କେନ୍ଦ୍ରାପଡା , ୦୩ /୯ ( ରବୀନ୍ଦ୍ର ଦାଶ ) : ଏକ ମାମଲାକୁ ରଫା ଦଫା କରିବା ପାଇଁ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା ବିଜିଲାନ୍ସ ହାତରେ ଧରାପଡି ଗିରଫ ହେବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । କିଛିଦିନ ତଳେ ଯେଉଁ ମାମଲାରେ ତଦନ୍ତ କରି ଜଣେ ଅପରାଧିଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଥିଲେ ଏହି ପୋଲିସ ବାବୁ ,ଆଜି ସେହି ମାମଲାରେ ବାବୁ ଜଣଙ୍କ ନିଜେ ଅଭିଯୁକ୍ତ ବନି ଯାଇଛନ୍ତି । ତଦନ୍ତକାରୀ ଅଫିସର ଭାବେ ମାମଲାରୁ ଦଫା ହଟାଇ ଜଣେ କଲେଜ ପଢୁଆ ଯୁବକଙ୍କ ନାମକୁ ମାମଲାରୁ ବାଦ୍ ଦେବାକୁ ଏହି ପୋଲିସ ବାବୁ ୫ହଜାର ଟଙ୍କା ଦାବୀ କରିଥିଲେ । ଗୁରୁବାର ଦିନ ରାଜକନିକା ଥାନା ପରିସରରେ ଏହି ଲାଂଚ ଟଙ୍କା ଦେଣ ନେଣ ବେଳେ ପୋଲିସ ବାବୁ ଭିଜିଲାନ୍ସ ଜାଲରେ ପଡିଯାଇଥିଲେ ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅର୍ନ୍ତଗତ ଗୋକର୍ଣ୍ଣେଶ୍ୱର ଗ୍ରାମରେ ଗତ ଜୁନ୍ ମାସରେ ଦୁଇ ଗୋଷ୍ଠି ମଧ୍ୟରେ ମାଡପିଟ୍ ହୋଇଥିଲା । ଥାନାରେ ଉବୟଙ୍କ ପକ୍ଷରୁ ଦୁଇଟି ମାମଲା ହୋଇଥିଲା । ମାମଲାରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା ତଦନ୍ତକାରୀ ଅଫିସର ଭାବେ ନି୍ୟୁକ୍ତି ହୋଇଥିଲେ । ଗୋଟିଏ ପକ୍ଷର ମାମଲାରେ ଅଭିଯୁକ୍ତମାନେ ଜାମିନ ହୋଇ ସାରିଥିବା ବେଳେ ଅନ୍ୟ ପକ୍ଷରୁ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କଠୋର ଅଭିଯୋଗରେ ଗିରଫଏହି ଅଭିଯୁକ୍ତଙ୍କୁ ଏ ଯାଏ ଜାମିନ୍ ମିଳୁନାହିଁ । ଏହି ପକ୍ଷର ଅନ୍ୟ ମାନଙ୍କ ମଧ୍ୟରେ ରତିକାନ୍ତ ସେଠୀ ନାମକ ଜଣେ କଲେଜରେ ପାଠ ପଢୁଥିବା ଛାତ୍ର ଅଭିଯୁକ୍ତ ଅଛନ୍ତି । ଛାତ୍ର ଜଣଙ୍କ ଗିରଫ ହେଲେ ତାର ଭବିଷ୍ୟତ ଅନ୍ଧାର ହୋଇଯିବ କହି ଏହି ପୋଲିସ ବାବୁ ଜଣଙ୍କ ତାଙ୍କ ଘର ଲୋକଙ୍କୁ ଡରାଉ ଥିଲେ ।

ରତିକାନ୍ତର ନାମକୁ ଏହି ମାମଲାରୁ ବାଦ୍ ଦେବା ପାଇଁ ଏଏସ୍ଆଇ ବୈଷ୍ଣବ ବାବୁ ୫ ହଜାର ଟଙ୍କା ଦାବୀ କରିଥିଲେ । ପୋଲିସ୍ର ଏହି ଲାଂଚ ଜୁଲମ ସଂପର୍କରେ ରତିକାନ୍ତ ଦାଦା ଦିବାକର ସେଠୀ ଭିଜିଲାନ୍ସ ନିକଟରେ ଫେରାଦ୍ ହୋଇଥିଲେ । ଏ ନେଇ ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା । ପୂର୍ବ ଯୋଜନା ମୁତାବକ ଆଜି ରାଜକନିକା ଥାନା ଏଏସଆଇ ଥାନା ପରିସରେ ଦିବାକର ସେଠୀଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ବିଭାଗ ବୈଷ୍ଣବଙ୍କୁ କାବୁ କରିଥିଲେ । ତାଙ୍କ ପକେଟ୍ରୁ କେମିକାଲ ବୋଳା ଟଙ୍କା ଜବତ୍ କରିଥିଲେ । ଏହି ଲାଂଚ ନେବା ଅଭିଯୋଗରେ କେନ୍ଦ୍ରାପଡା ଭିଜିଲାନ୍ସ ଡିଏସ୍ପି ପି ସୁରେନ୍ଦ୍ର ନାରାୟଣ ରାୟଗୁରୁଙ୍କ ନେତୃତ୍ୱରେ ଏକ ଟିମ୍ ବୈଷ୍ଣବଙ୍କୁ ଗିରଫ କରିଛନ୍ତି । ଯେଉଁ ମାମଲାରେ ସଂପୃକ୍ତ ପୋଲିସ ବାବୁ ଜଣେ ଅଭିଯୁକ୍ତ ରଂଜନ ସେଠୀଙ୍କୁ ଗିରଫକରି ଦିନେ ଜେଲ୍ ହାଜତ୍କୁ ପଠାଇଥିଲେ, ସେହି ମାମଲାରେ ନିଜେ ଗିରଫ ହେବା ଘଟଣା ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଆଜି ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here