ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁମତି ନାହିଁ, ଗ୍ରାମ୍ୟ ଉନ୍ନୟନ ରାସ୍ତା ପାର୍ଶ୍ବରେ ପାଇପ ବିଛା ପାଇଁ ବେଆଇନ ରାସ୍ତା ଖୋଳି ହରଡଘଣାରେ ଠିକାଦାର
କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଇଲୋ ଗ୍ରାମ ଠାରେ ଗ୍ରାମ୍ୟ ନିର୍ମାଣ ବିଭାଗର ବିନାନୁମତିରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଠିକାଦାର ପାନୀୟ ଜଳ ଯୋଗାଣ ପାଇପ ବିଛାଇବା ପାଇଁ ବେଆଇନ ଭାବେ ରାସ୍ତା ପାର୍ଶ୍ବରେ ଖନନ କାର୍ଯ୍ୟ କରିବା ଯୋଗୁଁ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିବା ସହ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି। ଖବରରୁ ପ୍ରକାଶ ଯେ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧିନସ୍ଥ ରାଉଳପାଟଣା ନୟାହାଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତାର ତଇଲୋ ଠାରେ ଗ୍ରାମ୍ୟ ନିର୍ମାଣ ବିଭାଗର ବିନାନୁମତିରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଠିକାଦାର ବୈକୁଣ୍ଠ ନାଥ ସ୍ଵାଇଁ ପାଇପ ବିଛାଇବା ନିମନ୍ତେ ଜେସିପି ସାହାର୍ଯ୍ୟରେ ଗ୍ରାମ ନିର୍ମାଣ ରାସ୍ତା ପାର୍ଶ୍ବ ଖନନ କରିବା ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ମାନଙ୍କ ପକ୍ଷରୁ କୋଣାର୍କ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।
ଏହି ଘଟଣାକୁ ଗୁରୁତ୍ବ ଆରୋପ କରି କୋଣାର୍କ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ଅମିୟ ରଞ୍ଜନ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଖନନ କାର୍ଯ୍ୟକୁ ବନ୍ଦ କରିବା ସହ ଜେସିପି ଜବତ କରି ଏହାକୁ କୋଣାର୍କ ଥାନାକୁ ଆଣିବା ପାଇଁ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ଅବଗତ କରାଇଥିବା ପ୍ରକାଶ କରିଛନ୍ତି। ସରକାରୀ ନିୟମ ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗର ବିନାନୁମତିରେ ରାସ୍ତା ପାର୍ଶ୍ବ ଖୋଳିବା ଆଇନର ଖୋଲା ଉଲଂଘନ। ଏହି ବେଆଇନ ଖନନ କାର୍ଯ୍ୟ ଯୋଗୁଁ ରାଉଳପାଟଣା ନୟାହାଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ସମାସ୍ୟା ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହେବା ସହ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ବୁଦ୍ଧିଜୀବୀ, ଶିକ୍ଷାବିତ, ସଚେତନ ନାଗରିକ, ବରିଷ୍ଠ ନାଗରିକ ଓ ସମାଜସେବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି।
ବେଆଇନ ଭାବେ ଗ୍ରାମ୍ୟ ନିର୍ମାଣ ବିଭାଗର ରାସ୍ତାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାହା ନିର୍ଦେଶରେ ଏଭଳି ବେଆଇନ କାମ କରିବା ପାଇଁ ସାହାସ ଜୁଟାଇଲେ ତାହା ତଦନ୍ତ ସାପେକ୍ଷ। ଏହି ପାନୀୟ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟ ୨୫ଭାଗ କାମ ଶେଷ ନ ହେଉଣୁ ଏଭଳି ବେଆଇନ ତରବରିଆ ରାସ୍ତା ଖନନ କରି ପାଇପ ବିଛାଇବା ପାଇଁ ମସୁଧା କଲେ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏ ସମ୍ପର୍କରେ କୋଣାର୍କ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଅମିୟ ରଞ୍ଜନ ମହାନ୍ତିଙ୍କୁ ପଚାରିବାରେ ସେ କୁହନ୍ତି ଆମ ବିଭାଗ ପକ୍ଷରୁ ଅନୁମତି ନ ନେଇ ବେଆଇନ ଭାବେ ବିଭାଗର ରାସ୍ତା ପାର୍ଶ୍ବରେ ଖନନ କାର୍ଯ୍ୟ କରୁଥିବା ଠିକାଦାରଙ୍କ କାମ ବନ୍ଦ କରିଛି। ଏହି କାର୍ଯ୍ୟରେ ବ୍ଯବହୃତ ଜେସିପି ଜବତ କରି କୋଣାର୍କ ଥାନାକୁ ଆଣିବା ପାଇଁ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ଅବଗତ କରିବା ସହ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଛି ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।
