Odisha news

କଣ୍ଟାପଡ଼ା : ତହସିଲଦାରଙ୍କ ବଦଳିକୁ ନେଇ ଜନ ଅସନ୍ତୋଷ

0

କଣ୍ଟାପଡ଼ା : କଣ୍ଟାପଡ଼ା ତହସିଲଦାର ଆର୍ତ୍ତତ୍ରାଣ ମଲିକଙ୍କ ଅଚାନକ ବଦଳିକୁ ନେଇ ପ୍ରଜାମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଶେଷ କରି ବୈଶ୍ୱିକ ମହାମାରୀ କରୋନା ଜନିତ ଜଟିଳ ପରିସ୍ଥିତିରେ ଏକ ପ୍ରକାର ଯୋଦ୍ଧାଙ୍କ ଭଳି କାର୍ଯ୍ୟ କରୁଥିବା ଜନୈକ ଦକ୍ଷ ଅଧିକାରୀଙ୍କୁ ଏଭଳି ତରବରିଆଭାବେ ବଦଳି କରାଯିବାର ପ୍ରକୃତ କାରଣ କ’ଣ ବୋଲି ବୁଦ୍ଧିଜୀବୀ ମହଲରେ ସନେ୍ଦହ ଜାତ ହୋଇଛି । ଶ୍ରୀ ମଲିକ ମାତ୍ର ଦେଢ଼ ବର୍ଷ ହେଲା ଏଠାରେ ଯୋଗଦେଇଥିଲାବେଳେ ଗତ ଫନି ବାତ୍ୟାର ସଫଳ ମୁକାବିଲାରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏଥିପାଇଁ ତାଙ୍କୁ ଅନେକ ମହଲରୁ ପ୍ରଶଂସା ମଧ୍ୟ ମିଳିଥିଲା ।

ସେହିପରି ପ୍ରଜାମାନଙ୍କୁ ତ୍ୱରିତ ସେବା ଯୋଗାଇଦେବା ଏପରିକି ଜମିଜମା ମାମଲାରେ ମାତ୍ର କେଇ ଘଣ୍ଟା ମଧ୍ୟରେ ଜମି ପଟ୍ଟା ପ୍ରଦାନ କରି ସେ କଣ୍ଟାପଡ଼ା ତହସିଲ ଇତିହାସରେ ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲେ । ଏତଦ ବ୍ୟତୀତ ସଇରାତ ନିଲାମ କରି ରାଜସ୍ୱ ବୃଦ୍ଧି କରିବା ସହିତ ବେଆଇନ ବାଲିଘାଟ ଉପରେ ଘନ ଘନ ଚଢ଼ଉ କରି ସରକାରୀ ରାଜସ୍ୱ ହାନୀକୁ ରୋକିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପ୍ରକାରାନ୍ତରେ ଶ୍ରୀ ମଲିକ କଣ୍ଟାପଡ଼ା ତହସିଲ ଅଞ୍ଚଳରେ ରାଜସ୍ୱ ବୃଦ୍ଧି ଓ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଭଳି ଅନେକ ପରିବର୍ତ୍ତନ କରିବା ସଙ୍ଗେସଙ୍ଗେ ପ୍ରଜାମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ । ସମ୍ପ୍ରତି କରୋନା ଜନିତ ଲକଡ଼ାଉନ ଓ ସଟଡ଼ାଉନ ପରିପ୍ରେକ୍ଷୀରେ ସ୍ଥାନୀୟ ପୁଲିସ ସହିତ ମିଶି ଜନସାଧାରଣଙ୍କୁ ସଚେତନ କରିବା ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସହଯୋଗ କରି ଶ୍ରୀ ମଲିକ ଚର୍ଚ୍ଚିତ ହୋଇଥିଲେ ।

କଣ୍ଟାପଡ଼ା ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ସେ ସଫଳତାର ସହ କାର୍ଯ୍ୟ ତୁଲାଇ ନିଜର ଦକ୍ଷତାର ପରିଚୟ ଦେଇ ଚାଲିଥିଲାବେଳେ ହଠାତ ଏପରି ରାତି ଅଧିଆ ବଦଳି ନିଦେ୍ର୍ଦଶ ଅନେକଙ୍କୁ ବିସ୍ମିତ କରିଛି । ତହସିଲଦାରଙ୍କ ଉଦେ୍ଦଶ୍ୟମୂଳକ ବଦଳି ପ୍ରକ୍ରିୟାରେ ନିର୍ବାଚିତ ଜନ ପ୍ରତିନିଧି, ବାଲି ମାଫିଆ ଓ ସେହି ଧରଣର ବେଆଇନ କାରବାରରେ ଲିପ୍ତ କେତେକ ଅସାଧୁ ଗୋଷ୍ଠୀଙ୍କ ପ୍ରଚ୍ଛନ୍ନ ହାତ ଥିବା କୁହାଯାଉଛି ।

କାରଣ ଗୋବିନ୍ଦପୁର ଓ ତୀର୍ଥପଡ଼ାରେ ଚାଲିଥିବା ବେଆଇନ ବାଲିଘାଟ ଉପରେ ଘନ ଘନ ଚଢ଼ଉ ଯୋଗୁଁ ତହସିଲଦାରଙ୍କ ଉପରେ ବାଲି ମାଫିଆ ଓ ରାଜନୋଙ୍କ ଆକ୍ରୋଶ ବୃଦ୍ଧି ପାଇଥିଲା । ଏମିତି ରାଜନେତାଙ୍କ ଅଗୋଚରରେ ଏହି ଚଢ଼ଉ ବାରମ୍ବାର ଚାଲିବା ଏବଂ ଏଥିରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ହସ୍ତକ୍ଷେପକୁ ତହସିଲଦାର ଆଦୌଁ ବରଦାସ୍ତ କରୁନଥିବାରୁ ତାଙ୍କ ବିରୁଦ୍ଧରେ ଏପରି ବଦଳି ଷଡ଼ଯନ୍ତ୍ର ହୋଇଥିବା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଜାମାନଙ୍କ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ତହସିଲଦାରଙ୍କ ବଦଳି ନିଦେ୍ର୍ଦଶ ବାତିଲ କରିବା ସହିତ ତାଙ୍କୁ ପୁନଃ ଏଠାରେ ଅବସ୍ଥାପିତ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି ।

Leave A Reply