Odisha news

କୃଷି ଆଇନ ବାତିଲ୍ ସହ ଆଦିବାସୀ ମାନଙ୍କ ଅଧିକାର ଦାବିରେ ରୁଷିକୁଲ୍ଯା ରୟତ ମହାସଭାର ବେଗୁନିଆପଡ଼ା ବ୍ଳକ ଘେରାଉ।

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିଭିନ୍ନ ସ୍ଥାନରେ ବିରୋଧ ହେଉଥିବା ବେଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ରୁଷିକୁଲ୍ଯା ରୟତ ମହାସଭା ପକ୍ଷରୁ ସୋମବାର ଶହଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ କୃଷକ ଏକ ଶୋଭାଯାତ୍ରା କରି ଏହାର ପ୍ରତିବାଦ କରିଛନ୍ତି। ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବେଗୁନିଆପଡ଼ା ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଷୀଙ୍କ ଧାନ ସରକାର କିଣିବା ପାଇଁ ବ୍ଯବସ୍ଥା କରିବା, ଆଦିବାସୀଙ୍କ ଗୋଷ୍ଠୀ ଅଧିକାର ଜମି ପ୍ରଦାନ ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଯୋଗାଇ ଦେବା ଦାବିରେ ଚାଷୀନେତା ବିଜୟ ସ୍ବାଇଁ, ଜୋହନ୍ ସ୍ବାଇଁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ରୁଷିକୁଲ୍ଯା ରୟତ ମହାସଭାର ମୁଖ୍ୟ ଉପଦେଷ୍ଟା ତଥା ଓଡିଶାର ଜଣାଶୁଣା ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାୟ ଯୋଗ ଦେଇଥିଲେ।
ବେଗୁନିଆପଡ଼ା ବ୍ଳକରେ ଧାନମଣ୍ଡିର ଅବ୍ଯବସ୍ଥା ଥିବା ଅଭିଯୋଗ ହୋଇଥିବା ବେଳେ ଏବଂ କେ ରାଣୀପଡା ସମେତ ଅନେକ ଧାନମଣ୍ଡିରେ ଶହଶହ ସଂଖ୍ୟାରେ ଧାନ ବସ୍ତା ପଡିରହିଛି, କିନ୍ତୁ ପ୍ରଶାସନ ଉଠାଉ ନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଏତଦବ୍ୟତୀତ କାଳିମେଘି ଓ ଘୋଡାପଡା ପଞ୍ଚାୟତର ଆଦିବାସୀ ଗ୍ରାମ ଗୁଡିକରେ ପାନୀୟ ଜଳ, ପକ୍କା ସଡକ, ମନରେଗା କାର୍ଯ୍ୟ, ଆବାସ ଗୃହ, ଭତ୍ତା ଭଳି ବହୁ ମୌଳିକ ସୁବିଧା ଗୁଡିକ କିଭଳି ଭାବେ ତୁରନ୍ତ ଯୋଗାଇ ଦିଆଯିବ ସେ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ ଠାରୁ କୈଫିୟତ ତଲବ କରିଛନ୍ତି ଚାଷୀ। ସମସ୍ତ ଅଭିଯୋଗ ତଥା ସମସ୍ଯା ଗୁଡ଼ିକୁ ଦୃଷ୍ଟି ଦେଇ ସମାଧାନର ସୂତ୍ର ବାହାର କରିବା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ।
Leave A Reply