ବେଗୁନିଆପଡ଼ା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପ୍ରସଂଗ : ୧୮ ଦିନ ପରେ ବି ଝୁଲି ରହିଛି ନିଷ୍ପତ୍ତି, ଅସନ୍ତୋଷ ପ୍ରକାଶ କଲେ ପଞ୍ଚାୟତବାସୀ
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ।ପ୍ରସ୍ତାବ ଆଗତକୁ ପୂରିଲା ୧୮ ଦିନ ।ହେଲେ ଏଯାବତ୍ କୌଣସି ନିଷ୍ପତ୍ତି କି ପଦକ୍ଷେପ ନେଉନି ପ୍ରଶାସନ। ଏଭଳି ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ବେଗୁନିଆପଡ଼ା ଗ୍ରାମ ପଞ୍ଚାୟତରୁ ।ସରପଞ୍ଚ ଅରୁଣ କୁମାର ମାଝୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ୧୦ ଜଣ ଓ୍ବାର୍ଡ ସଭ୍ଯ /ସଭ୍ଯା ।ଗତ ମାସ ୧୫ ତାରିଖରେ ଗଞ୍ଜାମ ଉପ ଜିଲ୍ଲାପାଳଙ୍କ ନିକଟରେ ସମସ୍ତ ଓ୍ବାର୍ଡ ସଭ୍ଯ ସଭ୍ଯା ଉପସ୍ଥିତ ରହି ବରାଦ ଚିଠି ଦିଆଯାଇଥିଲା।
ପଞ୍ଚାୟତ ମାନୁଆଲ ବ୍ୟବସ୍ଥା ଅନୁସାରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଏକ ତୃତୀୟାଂଶ ଓ୍ବାର୍ଡ ସଦସ୍ୟ ଏକ ବୈଠକ କରି ସ୍ବାକ୍ଷରିତ ସମ୍ବଳିତ ବରାଦ ଚିଠି ଉପ ଜିଲ୍ଲାପାଳଙ୍କ ନିକଟରେ ଦିଆଯିବା ପରେ ଉପ ଜିଲ୍ଲାପାଳ ସମସ୍ତ ସଦସ୍ଯକଂ ସ୍ବାକ୍ଷର ଜାଞ୍ଚ୍ କରି ୧୫ ଦିନ ମଧ୍ୟରେ ଏନେଇ ଏକ ତାରିଖ ନିର୍ଧାରଣ କରି ଭୋଟିଂ କରିବେ। ତେବେ ବରାଦ ଚିଠିକୁ ୧୮ ଦିନ ବିତିଯାଇଥିଲେ ମଧ୍ଯ ଏଯାବତ୍ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ନେଇ ବେଗୁନିଆପଡ଼ା ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ଏନେଇ କୌଣସି ପଦକ୍ଷେପ ନିଆ ନଯିବାକୁ ନେଇ ରାଜନୈତିକ ଚାପ ସୃଷ୍ଟି ହେଉଥିବା ସନ୍ଦେହ କରିଛନ୍ତି ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ସେଠୀ। ତୁରନ୍ତ ଏଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନଗଲେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ବେଗୁନିଆପଡ଼ା ପଞ୍ଚାୟତ ଓ୍ବାର୍ଡ ସଭ୍ଯ ରବିନ୍ଦ୍ର ପାଣିଗ୍ରାହୀ ।ତେବେ ଘଟଣାକୁ ନେଇ ଗଂଜାମ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ଫୋନ୍ ଯୋଗେ ପଚାରିବାରୁ ଛୁଟି ଥିବାରୁ ବିଳମ୍ବ ଘଟିଛି ଏବଂ ଆଗାମୀ ୧୫/୨୦ ଦିନ ମଧ୍ୟରେ ଏନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ଉପ ଜିଲ୍ଲାପାଳ।
