ଖଲ୍ଲିକୋଟ : ଚଳିତ ବର୍ଷ କରନା ମହାମାରୀ ପାଇଁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ବେଳେ ସେବାୟତ ଙ୍କ ଅସନ୍ତୋଷ ମଧ୍ୟରେ ଗତକାଲି ରାତିରେ ମହାପ୍ରଭୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଥିଲା ।କରନା ପାଇଁ ରଥଯାତ୍ରା ବନ୍ଦ କରାଯାଇଥିବା ବେଳେ ମନ୍ଦିର ଭିତରେ ଠାକୁରଙ୍କ ନୀତିକାନ୍ତି କିପରି ହେବ ସେ ବିଷୟରେ ମନ୍ଦିର ପ୍ରଶାସନ ତରଫରୁ ସେବାୟତ ଙ୍କୁ ନେଇ ଥରୁଟିଏ ମଧ୍ୟ ଆଲୋଚନା କରାଯାଇନାହିଁ ।ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ମଧ୍ୟରେ ହେରାପଞ୍ଚମୀ, ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ, ଅଧରପଣ ପ୍ରଭୃତି ବହୁ ନୀତି ରହିଛି ।ମହାପ୍ରଭୁ ବଳଭଦ୍ର, ସୁଭଦ୍ରା, ଶ୍ରୀ ଜଗନ୍ନାଥ ଓ ସୁଦର୍ଶନ ବର୍ତ୍ତମାନ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି ।ଗତକାଲି ଅଣସର ପିଣ୍ଡିରେ ଚକା ଅପସାରଣ ଓ ପଟିଦିଅଁ ଙ୍କୁ ଫିଟାଯାଇ ତିନି ଠାକୁରଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଥିଲା ।
ତେବେ ରଥଯାତ୍ରା ବନ୍ଦ ଥିବାରୁ ତିନି ଠାକୁର ଏଠାରୁ କେଉଁ ସ୍ଥାନ କୁ ଯିବେ ଏବଂ କେଉଁଠାରେ ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି ଅନୁଷ୍ଠିତ ହେବ ସେ ନେଇ ସେବାୟତ ମାନେ ଅନ୍ଧାର ରେ ରହିଛନ୍ତି ।ଏ ନେଇ ମନ୍ଦିର ପ୍ରଶାସନ ତରଫରୁ କୌଣସି ଆଲୋଚନା କରାଯାଇନାହିଁ କି ସେମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ ।ରଥଯାତ୍ରା ନେଇ ମନ୍ଦିର ପ୍ରଶାସନ ର କୌଣସି ଆଗ୍ରହ ନ ଥିବା ପରିଲକ୍ଷିତ ହେଉଛି ବୋଲି ବରିଷ୍ଠ ସେବାୟତ ରମେଶ ଚନ୍ଦ୍ର ପଣ୍ଡା କହିଛନ୍ତି ।ଗତକାଲି ଉଭାଯାତ୍ରା, ନେତ୍ରୋତ୍ସବ ଓ ନବଯୌବନ ବେଶ ସମୟରେ ସେବାୟତ ମାନେ ଖଲ୍ଲିକୋଟ ମନ୍ଦିର ସମୂହ ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ଚକ୍ରଧର ପାଢ଼ୀ ଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଅଡ଼ି ବସିଥିଲେ ।କିନ୍ତୁ ତହସିଲଦାର ଙ୍କ ଦେଖାମିଳିନଥିଲା ।ଶେଷ ମୁହୂର୍ତ୍ତରେ ରାତିରେ କୌଶଳ କ୍ରମେ କିଛି ସେବାୟତ ଙ୍କୁ ନେଇ ମହାପ୍ରଭୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଥିଲା ।ଠାକୁରଙ୍କ ଘୋଷଯାତ୍ରା ନୀତିକାନ୍ତି ସମ୍ପର୍କରେ କାହିଁକି ମନ୍ଦିର ପ୍ରଶାସନ ସେବାୟତ ଙ୍କ ସହ ଆଲୋଚନା କରୁନାହିଁ ଏ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।