Odisha news

କୃଷି ଓ କୃଷକଙ୍କ ସମସ୍ୟା କୁ ନେଇ ବେଗୁନିଆପଡ଼ା ବିଜେପିର ତହସିଲ କାର୍ଯ୍ୟାଳୟ ଘେରାଉ, ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

0
କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଓ କୋଦଳା ଏନଏସି ରେ ପ୍ରଶାସନର ଦୁର୍ନୀତି, ଅରାଜକତା ବିରୁଦ୍ଧରେ ବିଜେପି ପକ୍ଷରୁ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ନିକଟକୁ ଦାବିପତ୍ର ପଠା ଯାଇଛି। ମୁଖ୍ୟତଃ କୃଷି ଓ କୃଷକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ଦିଗରେ ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଶୁକ୍ରବାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳର କୃଷକ ଏବଂ ବିଜେପି କର୍ମୀ ମାନେ କୋଭିଡ୍ ନିୟମକୁ ମାନି କୋଦଳା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ।
ଚାଷୀଙ୍କୁ ଯଥାଶୀଘ୍ର ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ, ମଣ୍ଡିରେ ଧାନ ବିକ୍ରୟ ପାଇଁ ରେଜିଷ୍ଟ୍ରେସନ୍ କରି ଧାନର ଉପଯୁକ୍ତ ମୂଲ୍ୟ ଦିଆଯିବା, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ସବୁ ଚାଷୀଙ୍କୁ ଅନ୍ତର୍ଭୂକ୍ତ କରିବା, ଜଳସେଚନ ସୁବିଧା, ବିହନ ଓ ସାର ଯୋଗାଣରେ ହେଉଥିବା ଦୁର୍ନୀତିକୁ ବନ୍ଦ କରିବା, ଚାଷୀଙ୍କୁ କୃଷି ଭତ୍ତା ସହ ଉପଯୁକ୍ତ ସମ୍ମାନ, ଭୂମିହୀନ ହରିଜନମାନଙ୍କୁ ପଟ୍ଟା ପ୍ରଦାନ, କୋଭିଡ୍ ବେଳେ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ଯ ପ୍ରଦାନ କରାଯିବା, କୋଭିଡ୍ ସମୟରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବା, ଅଞ୍ଚଳରୁ ବେଆଇନ ବାଲି, ଇଟା, ପଥର ଚାଲାଣ ବନ୍ଦ କରିବା, ତହସିଲ କାର୍ଯ୍ଯାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତିକୁ ବନ୍ଦ କରିବା ଭଳି ୧୨ ଦଫା ଦାବି ନେଇ ବିଜେପି ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଏଥି ସହିତ କୃଷି ମନ୍ତ୍ରୀ, କୃଷି ସଚିବ ଓ ମୁଖ୍ଯମନ୍ତ୍ରୀଙ୍କୁ ମଧ୍ୟ ଏହି ଦାବିପତ୍ର ପ୍ରେରଣ କରାଯାଇଛି।ଏହି ଅବସରରେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ରଂଜନ କୁମାର ପୋଲାଇକଂ ନେତୃତ୍ବରେ ବେଗୁନିଆପଡ଼ା ବିଜେପି ମଣ୍ଡଳ ସଭାପତି ସୁଦର୍ଶନ ସାହୁ, କୋଦଳା ମଣ୍ଡଳ ସଭାପତି ମଧୂସୁଦନ ଜେନା, ଅଙ୍ଗାରଗାଁ ମଣ୍ଡଳ ସଭାପତି ନିରଞ୍ଜନ ସ୍ବାଇଁ, କୋଦଳା ଯୁବ ମୋର୍ଚ୍ଚା ସଭାପତି ଭଗବାନ ସ୍ବାଇଁ, ବରିଷ୍ଠ ବିଜେପି ନେତା ନାରାୟଣ ସୁମନ୍ତରାୟ , ନାରାୟଣ ପ୍ରଧାନ, ସଞ୍ଜୟ ଘୋଷ, ମାଧବ ପାଇକରାୟ, ସନ୍ତୋଷ ଡାକୁଆ, ପ୍ରଦୀପ ପାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
Govt
Leave A Reply