Odisha news

ଓଲଟପୁର ଥାନାକୁ ବଡ଼ ସଫଳତା; ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ; ୭ଅପରାଧି ଗିରଫ; ବନ୍ଧୁକ ଓ ମାରଣାସ୍ତ୍ର ଜବତ

0

କଣ୍ଟାପଡ଼ା : କଟକ ଜିଲା ସଦର ଉପଖଣ୍ଡ ଅଧିନସ୍ଥ ଓଲଟପୁର ଥାନାକୁ ଏକ ବଡ଼ ସଫଳତା ମିଳିଛି । ପେଟ୍ରୋଲ ପମ୍ପ ଡକାୟତି କରିବାକୁ ଯୋଜନା କରୁଥିବା ଏକ ୮ଜଣିଆ ଆନ୍ତ ଜିଲା ଡକାୟତ ଦଳକୁ କାବୁ କରିବା ସହିତ ସେମାନଙ୍କଠାରୁ ବନ୍ଧୁକ ଓ ବୋମା ସମେତ ଅନେକ ମାରଣାସ୍ତ୍ର ଜବତ କରିଛି । ଏତେ ବଡ଼ ସଫଳତା ପାଇବା ଓଲଟପୁର ଥାନା ରେକର୍ଡ଼ରେ ଏହା ପ୍ରଥମ ଘଟଣାବୋଲି ଜାଣିବାକୁ ମିଳିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, କଣ୍ଟାପଡ଼ା ନିକଟ ବଟଗୋସାଇଁ ମଠ ନିକଟରେ ୮ଜଣ ଦୁର୍ବୃତ୍ତ ଏକ ପେଟ୍ରୋଲ ପମ୍ପରୁ ଡକାୟତି କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଓଲଟପୁର ଥାନା ପୁଲିସ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଯୋଜନା ବିଷୟରେ ଜଣାଇଥିଲା । ଘଣ୍ଟାଏ କାଳ ବିଚାର ବିମର୍ଷ ପରେ ଏକ ଟିମ ଗଠନ କରାଯାଇ ହକାୟତି ଯୋଜନା କରୁଥିବା ଦଳ ଉପରେ ଅତର୍କିତ ଚଢ଼ଉ ହୋଇଥିଲା ।

ଦୁର୍ବୃତ୍ତଙ୍କ ମଧ୍ୟରୁ ୭ଜଣଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଥିଲାବେଳେ ଜଣେ ଅନ୍ଧାରର ସୁଯୋଗରେ ଫେରାର ହୋଇଯାଇଥିଲା । ସେମାନଙ୍କଠାରୁ ଡକାୟତିରେ ବ୍ୟବହାର ହେବାକୁ ଥିବା ଏକ ବନ୍ଧୁକ, ଦୁଇଟି ଜୀବନ୍ତ ବୋମା, ୩ଟି ଗୁଳି, ଭୁଜାଲି, ଛୁରି, ଲୁହା ରଡ଼, କଟୁରୀ, ଲଙ୍କାଗୁଣ୍ଡ ଏବଂ ଆଖିକୁ ନଷ୍ଟ କରିଦେବା ଭଳି ରାସାୟନିକ ସ୍ପ୍ରେୟର ସମେତ ତିନୋଟି ବାଇକ (ବୁଲେଟ, ୨ଟି ପଲସର) ଏବଂ ୮ଟି ମୋବାଇଲ ଫୋନ ଜବତ ହୋଇଛି ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନନଗର ଗୁରୁସାହିର ଚିକୁ ଓରଫ ଲୋକେନ ଗୁରୁ (୨୧), ବାଦାମବାଡ଼ି ଥାନା ଅଧିନ ଖାନନଗର ବିନ୍ଧାଣିସାହିର ଆଠେଣି ଓରଫ ରମେଶ ବେହେରା (୨୦), କଟକ ସିଡ଼ିଏ ସେକ୍ଟର-୧୧ରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗ୍ରାମର ବିଜୟକୁମାର ଧଳ (୪୭), କଟକ ମଙ୍ଗଳାବାଗ ଥୋରିଆସାହିର ଚିଣ୍ଟୁ ଓରଫ ସୁବ୍ରତ ସାମଲ (୨୩), ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କୁମ୍ବିଲୋ ଗ୍ରାମର ସଂଜୟ ବଡ଼ଜେନା (୨୬), ଯାଜପୁର ଟାଉନ ଥାନା ଅଧିନ ଖନ୍ଦରା ଗ୍ରାମର ତୋଫାନ ଗେଡ଼ି (୨୭), ସଦର ଥାନା କଳପଡ଼ାରେ ରହୁଥିବା ବିରିଡ଼ି ଥାନା ଅନ୍ତର୍ଗତ ଦୋଗଚ୍ଛିଆ ଗ୍ରାମର ବିଭୁ ଓରଫ ସତ୍ୟରଞ୍ଜନ ବେହେରା (୨୧) ଏବଂ ଖୋର୍ଦ୍ଧା କୁମ୍ଭିଲୋ ଗ୍ରାମର ବନିଆ ଓରଫ ଦୁର୍ଗା ସ୍ୱାଇଁ । ଏହା ପୂର୍ବରୁ ଅଭିଯୁକ୍ତମାନଙ୍କ ନାମରେ ଲୁଟ, ଡକାୟତି, ଛିନତାଇ, ରାହାଜାନୀ, ଆକ୍ରମଣ, ଦାଦାବଟି ଆଦି ମାମଲା ବିଭିନ୍ନ ଥାନାରେ ରହିଛି ।

ଗତ ୧୬ ତାରିଖରେ ଓଲଟପୁର ଥାନା ଅଧିନ ବାଘୁଆ ଗ୍ରାମରେ ଥିବା ଏକ ଇଟାଭାଟିରେ ଦାଦାବଟି ପାଇଁ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଭଙ୍ଗାରୁଜା କରିବା ପରି ମାମଲା ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ବିଭିନ୍ନ ଦଫାରେ ଗିରଫ କରାଯାଇ କେସ ନଂ. ୫୮/୨୦୨୦ରେ ଏକ ମାମଲା ରୁଜୁ ହୋଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସମସ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପକ୍ଷରେ ସେମାନଙ୍କୁ ରିମାଣ୍ଡରେ ଆଣି ବିଭିନ୍ନ ସଙ୍ଗୀନ ଅପରାଧିକ ମାମଲାର ଖୋଳତାଡ଼ କରିବାକୁ ଓଲଟପୁର ପୁଲିସ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଥିଲା । ଏଥିରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରଦୁ୍ୟମ୍ନକୁମାର ଜେନା, ସଦର ଏସଡ଼ିପିଓ ସୁବାସଚନ୍ଦ୍ର ପଣ୍ଡା, ଓଲଟପୁର ଆଇଆଇସି ଚିନ୍ମୟୀ ସାହୁ, ଗୋବିନ୍ଦପୁର ଓଆଇସି ମାନସ ମିଶ୍ର, ନିଆଳି ଆଇଆଇସି ବିଜୟକୁମାର ମଲିକଙ୍କ ସମେତ ଓଲଟପୁର ଥାନା ଏସଆଇ କୈଳାସଚନ୍ଦ୍ର ସାହୁ ଏବଂ ଏଏସଆଇ ଦୁର୍ଯେ୍ୟାଧନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply