ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ଏବେ ୨ଲକ୍ଷ ଟପିଯାଇଥିବା ବେଳେ ବିଶ୍ୱରେ ସର୍ବାଧିକ ସଂକ୍ରମିତ ତାଲିକାରେ ସପ୍ତମ ସ୍ଥାନ ଅଧିକାର କଲାଣି । ମାସକ ତଳେ ଅର୍ଥାତ ଏପ୍ରିଲର ଶେଷ ଭାଗରେ ଭାରତର ସ୍ଥାନ ତାଲିକାର ଚତୁର୍ଦଶ ସ୍ଥାନରେ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ, ମେ’ ୧୮ ତାରିଖ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିଲା । ମାତ୍ର ୧୫ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗଣ ହୋଇଛି । ଯେଉଁ ହାରରେ ଏବେ ସଂକ୍ରମଣ ବଢିଚାଲିଛି, ଜୁନ୍ ମଧ୍ୟ ଭାଗ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ପାଖାପାଖି ହୋଇପାରେ । ଏହି ଧାରାରେ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ବା ୧ ନିୟୁତକୁ ଟପିବା ଆଶଙ୍କା ଅମୁଳକ ନୁହେଁ ବୋଲି କୁହାଯାଇପାରେ । ଏବେ ଦେଖାଯାଇଛି, ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି ।
ଏବେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ଉପରେ ରହିଛି । ଗୁରୁବାର ଦିନ ଦେଶରେ ନୂତନ ପଜିଟିଭଙ୍କ ସଂଖ୍ୟା ୯୩୦୪ ଥିଲା, ଯାହାକି ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ବୋଲି କୁହାଯାଇଛି । ବିଶ୍ୱରେ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ଭାବେ ପରିଚିତ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ରହିଛି । ମେ’ ୨୦ ତାରିଖ ବେଳକୁ ଦେଶରେ ହାରାହାରି ନୂଆ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ରହିଥିବା ବେଳେ ଏବେ ତାହା ୯ ହଜାର ଉପରେ ରହିଛି । ତେବେ ଏହି ଚିନ୍ତାଜନକ ଅବସ୍ଥାରେ ସୁଖଦ ଖବର ହେଉଛି ଦେଶରେ ଆରୋଗ୍ୟ ହାର ବିଶ୍ୱରେ ସର୍ବାଧିକ ଥିବାବେଳେ ମୃତୁ୍ୟ ହାର ସର୍ବନିମ୍ନ ସ୍ତରରେ ରହିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଦେଶରେ ଆରୋଗ୍ୟ ହାର ୪୭.୯୯ ପ୍ରତିଶତ ଥିବାବେଳେ ମୃତୁ୍ୟ ହାର ୨.୪୨ ପ୍ରତିଶତ ରହିଛି । ଅଥଚ ବିଶ୍ୱରେ ମୃତୁ୍ୟ ୬ ପ୍ରତିଶତ ରହିଛି । ଏହା ସତ୍ୱେ ଦେଶରେ ଏବେ ଯେଉଁ ଭଳି ଭାବେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି, ଜୁଲାଇ ମାସ ବେଳକୁ ମୃତୁ୍ୟ ସଂଖ୍ୟା ୩୦, ୦୦୦କୁ ଟପିଯିବା ସମ୍ଭାବନାକୁ ଏଡାଇ ଦେଉନାହିଁ । ଏହା ସତ୍ୟ ଯେ, ଦେଶରେ ପ୍ରାଣଘାତୀ କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଗତ ମାର୍ଚ୍ଚ ୨୫ ତାରିଖରେ ଜାରି ହୋଇଥିବା ଲକଡାଉନ(ତାଲାବନ୍ଦ) କଟକଣା