବଂ ବିନା କାରଣରେ ବେଆଇନ ଭାବେ ପ୍ରକଳ୍ପ ଏରିଆ ମଧ୍ୟରେ ଆସୁନଥିବା ପ୍ରାଚୀନ ଗଛ ଗୁଡ଼ିକ ରାତି ଅଧିଆ ଉଭାନ ହେବା ଘଟଣାରେ ଖବର ମାନ ପ୍ରକାଶ ପାଇଥିଲେ ମଧ୍ୟ କାହା ଚାପର ବଶବର୍ତ୍ତୀ ହୋଇ ଏଏସଆଇ କର୍ତୃପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ତଦନ୍ତ ନ କରି ଚୁପ ହୋଇ ବସି ରହିବା ଘଟଣା କୋଣାର୍କ ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ, କାର୍ଯ୍ୟରତ ସାମ୍ବାଦିକ ସମୂହ, ସଂସ୍କୃତି ବିଶାରଦ ଓ ଐତିହାସିକ ମାନଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି।
ଖବରରୁ ପ୍ରକାଶ ଯେ ଦୀର୍ଘଦିନ ଧରି ଏଏସଆଇ ଭୁବନେଶ୍ବର ସର୍କଲର ପୂର୍ବତନ ସୁପରିଟେଣ୍ଡେଣ୍ଟଙ୍କ ସୁରକ୍ଷା ବଳୟ ମଧ୍ୟରେ ରହି ଜୈନିକ ଠିକାଦାର ସୂର୍ଯ୍ୟ ମନ୍ଦିର ପରିସରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମାନ କରିଆସୁଛନ୍ତି। ମାତ୍ର ଏହି ଠିକାଦାର ଜଣଙ୍କ ବିଗତ ଦିନଗୁଡ଼ିକରେ ନାମକୁ ମାତ୍ର କାମକରି ସ୍ଥାନୀୟ ଏଏସଆଇ ଅଧିକାରୀ ଓ ପ୍ରାକ୍ତନ ଭୁବନେଶ୍ବର ସର୍କଲ ସୁପରିଟେଣ୍ଡେଣ୍ଟଙ୍କୁ ହାତ କରି ବିଭାଗ ଠାରୁ ବିଲ ମଂଜୁର କରି ନେଇ ଚାଲିଥିବା ବେଳେ ବର୍ତ୍ତମାନ ସଂପୃକ୍ତ ଠିକାଦାର ଶଶାଙ୍କ ଶେଖର ନାୟକଙ୍କ ଦ୍ବାରା ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ ସୂର୍ଯ୍ୟ ମନ୍ଦିର ଚତୁଃ ପାର୍ଶ୍ଵରେ ପ୍ରାଚୀର ନିର୍ମାଣ କାର୍ଯ୍ୟ, ପ୍ରାଚୀନ କଳାକୃତି ଭରା ପ୍ରସ୍ତର ଖଣ୍ଡ ଜେସିପି ଦ୍ବାରା ନଷ୍ଟଭ୍ରଷ୍ଟ ହେବା ସହ ପ୍ରକଳ୍ପ ଏରିଆ ବାହାରେ ଥିବା ପ୍ରାଚୀନ ଗଛ ଗୁଡ଼ିକ ରାତିଅଧିଆ କାଟି ନେଇଯିବା ଘଟଣାକୁ ଐତିହ୍ୟ ଗବେଷକ ସୁବାସ ଚନ୍ଦ୍ର ବରାଳଙ୍କ ସମେତ ସ୍ଥାନୀୟ ଅଂଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଏହି ଘଟଣାକୁ ନେଇ ନିରବଛିନ୍ନ ଭାବରେ ଖବର ମାନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ବେଳେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଏଏସଆଇ କର୍ତୃପକ୍ଷ ତଦନ୍ତ ନ କରି ନୀରବଦ୍ରଷ୍ଟା ସାଜିବା କେତେଦୂର ଯଥାର୍ଥ ବୋଲି ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଏଏସଆଇ କର୍ତୃପକ୍ଷଙ୍କୁ ପ୍ରଶ୍ନ କରାଯାଇଛି। ସୂର୍ଯ୍ୟ ମନ୍ଦିର ଚତୁଃ ପାର୍ଶ୍ଵସ୍ଥ ଅଂଚଳ ମାନଙ୍କରେ ଆବାହମାନ କାଳରୁ ବିଚ୍ଛୁରିତ ହୋଇ ପଡିରହିଥିବା ପ୍ରାଚୀନ କଳାକୃତି ଭରା ପ୍ରସ୍ତର ଖଣ୍ଡ ଗୁଡିକୁ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ସଂରକ୍ଷଣ କରିବା ବଦଳରେ ଏହାର ନଷ୍ଟଭ୍ରଷ୍ଟ କରୁଥିବା ଠିକାଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଛଘୁଞ୍ଚା ଦେବା କାହା ସ୍ବାର୍ଥରେ ବୋଲି ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟ ସଂଗଠକ ଭାଗୀରଥୀ ସ୍ଵାଇଁ ମତବ୍ୟକ୍ତ କରିଛନ୍ତି।
ସେହିପରି ପ୍ରାଚୀନ କାଳରୁ ସୂର୍ଯ୍ୟ ମନ୍ଦିରକୁ ଖରା ଦାଉରୁ ସୁରକ୍ଷା ଓ ପର୍ଯ୍ୟଟକ ମାନଙ୍କୁ ଛାଇ ପ୍ରଦାନ କରୁଥିବା ବେଆଇନ ଭାବେ ସ୍ଥାନୀୟ ଏଏସଆଇ ଅଧିକାରୀଙ୍କୁ ହାତବାରିସି କରି ବିନା ନୋଟିସରେ ରାତି ଅଧିଆ ଭାବେ ଉଭାନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଣ ପାଇଁ ପଦକ୍ଷେପ ଗ୍ରହଣ କରିବା ବଦଳରେ ଚୁପ ହୋଇ ବସିଛି ଏଏସଆଇ କର୍ତୃପକ୍ଷ ତାହା ବିଭାଗୀୟ ଅବହେଳା ନା ଠିକାଦାର ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ତାହା ପରିବେଶବିତ ମହଲରେ ଉଦବେଗ ପ୍ରକାଶ କରିଛି।
ସୂର୍ଯ୍ୟ ମନ୍ଦିର ପରିସରରେ ପ୍ରକଳ୍ପ ଏରିଆ ବାହାରେ ଗଛ କାଟିବା ଆଇନତଃ ଅପରାଧ ଓ ଏହା ସୂର୍ଯ୍ୟ ମନ୍ଦିର ପାରିପାର୍ଶ୍ବିକ ପରିସ୍ଥିତି ପାଇଁ ଅନୁକୂଳ ବୋଲି ପରିବେଶବିତ ଉମେଶ ଚନ୍ଦ୍ର ସ୍ଵାଇଁ ମତବ୍ୟକ୍ତ କରିଛନ୍ତି। ସୂର୍ଯ୍ୟ ମନ୍ଦିର ପରିସରରେ ନିମ୍ବମାନର ପ୍ରାଚୀର କାର୍ଯ୍ୟ, ଠିକାଦାରଙ୍କ ଦ୍ବାରା ପ୍ରାଚୀନ କଳାକୃତି ପଥର ନଷ୍ଟଭ୍ରଷ୍ଟ ଓ ସ୍ଥାନୀୟ ବନବିଭାଗର ବିନା ଅନୁମତିରେ ବେଆଇନ ଭାବେ ୫୦ରୁ ଉର୍ଦ୍ଧ୍ବ ଗଛ ରାତିଅଧିଆ ଉଭାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ମନ୍ତ୍ରୀ, ଏଏସଆଇ ମହାନିର୍ଦ୍ଦେଶକ, ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟିସଚିବ ଓ ପୁରୀ ଜିଲ୍ଲାପାଳ ଓ ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟ ସଂଗଠକ ଭାଗୀରଥୀ ସ୍ଵାଇଁ ଓ ଐତିହ୍ୟ ଗବେଷକ ସୁବାସ ଚନ୍ଦ୍ର ବରାଳଙ୍କ ସମେତ ସ୍ଥାନୀୟ ଅଂଚଳର ଜନସାଧାରଣ, ବୁଦ୍ଧିଜୀବୀ, ପରିବେଶବିତ, ସଂସ୍କୃତି ବିଶାରଦ, ଐତିହାସିକ, ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ଦାବି କରାଯାଇଛି।
