କେନ୍ଦ୍ରାପଡା :୬ କେନ୍ଦ୍ରାପଡାର ଶ୍ରୀ ବଳଦେବଜୀୟୁଙ୍କ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ କାର୍ଯ୍ୟ ପୁନଃର୍ବାର ଆରମ୍ଭ କରାଯାଇଛି । ରବିବାର ପୂର୍ବାହ୍ନରୁ ଅଧାଗଢା ଥିବା ରଥକୁ ବଢେଇ ବିଶ୍ୱକର୍ମା ମାନେ ୨ଦିନ ମଧ୍ୟରେ ସାରିବାକୁ ନିଷ୍ପତି ନିଆଯାଇଛି । ଶ୍ରୀଗୁଣ୍ଡିଚା ଉପଲକ୍ଷେ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରଥଯାତ୍ରା ସମ୍ବନ୍ଧୀୟ ରାୟ ପ୍ରକାଶ ପାଇବାରୁ ରଥକାମ ବନ୍ଦ ରହିଥିଲା ।
ମନ୍ଦିର ପରିଚାଳନା ସମିତି ରଥକାମ ବନ୍ଦ ରଖିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇ ପରିଚାଳନା କମିଟି ବୈଠକ ଚାଲିଥିବା ବେଳେ ସେବାୟତ ଓ ସ୍ଥାନୀୟ ଜନ ସାଧାରଣ, ବୈଠକରେ ଉପସ୍ଥିତ ଥିବା ଉପ ଜିଲ୍ଲାପାଳ ତଥା ମନ୍ଦିର ପରିଚାଳନା କମିଟି ସଭାପତି ଜ୍ୟୋତି ଶଙ୍କର ମହାପାତ୍ରଙ୍କ ସମେତ ଅନ୍ୟ ଟ୍ରଷ୍ଟି ମାନଙ୍କୁ ଘେରାଉ କରି ତୁରନ୍ତ ଏହାକୁ ଶେଷ କରିବାକୁ ଦାବି କରିଥିଲେ । ତେବେ ଶନିବାର ଅନୁଷ୍ଠିତ ଏକ ବୈଠକରେ ଅଧାଗଢା ରଥକୁ ସଂପୂର୍ଣ୍ଣ କରି ବିଧିବଦ୍ଧ ପୂଜା ଓ ଅନ୍ୟାନ୍ୟ ପୂଜାକ୍ରମ ପରେ ନିର୍ଦ୍ଦିଷ୍ଟ ତିଥିରେ ଖୋଲାଯିବ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛନ୍ତି ।