ଦୀର୍ଘ ୬୮ ଦିନ ପରେ ଅର୍ଥାତ ଜୁନ୍ ୧ ତାରିଖରୁ କେନ୍ଦ୍ର ସରକାର କୋହଳ କରିଛନ୍ତି । ଲକଡାଉନ ସମୟରେ ଜନସାଧାରଣ ଯେଉଁଭଳି ଆତ୍ମ ସଂଜମତା, ଶୃଙ୍ଖଳା ତ୍ୟାଗ ଓ ସଚେତନତା ପ୍ରଦର୍ଶନ କରିଥିଲେ, ତାହା ଥିଲା ଅଦଭୂତ୍ପୂର୍ବ । ଏହା ସତ୍ୱେ ଲକଡାଉନ ଜାରିବେଳେ ସଂକ୍ରମିତଙ୍କ ସଂଖ୍ୟା ୫୮୧ ଥିବାବେଳେ ମୃତୁ୍ୟ ସଂଖ୍ୟା ମାତ୍ର ୯ଥିଲା । ଏହା ସତ୍ୱେ ଲକଡାଉନ କଟକଣା ଆଂଶିକ ପ୍ରତ୍ୟାହୃତ ହେବା ବେଳକୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୦ ହଜାରୁକୁ ଅତିକ୍ରମ କରିଥିବା ବେଳେ ମୃତୁ୍ୟ ସଂଖ୍ୟା ୬ ହଜାରରୁ ଟପିଗଲାଣି ।
ଆଶା କରାଯାଉଥିଲା ଦୀର୍ଘ ୬୮ ଦିନର ଲକଡାଉନ ଅବଧି ମଧ୍ୟରେ ଜନସାଧାରଣଙ୍କ ଯେଉଁ ଅଦ୍ଭୂତପୂର୍ବ ଶୃଙ୍ଖଳା, ଆତ୍ମ ସଂଜମତା ଶିକ୍ଷା କରିଛନ୍ତି, ତାହା ବଜାୟ ରଖିବା ସହ ପ୍ରାଣଘାତୀ କରୋନା ଭୂତାଣୁକୁ ପ୍ରତିହିତ କରିବେ । ମାତ୍ର ଯେଉଁ ଆଚରଣ ଜନସାଧାରଣ ପ୍ରଦର୍ଶନ କରିଛନ୍ତି, ତାହା ଯେତିକି ଚିନ୍ତାଜନକ, ସେତିକି ଲଜ୍ୟଜନକ ବୋଲି କହିଲେ ଭୁଲ ହେବ ନାହିଁ । ଏବେ ସବୁଠି ଉଶୃଙ୍ଖଳତା ଦେଖିବାକୁ ମିଳୁଛି । ଲକଡାଉନ ବେଳର ସଂଜମତା ଓ କୋଭିଡ -୧୯ର ନିୟମ କାନୁନଙ୍କୁ ଫୁ କରିଦେଇଥିବା ମନେହୁଏ । ଯାହାର ପରିଣତି ସ୍ୱରୁପ ଜୁନ ପହିଲା ପରଠାରୁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହାରାହାରୀ ୯ ହଜାର ଉପରେ ରହିଥିବା ବେଳେ ମୃତୁ୍ୟ ସଂଖ୍ୟା ଦୈନିକ ହାରାହାରି ଅଢେଇ ଶହ ଉପରେ ରହିଛି । ଯାହାକି ଆଦୌ ଶୁଭସୂଚନା ନୁହେଁ ବୋଲି କୁହାଯାଇପାରିବ ।
ଦେଶରେ ଏବେ ଯେଭଳି ସଂକ୍ରମିତଙ୍କ ସଂଖ୍ୟା ବଢିଛାଲିଛି, ତାହା ଗୋଷ୍ଠୀ ସଂକ୍ରମଣର ସଂକେତ ପ୍ରଦାନ କରିଛି । ମାତ୍ର ସରକାର ଏହାକୁ ଅସ୍ୱୀକାର କରିଛନ୍ତି ସତ, କିନ୍ତୁ ଆଶଙ୍କା ଅମୁଳକ ନୁହେଁ ବୋଲି କୁହାଯାଇପାରେ । ଏବେ ସହରାଚଂଳ ତୁଳନାରେ ଗ୍ରାମାଚଂଳରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଅନ୍ୟପକ୍ଷରେ କରୋନାର ମୁକାବିଲା ପାଇଁ ବର୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନାହିଁଃ ସାମାଜିକ ଦୂରତା ରକ୍ଷା, ଆତ୍ମ ସଂଜମତା, ଘରେ ନିଜକୁ ସୁରକ୍ଷିତ ରଖିବା । ମାସ୍କ ପରିଧାନ କରିବା ଏହାର ପ୍ରତିଷେଧକ ବ୍ୟବସ୍ଥା ହୋଇଥିବା ବେଳେ ଜନସାଧାରଣଙ୍କ ଆଚରଣ ଏବେ ଜେଲରୁ ମୁକୁଳିବା ସଦୃଶ ହୋଇଛି । ଗୋଷ୍ଠୀ ସଂକ୍ରମଣ ପ୍ରତି ଉଭୟ ସରକାର ଓ ଜନସାଧାରଣ ସଚେତନ ହେବା ଜରୁରୀ । ଅନଲକ୍୧.୦ ରୋଗଠାରୁ ସ୍ୱାଧୀନତା ନୁହେଁ ଏହା ମନେ ରଖିବା ଉଚିତ । ବେଳ ହୁଁ ସାବଧାନ ସ୍ୱରୁପ ଆଗକୁ କଠିନ ସମୟର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ହୁଅ ।