ମୟୂରଭଞ୍ଜକୁ ଛୁଇଁଲା କରୋନା, ଗ୍ରୀନ୍ ଜୋନ୍ରୁ ଡେଇଁଲା ଅରେଞ୍ଜ ଜୋନ୍ କୁ : ସାମାଜିକ ଦୂରତ୍ୱାକୁ ଫୁ, ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ବାରିପଦା : ମୟୂରଭଞ୍ଜକୁ ଛୁଇଁଲା କରୋନା, ମୟୂରଭଞ୍ଜ ଜିଲ୍ଲା ଗ୍ରୀନ ଜୋନରୁ ଡେଇଁ ସିଧାସଳଖ ପହଁଞ୍ଚିଲା ଅରେଞ୍ଜ ଜୋନରେ । ଗୁରୁବାର ରାଜ୍ୟସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ୪ଜଣଙ୍କର କରୋନା ପଜିଟିଭ୍ ବାହାରିଥିବା ଘୋଷଣା କରାଯାଇଛି । ୪ଜଣ ଯାକ କୋରନା ଆକ୍ରାନ୍ତ ଯୁବକ ହୋଇଥିବାବେଳେ ଏମାନେ ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାଯାଇଛି । ଚିହ୍ନଟ ହୋଇଥିବା କୋରନା ଆକ୍ରାନ୍ତ ମାନେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ ଅନ୍ତର୍ଗତ ପିଙ୍ଗୁ ଅଞ୍ଚଳରୁ ୩ଜଣ ଓ ପୋଡାଡିହା ଅଞ୍ଚଳରୁ ଜଣେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୪ଜଣ ରୋଗୀଙ୍କୁ ସଙ୍ଗେ ସଙ୍ଗେ କଟକ ସ୍ଥିତ ଅସନି କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୪ତାରିଖ ଭୋର ସମୟରେ ଦୁଇଗୋଟି ବସ ଯୋଗେ ୫୩ଜଣ ପ୍ରବାସୀ ଓଡିଆ ସୁରଟରୁ ନିଜ ଜନ୍ମମାଟି କପ୍ତିପଦାକୁ ଫେରିଥିଲେ । ପ୍ରଥମେ ସେମାନଙ୍କୁ କପ୍ତିପଦା କଲେଜ ସ୍ଥିତ ୨ଶହଶର୍ଯ୍ୟା ବିଶିଷ୍ଟ ସଙ୍ଗରୋଧ ଗୃହରେ ରଖାଯାଇଥିଲା । ପରେପରେ ସେମାନଙ୍କ ରେଜିଷ୍ଟ୍ରେସନ କରାଯାଇ ସମ୍ପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନେ ଗ୍ରାମପଞ୍ଚାୟତରେ ଥିବା ସଙ୍ଗରୋଧ ଗୃହକୁ ନେଇ ସମସ୍ତ ପ୍ରବାସୀଙ୍କ ରକ୍ତ ନମୂନା ସଂଗ୍ରହ କରିବା ସହିତ ସଙ୍ଗରୋଧ ଗୃହରେ ରଖାଯାଇଥିଲା । ଆଜି ଜିଲ୍ଲାରେ ହଠାତ୍ ୪ଜଣଙ୍କର ରକ୍ତ ନମୂନା ପଜିଟିଭ୍ ଆସିବାପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ମୟୂରଭଞ୍ଜ ଜିଲ୍ଲା କ୍ରମାଗତ ଭାବେ ସେଫ ଜୋନରେ ରହିଥିବାବେଳେ ଲକ୍ଡାଉନ୍ ସମୟରେ ଜିଲ୍ଲାକୁ କୋରନା ଛୁଇଁ ପାରିନଥିଲା । ମାତ୍ର ଚଳିତ ମାସ ୪ତାରିଖରୁ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସାରାଭାରତ ବର୍ଷରେ ଜାରି ହୋଇଥିଲା । ଏହି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ବିଭିନ୍ନ ନିୟମରୁ ଜିଲ୍ଲାକୁ କୋହଳ କରାଯାଇଥିବାବେଳେ ଏବେ ସମସ୍ତ ଦୋକାନ ବଜାରଠାରୁ ଆରମ୍ଭ କରି ବନ୍ଦ ରହିଥିବା ପ୍ରାୟଃ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏବେ ଦେଖିବାକୁ ମିଳୁଛି ସବୁଆଡେ ମେଞ୍ଚାଏ ମେଞ୍ଚାଏ ଲୋକ ।
ବିଶେଷ କରି ବାରିପଦା ସହରର ମୁଖ୍ୟବଜାର ସହ ବିଭିନ୍ନ ହାଟ୍ ମାନଙ୍କରେ ଲୋକଙ୍କର ନାହିଁନଥିବା ଗହଳିଚହଳି ଲାଗିରହିଛି । ଏବେ ସାଧାରଣ ଲୋକେ ସାମାଜିକ ଦୂରତ୍ୱାକୁ ଅବଲମ୍ବନ କରୁନଥିବାବେଳେ ବିଭିନ୍ନ ଦୋକାନ ବଜାର ଓ ବଡବଡ ମାର୍କେଟ କମ୍ପ୍ଲେସରେ ଲୋକଙ୍କ ଭିଡ ଜମୁଛି । ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଅସହ ଭିଡ ହେଉଥିବାବେଳେ କାମ ନଥାଇ ମଧ୍ୟ ପଦାରେ ବିଭିନ୍ନ ଯାନବାହାନ ଯାତାୟତ କରୁଛି । ଏଥିପ୍ରତି ଜିଲ୍ଲାପ୍ରଶାସନ ତୀକ୍ଷଣ ନଜର ଦେଉନାହିଁ, ଫଳରେ ଲୋକମାନେ ସ୍ୱଇଚ୍ଛାରେ ରାସ୍ତାରେ ଯାତାୟତ କରୁଛନ୍ତି । କୌଣସି ବଜାର କିମ୍ବା ଦୋକନାରେ ସାମାଜିକ ଦୂରତ୍ୱାକୁ ନଜର ଅନ୍ଦାଜ କରିଦିଆଯାଉଛି । ଏଥିପ୍ରତି ତୁରନ୍ତ ଜିଲ୍ଲାପ୍ରଶାସନ ଠୋଷ ପଦକ୍ଷେପ ନନେଲେ ମୟୂରଭଞ୍ଜ ଜିଲ୍ଲାରେ କୋରନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାକୁ ବହୁତ କମ ସମୟ ଲାଗିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଏଥିସହ ମୟୂରଭଞ୍ଜ ଜିଲ୍ଲା ପଡୋଶୀ ଜିଲ୍ଲା ବାଲେଶ୍ୱର ରେଡ୍ ଜୋନରେ ଥିବାବେଳେ ଏହି ଜିଲ୍ଲାରୁ ଅଧିକାଂଶ ଲୋକେ ବିନା ପଞ୍ଜିକୃତରେ ବା ଜିଲ୍ଲାପ୍ରଶାସନ ଅଗଚରରେ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଇଚ୍ଛାରେ ଯାତାୟତ କରୁଥିବା ସହ ନିଜନିଜ ବୃତିଗତ କାର୍ଯ୍ୟରେ ଓ ବ୍ୟବସାୟୀରେ ଲିପ୍ତ ରହିଛନ୍ତି । ତେଣୁ ତୁରନ୍ତ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନରୁ ରେଡ୍ ଜୋନକୁ ଡେଇଁବା ପାଇଁ ବିଶେଷ ସମୟ ଲାଗିବ ନାହିଁ ।