କେନ୍ଦ୍ରାପଡ଼ା : ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବିଗତ କିଛି ଦିନର ଘଟଣାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ଜାଣି ହେବ ଦଳୀୟ କାର୍ଯ୍ୟରୁ ଦୂରରେ ରହୁଛନ୍ତି ଅନୁଭବ । ଏପରିକି ବିଜେଡିର କାର୍ଯ୍ୟକାରିଣୀ ଓ ପରିଷଦ ବୈଠକରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ବିବାଦ ପରେ ଦଳ ତାଙ୍କୁ କୋଣଠେସା କରିଛି ନା ସେ ବ୍ୟକ୍ତିଗତ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି ତାକୁ ନେଇ ଚର୍ଚ୍ଚା ଚାଲିଛି ।
ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ପଟ୍ଟାମୁଣ୍ଡାଇ ଅନ୍ତର୍ଗତ କଷଣଅଂଟା ଷ୍ଟାଡ଼ିୟମ ଶିଳାନ୍ୟାସକୁ ଉଦାହରଣ ଭାବେ ନିଆଯାଇପାରେ । ଏହି କାର୍ଯ୍ୟକ୍ରମରେ ଯୋଗ ନଦେଇଥିଲେବି କୋରେଇ ବିଧାୟକ ଅଶୋକ ବଳ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ନାମ ଶିଳାନ୍ୟାସ ଫଳକରେ ଉଲ୍ଳେଖ ରହିଛି । ମନ୍ତ୍ରୀ ତୁଷାରକାନ୍ତି ବେହେରା ଶିଳାନ୍ୟାସ କରିଥିବାବେଳେ ରାଜନଗର ବିଧାୟକ ଧ୍ରୁବ ସାହୁ, ଦଶପଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୁଖଙ୍କ ନାମ ବି ଫଳକରେ ରହିଛି । ସାଧାରଣତଃ ପ୍ରୋଟୋକଲ ଦୃଷ୍ଟିରୁ ସାଂସଦଙ୍କ ନାମ ବି ରହିଥାଏ । ଦଳର ଉଚ୍ଚସ୍ତରରୁ ନିଦେ୍ର୍ଧଶ ଆସିଥିବାରୁ ହିଁ ଅନୁଭବଙ୍କୁ କୋଣଠେସା କରାଯାଇଥିବା ଜାଣିବାକୁ ମିଳିଛି ।
ପୂର୍ବରୁ ମଧ୍ୟ କେନ୍ଦ୍ରାପଡା ସାଂସଦ ଜିଲ୍ଲାରେ ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିବା ନଜିର ରହିଛି ।
ଡିସେମ୍ବର ୨୦-ମହାକାଳପଡା ଆଖଡାଶାଳିରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପକୁ ବିଧାୟକ ଅତନୁ ସବ୍ୟସାଚୀ ଓ ଫାଇଭ ଟି ସଚିବ ଅନୁଧ୍ୟାନ ପାଇଁ ଆସିଥିବା ବେଳେ ସାଂସଦ ଅନୁପସ୍ଥିତ ଥିଲେ ।
ଡିସେମ୍ବର ୨୬- ଜିଲ୍ଲାର ବିଜେଡି ପ୍ରତିଷ୍ଠା ଉତ୍ସବରେ ସାଂସଦଙ୍କ ଦେଖା ମିଳିନଥିଲା
ଜାନୁୟାରୀ ୮- ମନ୍ତ୍ରୀ ତୁଷାରକାନ୍ତି ବେହେରା, ବଳଦେବ ଜୀଉ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ସାଂସଦଙ୍କୁ ଦେଖିବାକୁ ମିଳିନଥିଲା
ତେଣୁ ପ୍ରଶ୍ନ ଉଠୁଛି ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା ସାଂସଦ ଦଳରେ କୋଣଠେସାର ଶିକାର ହେଉଛନ୍ତି କି ? ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଛି । ଏପରିକି ମାମଲା ପୁଲିସ ଓ ମହିଳା କମିସନଙ୍କୁ ମଧ୍ୟ ଯାଇଛି । ବର୍ଷାଙ୍କୁ ସୁରକ୍ଷାକର୍ମୀ ମଧ୍ୟ ଯୋଗାଇ ଦିଆଯାଇଛି ।
ଲଗାତର ଭାବେ ଗତ କିଛି ମାସ ହେବ ଅନୁଭବ ଏଭଳି ହତାଦରର ଶିକାର ହେଇ ଆସୁଥିବାରୁ କେନ୍ଦ୍ରାପଡ଼ା ରାଜନୀତିରେ ଏବେ ସା˚ସଦଙ୍କ ସ୍ଥିତି ଆଉ ପ୍ରତିଷ୍ଠା ଉପରେ ବିରାଟ ପ୍ରଶ୍ନଚିହ୍ନ ଲାଗି ଯାଇଛି।
