ଶ୍ୟାମବାବୁ ପ୍ରତ୍ୟେକ ଦିନ ସକାଳୁ ସକାଳୁ ଉଠି ତରବର ହୋଇ ନିତ୍ୟ କର୍ମ ସାରି ବାହାରି ଯାଆନ୍ତି ଗାଁ ନିକଟରେ ଥିବା “ଫାର୍ମ’କୁ, ତାଙ୍କର ଅତି ପି୍ରୟ କର୍ମକ୍ଷେତ୍ରକୁ । ସେଠାରେ ଥିବା ତାଙ୍କର ସମସ୍ତ ଜମିବାଡ଼ିରେ ସେ ନିଜ ହାତରେ ଚାଷବାସ କରନ୍ତି । ଧାନ, ମୁଗ, ବିରି, କୋଳଥ, ସୋରିଷ, ଇତ୍ୟାଦି ଚାଷ ଭିନ୍ନ ଭିନ୍ନ ଋତୁମାନଙ୍କରେ ହୋଇଥାଏ । ଏହାଛଡ଼ା କିସମ କିସମର ଫଳ ଚାଷ ମଧ୍ୟ ହୁଏ । ଆମ୍ବ, ନଡ଼ିଆ, କଦଳୀ, ଗୁଆ, ସପୁରୀ, ଲେମ୍ବୁ, କାନ୍ଧିଆ, କରମଙ୍ଗା, ଓଉ, ଜାମୂରୋଳ, ଜାମୁକୋଳି ଇତ୍ୟାଦି ଚାଷ କରନ୍ତି ଶ୍ୟାମବାବୁ । ଆଳୁ, କଖାରୁ, ଅମୃତଭଣ୍ଡା, ଲଙ୍କା, ଧନିଆପତ୍ର, ଶାଗ, କ୍ୟାପ୍ସିକମ୍, ଟମାଟ, କୋବି, ବାଇଗଣ, ଜହ୍ନି, ଭେଣ୍ଡି, ଛଚିନ୍ଦ୍ରା, ବିନ୍ସ ଓ ଖଡ଼ା-ଶାଗ, କୋଶଳା-ଶାଗ ଇତ୍ୟାଦି ଚାଷହୁଏ । ଗଛପତ୍ର ହିଁ ତାଙ୍କର ଜୀବନ, ତାଙ୍କର ପ୍ରାଣ କହିଲେ ଅତୁ୍ୟକ୍ତି ହେବନି । ଏହାଛଡ଼ା ସେଠାରେ ଶହେରୁ ଉଦ୍ଧ୍ୱର୍ ଗାଈ ଅଛନ୍ତି । ଗୋପାଳନ, କୁକୁଡ଼ାପାଳନ, ମାଛଚାଷ, ଛତୁଚାଷ ମଧ୍ୟ ହୋଇଥାଏ । ଏହିସବୁ କାମଦାମ ଭିତରେ ଦିନଯାକ ନିଜକୁ ବ୍ୟସ୍ତ ରଖନ୍ତି ଶ୍ୟାମବାବୁ । ସମୟଟି ଖୁବ୍ ସୁନ୍ଦର ଭାବରେ ଅତିବାହିତ ହୋଇଯାଏ ଶ୍ୟାମବାବୁଙ୍କର । ଘରକୁ ଫେରୁ ଫେରୁ ସବୁଦିନ ରାତି ନଅଟା ବାଜିଯାଏ ।
ଦିନେ ଶ୍ୟାମବାବୁ ରାତି ନଅଟାରେ ଘରକୁ ଫେରି ଆସିଲା ପରେ ପତ୍ନୀ ବାସନ୍ତୀ ଦେବୀ ପଚାରିଲେ –
ପତ୍ନୀ – ହଇଓ ସେହି ଫାର୍ମ ହାଉସ୍ରୁ ଯେଉଁ ଧାନ, ମୁଗ, ବିରି, କୋଳଥ ଇତ୍ୟାଦି ଫସଲ କରୁଛ, ସେଥିରୁ ତୁମେ କଣ ପ୍ରକୃତରେ କିଛି ଲାଭ ପାଉଛ?
ସ୍ୱାମୀ – ଲାଭ ପ୍ରାୟ ହୁଏନି! ଦେଖିବାକୁ ଗଲେ କ୍ଷତି ହିଁ ହୁଏ ।
ପତ୍ନୀ – ସେଠି ଯେଉଁ ଶହେ ଗାଈଗୋରୁ ରଖିଛ ଏବଂ କ୍ଷୀର ବ୍ୟବସାୟ କରିଛ, ସେଥିରୁ କ’ଣ ଲାଭ ହେଉଛି?
ସ୍ୱାମୀ – ନା ସେଥିରୁ ମଧ୍ୟ କ୍ଷତି ସହିବାକୁ ପଡ଼ୁଛି ।
ପତ୍ନୀ – ଆଉ ଯେଉଁ ମାଛ ଚାଷ, ଆଉ କୁକୁଡ଼ା ଚାଷ କରୁଛ?
ସ୍ୱାମୀ – ସେଥିରୁ ମଧ୍ୟ କ୍ଷତି ହେଉଛି ।
ବାସନ୍ତୀ ଦେବୀ ଏଥର ବେଶ୍ ଖପ୍ପା ହୋଇ ଚାପା ଗଳାରେ କହିଲେ, ତେବେ କଣ ଆବଶ୍ୟକତା ଅଛି ଆମକୁ ଅଣଆଡ଼ କରି ସେଇ ନିଅାଁ ପାଉଁଶ କାମରେ ରାତିଦିନ ସାମିଲ ରହିବା । କଣ ବା ପାଉଛ ସେଥିରୁ!!! କେବଳ ସମୟ ନଷ୍ଟ ହେବା ଛଡ଼ା ଆଉ କଣ ମିଳୁଛି???
ଶ୍ୟାମବାବୁ ହସିହସି କହିଲେ, “ଆଲୋ ମୁଁ ମୋ ନିଜ କ୍ଷେତରେ ଚାଷବାସ କରି ଏକ ନିଆରା ଖୁସି ପାଉଛି, ଖୁସି, ଯାହାକୁ କି ଟଙ୍କା, ପଇସା, ଧନ, ସମ୍ପତ୍ତିରେ କଦାପି କେହି ତଉଲି ପାରେନାହିଁ, ତାହାହେଲା ଆନନ୍ଦ, ବିମଳ ଆନନ୍ଦ ।
ବାସନ୍ତୀ ଦେବୀ ନିର୍ବାକ୍ ହେଇ ଅନେଇ ରହିଥିଲେ ଶ୍ୟାମବାବୁଙ୍କ ସଦା ହସହସ ମୁଖମଣ୍ଡଳକୁ ।