ଚିକିତ୍ସା ଅବହେଳାରୁ ରୋଗୀ ମୃତ । ମୃତ ଯୁବତୀଙ୍କ ମରଶରୀର ମେଡ଼ିକାଲ ଗେଟ୍ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି ପରିବାର ଲୋକ । ଏମିତି ଏକ ଦୁଃଖଦ ଘଟଣା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଦେଖିବାକୁ ମିଳିଛି । ଗତ ୩୧ତାରିଖ ଦିନ ବାରିପଦା ସଦର ଥାନା ଅନ୍ତର୍ଗତ ସପନଚୁଆ ଗ୍ରାମର ସୁପ୍ରୀୟା ପାତ୍ର ନାମକ ଜଣେ ୧୭ବର୍ଷୀୟ ଯୁବତୀଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ପି ଆର୍ ଏମ୍ ମେଡ଼ିକାଲରେ ପରିବାର ପକ୍ଷରୁ ଭର୍ତ୍ତି କରାଯାଇଥିଲା ।
ସୁପ୍ରୀୟା ପୁର୍ବରୁ ରକ୍ତହୀନତା ରୋଗରେ ପିଡୀତ ଥିବାରୁ ପରିବାର ଲୋକ ତାଙ୍କୁ ଅନେକ ଥର ଏଠାରେ ଚିକିତ୍ସା କରିବା ସହ ତାଙ୍କୁ ରକ୍ତ ଦେଇଥାନ୍ତି । ତେବେ ତାଙ୍କ ବାପା ସୁନାରାମ ପାତ୍ର ଓ ମାତା ଲକ୍ଷ୍ମୀ ପାତ୍ର ଗତ ଶନିବାର ଦିନ ଝିଅକୁ ଅସୁସ୍ଥ ଥିବା ଦେଖି ରକ୍ତ ଦେବାପାଇଁ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ ।
ବାରମ୍ବାର ରକ୍ତ ଦେବା ନିମନ୍ତେ ଡାକ୍ତରଙ୍କୁ ଅନୁରୋଧ କରିବା ସତ୍ତ୍ୱେ କାର୍ଯ୍ୟରତ ଡାକ୍ତର କିମ୍ବା କୌଣସି କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଯାହା ଫଳରେ ଆଜି ସକାଳ ୫ଟା ସମୟରେ ରୋଗୀଙ୍କୁ ବାତ ମାରିଥିଲା ଏବଂ ଏହା ଦେଖି ପରିବାର ଲୋକ ତୁରନ୍ତ ଡାକ୍ତରଙ୍କୁ ଖବର ଦେବାରୁ ତାଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ ସୁପ୍ରୀୟା ଙ୍କର ମୃତ ହୋଇଥିଲା । ଡାକ୍ତରଖାନାରେ ଚିକିତ୍ସା ଅବହେଳା ଦର୍ଶାଇ ପରିବାର ଲୋକଙ୍କ ପକ୍ଷରୁ ମୃତକଙ୍କ ଶରୀର ମୁଖ୍ୟ ଗେଟ ସମ୍ମୁଖରେ ରଖିବା ସହ ଚିକିତ୍ସାରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
