ଅଭିନେତା ସବ୍ୟସାଚୀ ଙ୍କ ପ୍ରଚେଷ୍ଟାରେ ମୃତ୍ୟୁ ର ୧୬ ଦିନ ପରେ ଖୋଜାପଲ୍ଲୀ ଗାଁ କୁ ଫେରିଲା ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ
ଖଲ୍ଲିକୋଟ–୧୬/୦୭–ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଙ୍କ ସହଯୋଗ କ୍ରମେ ଦୁବାଇ ରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ମରଶରୀରମୃତ୍ୟୁ ର ୧୬ ଦିନ ପରେ ଗାଁ କୁ ଫେରିଛି ।ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ସ୍ବର୍ଗତ ଗଂତେଇ ପ୍ରଧାନ ଙ୍କ ପୁତ୍ର ବଳରାମ ପ୍ରଧାନ(୩୬) ପରିବାର ଭରଣ ପୋଷଣ ପାଇଁ କାମ ଧନ୍ଦା ଅନ୍ୱେଷଣରେ ସୁଦୂର ଦୁବାଇ କୁ ଯାଇଥିଲେ ।ଗତ ଦେଢ଼ ବର୍ଷ ତଳେ ଦୁବାଇ ଯାଇଥିବା ବଳରାମ ସେଠାରେ କେପିଟାଲ ପ୍ରିକାଷ୍ଟ କଣ୍ଟ୍ରାକ୍ଟିଙ୍ଗ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।ଗତ ମାସ ୩୦ ତାରିଖରେ ତାଙ୍କ ନିକଟରେ ରହୁଥିବା ସେହି ଗ୍ରାମର ଜଣେ ଯୁବକ ହଠାତ ଫୋନ ଯୋଗେ ବଳରାମ ଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଜଣାଇଥିଲେ ।ମୃତ୍ୟୁ ଖବର ଶୁଣି ପୁରା ପରିବାର ହତବାକ ହୋଇଯାଇଥିଲେ ।ଘରେ ଥିବା ବିଧବା ମାଆ ମାୟା ପ୍ରଧାନ(୭୦)ପୁଅକୁ ଝୁରି ଝୁରି ବାହୁନି କାନ୍ଦୁଥିବା ବେଳେ ସ୍ତ୍ରୀ ନିବାସୀ ପ୍ରଧାନ ସ୍ୱାମୀ ଙ୍କ ମୃତ୍ୟୁ ଖବର ଶୁଣି ଦୁଃଖ ରେ ଭାଙ୍ଗି ପଡିଛନ୍ତି ।ନବମ ଶ୍ରେଣୀରେ ପଢ଼ୁଥିବା ବଡ଼ ପୁଅ ଆଲୋକ ଓ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସାନ ପୁଅ ଆକାଶ ବାପା ଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ।ସ୍ତ୍ରୀ ନିବାସୀ ସ୍ୱାମୀ ଙ୍କ ମୃତ ଦେହକୁ ଦୁବାଇ ରୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ କୁ ଆକୁଳ ନିବେଦନ କରିଥିଲେ।
ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ସହଯୋଗ ର ହାତ ବଢ଼ାଇଥିଲେ ।ସେ ରାଜ୍ୟ ସରକାରଙ୍କ ସହଭାଗୀତାରେ ଦୁବାଇ ରେ ଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ସହ ଯୋଗାଯୋଗ କରି ମୃତ ଦେହ ଫେରାଇ ଆଣିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ ।ସବ୍ୟସାଚୀ ଙ୍କ ସହଯୋଗ ରେ ଗତକାଲି ରାତିରେ ବିମାନ ଯୋଗେ ବଳରାମ ଙ୍କ ମୃତ ଦେହ ଦୁବାଇ ରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଥିଲା ।ସେଠାରେ ଅଭିନେତା ସବ୍ୟସାଚୀ ଉପସ୍ଥିତ ଥିଲେ ।ବିମାନ ବନ୍ଦର ରୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ ଖୋଜାପଲ୍ଲୀ ରେ ବିଳମ୍ବିତ ରାତିରେ ପହଞ୍ଚି ଥିଲା ।ମୃତ ବଳରାମ ଙ୍କ ଦୁଇ ପୁତ୍ରର ପାଠପଢା ଖର୍ଚ୍ଚ ବହନ କରିବେ ଏବଂ ବଳରାମ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ଆର୍ଥିକ ସହାୟତା ପାଇଁ ସେ କମ୍ପାନୀ ସହ କଥାବାର୍ତ୍ତା କରିବେ ବୋଲି ସବ୍ୟସାଚୀ ପ୍ରତିଶ୍ରୁତି ଦେଇଛନ୍ତି ।ଖଲ୍ଲିକୋଟ ଅଞ୍ଚଳରୁ ଦାଦନ ଖଟିବାକୁ ବାହାର ରାଜ୍ୟ ଓ ବିଦେଶ କୁ ଯାଇ କେତେ ଶ୍ରମିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ତ ଆଉ କେତେକ ମୃତ୍ୟୁ ମୁଖରେ ପଡି ଶବ ହୋଇ ଗାଁ କୁ ଫେରୁଛନ୍ତି ।
ଗତ ବର୍ଷ ପଥରା ଗ୍ରାମର ବସନ୍ତ ସାଧବ ଙ୍କ ଦୁବାଇ ରେ ମୃତ୍ୟୁ ଘଟିଥିଲା ।ଜିଲ୍ଲା ପ୍ରଶାସନ ର ପ୍ରଚେଷ୍ଟାରେ ମୃତ୍ୟୁ ର୯ଦିନ ପରେ ମରଶରୀରକୁ ଫେରାଇ ଅଣାଯାଇଥିଲା ।କାଇଠଡା ଗ୍ରାମର ଜୟ ଦଳେଇ ଙ୍କର ମଧ୍ୟ ଦୁବାଇ ରେ ମୃତ୍ୟୁ ହୋଇଥିଲା ।ଖୋଜାପଲ୍ଲୀ ଗ୍ରାମର ହରସ ସାମଲ କୁଏତ ରେ ମୃତ୍ୟୁ ବରଣ କରିଥିବା ବେଳେ ଦୀର୍ଘ ୨୭ ଦିନ ପରେ ହରସ ଙ୍କ ମୃତ ଦେହ ଗାଁ କୁ ଫେରିଥିଲା ।ବାଣିଆ ଗ୍ରାମର ପ୍ରତାପ ଗୌଡ଼ ଙ୍କ ମୃତ ଦେହ ମାଲେସିଆ ରୁ ୪ ମାସ ପରେ ଗାଁ କୁ ଫେରିଥିଲା ।ଏହିପରି ଆହୁରି ଅନେକ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନେକେ ନିର୍ଯ୍ୟାତନା ପାଉଥିବା ଖବର ଖଲ୍ଲିକୋଟ ରେ ପହଂଚୁଛି ।ଖଲ୍ଲିକୋଟ ରେ କାମ ଧନ୍ଦା ର କୌଣସି ସୁଯୋଗ ନ ଥିବାରୁ ବେକାର ଯୁବକ ମାନେ ବିଦେଶ କୁ ଯାଉଛନ୍ତି ।ଏହାର ଫାଇଦା ନେଉଛନ୍ତି ଦଲାଲ ମାନେ ।
